କନକ ବ୍ୟୁରୋ: ଖାଇ-ପିଈ ସାରି ପିଲାମାନେ ତଳେ ଶୋଇଥିଲେ । ସମୟ ରାତି ପାଖାପାଖି ୧୧ଟାରୁ ୧୨ ହେବ । ପିଲାମାନେ ଶୋଇଥିବା ଘରକୁ ପଶିଥିଲା ଏକ ସାପ । ନିଦରେ ଶୋଇଥିବା ଛୋଟ ଛୋଟ ପିଲାମାନେ ସାପ, ଆସିଥିବା ଜାଣି ବି ପାରିନଥିଲେ । ଏହା ପରେ, ଜଣକ ପରେ କରି ସାପ କାମୁଡ଼ି ଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ୩ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । କେନ୍ଦୁଝର ଜିଲ୍ଳା ନିଶ୍ଚିନ୍ତପୁରର ଏକ କୋଚିଂ ସେଂଟରରେ ଘଟିଥିବା ଏହି ଘଟଣାରେ ରାଜା ନାଏକ ୧୨ ବର୍ଷ, ଏଲିନା ନାଏକ ୭ବର୍ଷ ଏବଂସ୍ନେହାଶ୍ରୀ ନାଏକ, ୧୦ ବର୍ଷଙ୍କର ମୃତ୍ୟୁ ହୋଇଛି । ସେହିପରି ୧୨ ବର୍ଷର ଆକାଶ ନାଏକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

Advertisment

ସ୍ଥାନୀୟ ଅଂଚଳର ଛୋଟ ଛୋଟ ପିଲାଙ୍କୁ ନେଇ ଆବାସିକ ଶିକ୍ଷାନୁଷ୍ଠାନ ଶୈଳୀରେ ପିଲାଙ୍କୁ ପାଠ ପଢ଼ାଉଥିଲେ ଘରୋଇ ଶିକ୍ଷାନୁଷ୍ଠାନ ଚଳାଉଥିବା ବ୍ୟକ୍ତି । ତାଙ୍କ ଭରସାରେ, ଛୋଟ ଛୋଟ ପିଲାଙ୍କୁ ସେଠି ଛାଡ଼ିଥିଲେ ଅନେକ ପରିବାର । ଗତକାଲି ରାତିରେ ଏହି ଘଟଣା ଘଟିବା ପରେ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ହେଲେ ହସ୍ପିଟାଲରେ ଆସି ଦେଖିଲା ବେଳକୁ ୩ ଜଣଙ୍କର ମୃତ୍ୟୁ ହୋଇସାରିଥିଲା ।

ଏହି ଘଟଣା ସାମ୍ନାକୁ ଆସିବା ପରେ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ଅନ୍ୟ ପିଲାଙ୍କର ମଧ୍ୟ ରକ୍ତ ନୂମନା ସଂଗ୍ରହ କରାଯାଇଛି । ଏହି ୪ ଜଣଙ୍କ ପିଲାଙ୍କ ବ୍ୟତୀତ ଆଉ କିଏ କାଳେ ସାପ କାମୁଡ଼ାର ଶିକାର ହୋଇଥିବେ ଏହି ଆଶଙ୍କା କରି ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଏପଟେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ସେହିପରି ସମସ୍ତ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ସହ ଆବାସିକ ସ୍କୁଲ ଓ ହଷ୍ଟେଲର ଭିତିଭୂମି ଯାଞ୍ଚ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ବଡ଼ କଥା ହେଉଛି ବିଗତ ୩ ଦିନ ମଧ୍ୟରେ ୨ଟି କୋଚିଂ ସେଂଟରରେ ସାପ କାମୁଡ଼ାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।