କନକ ବ୍ୟୁରୋ: ମୟୁରଭଞ୍ଜର ଦ୍ବାରଶୁଣି ଘାଟିରେ ଏକ ସଡକ ଦୁର୍ଘଟଣାରେ ୬ ଜଣ ବ୍ୟକ୍ତି ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।
ଏହାସହିତ ଆହତ ବ୍ୟକ୍ତି ମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଆଜି ମୟୂରଭଂଜ ଜିଲ୍ଲା ବାଙ୍ଗିରୀପୋଷି ନିକଟ ଦ୍ୱାରଶୁଣୀ ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଥିଲା । ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡିଲା ଯାତ୍ରା ପାର୍ଟି ଟ୍ରକ । ଟ୍ର୍କରେ ଥିବା ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ଓ ପୋଲିସ ପହଂଚି ଟ୍ରକ ତଳେ ଫସିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ । ଆହତଙ୍କୁ ମେଡିକାଲକୁ ପଠାଇଥିଲେ । ଟ୍ରକ୍ଟି ଧଉଳୀ ଗଣନାଟ୍ୟର ହୋଇଥିବା ଜଣାପଡ଼ିଛି । ଟ୍ରକର ବ୍ରେକ ଫେଲ ହୋଇଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଇଛି । ଝିପିଝିପି ବର୍ଷା ସହ କୋହଲା ପାଗ ପାଇଁ ଲୋକଙ୍କୁ ଟ୍ରକ ତଳୁ ଉଦ୍ଧାର କରିବାରେ ବିଳମ୍ବ ହୋଇଥିଲା ।