ସେୟାର ବଜାରରେ ଦୃତ ପତନ । ସେନସେକ୍ସ ୧୦୭୪ ଓ ନିଫ୍ଟ ୩୦୦ ଅଙ୍କ ଖସିଲା । ବୁଡିଗଲା ୩ ଲକ୍ଷ କୋଟି

ବୁଡିଗଲା ୩ ଲକ୍ଷ କୋଟି

275

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ଆମେରିକାରୁ ଆସୁଥିବା ସହାୟତା ପ୍ୟାକେଜ୍ ନମିଳିବାରୁ ସାରା ବିଶ୍ୱ ସେୟାର ବଜାରରେ ପତନ ଦେଖିବାକୁ ମିଳିଛି । ପ୍ରଥମେ ଏସିଆ ବଜାର ଓ ପରେ ୟୁରୋପ ବଜାର ଦ୍ରୁତ ହ୍ରାସ ପାଇଛି । ଏହାର ପ୍ରଭାବ ଘରୋଇ ସେୟାର ବଜାରରେ ବି ପରିଲକ୍ଷିତ ହୋଇଛି । ବିଏସଇର ୩୦ ସେୟାର ବାଲା ପ୍ରମୁଖ ଇଣ୍ଡେକ୍ସ ସେନସେକ୍ସ ଗୋଟିଏ ଦିନରେ ୧ ହଜାର ଅଙ୍କ ତଳକୁ ଖସିଯାଇଛି । ସେହିଭଳି ଏନଏସଇର ପ୍ରମୁଖ ବେଂଚମାର୍କ ଇଣ୍ଡେକ୍ସ ନିଫ୍ଟ ୩୦୦ ଅଙ୍କ ତଳକୁ ଖସିଛି । ସେୟାର ବଜାରରେ ଏଭଳି ହ୍ରାସ ଫଳରେ ନିବେଶକଙ୍କ ୩ ଲକ୍ଷ କୋଟି ଟଙ୍କା ବୁଡି ଯାଇଛି । ହେଲେ ବିଶେଷଜ୍ଞ ମାନେ କହିଛନ୍ତି କି ଏହାକୁ ନେଇ ନିବେଶକ ମାନେ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଏଭଳି ସ୍ଥଳେ ସେମାନେ ଅଧିକ ସେୟାର କିଣିବାର ଆବଶ୍ୟକତା ରହିଛି । ଏହା ସହ ବିଶେଷଜ୍ଞ ମାନେ କହିଛନ୍ତି କି ସେୟାର ବଜାରରେ ଏଭଳି ସ୍ଥିତି ଆହୁରି କିଛିଦିନ ଯାଏଁ ଲାଗି ରହିବ ।
ଗୁରୁବାର ଦିନ ସେନସେକ୍ସ ୧୦୭୪ ଅଙ୍କ ହ୍ରାସ ପାଇ ୩୯୭୨୦ ଅଙ୍କରେ ବନ୍ଦ ହୋଇଛି । ସେହିଭଳି ନିଫ୍ଟ ୩୦୦ ଅଙ୍କ ହ୍ରାସ ପାଇ ୧୧୬୭୧ ଅଙ୍କରେ ବନ୍ଦ ହୋଇଛି । ଅନ୍ୟପଟେ ବ୍ୟାଙ୍କ ନିଫ୍ଟ ୮୪୩ ଅଙ୍କ ହ୍ରାସ ପାଇ ୨୩୦୩୦ ଅଙ୍କରେ ବନ୍ଦ ହୋଇଛି ।
ସେନସେକ୍ସ ସୁରକ୍ଷା ଓ ଅନୁଧ୍ୟାନ ମୁଖ୍ୟ ଆସିଫ୍ ଇକ୍‌ବାଲ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି କି ସେୟାର ବଜାର ହ୍ରାସ ପାଇବାର ମୁଖ୍ୟ କାରଣ ଆମେରିକାରୁ ଆସୁଥିବା ସହାୟତା ପ୍ୟାକେଜ୍ ବନ୍ଦ ହେବା । ଏହି ଅର୍ଥ ଆମେରିକା ବଜାରରେ ଅଟକି ଯିବାରୁ ଏହାର ପ୍ରଭାବ ସାରା ବିଶ୍ୱର ଷ୍ଟକ ବଜାର ଉପରେ ପଡିଛି ।
ସେପଟେ ବୁଧବାର ଦିନ ଆମେରିକାର ବିତ୍ତମନ୍ତ୍ରୀ କହିଛନ୍ତି କି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ନସରିବା ଯାଏ ଅନ୍ୟଦେଶ ମାନଙ୍କୁ ସହାୟତା ପ୍ୟାକେଜ୍ ଦେବା ସମ୍ଭବ ନୁହେଁ । ଆସିଫ୍ ଏକଥା ବି କହିଛନ୍ତି କି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ନସରିବା ଯାଏ ସେୟାର ବଜାରରେ ଏଭଳି ଉତ୍ଥାନ ପତନ ଲାଗି ରହିବ । ଏହାକୁ ନେଇ ନିବେଶକ ମାନେ ଚିନ୍ତା କରିବାର ଆବଶ୍ୟକ ନାହିଁ କାରଣ ଏବେ ଅନେକ ଭଲ ଭଲ କମ୍ପାନୀର ସେୟାର ଆକର୍ଶଣୀୟ ଦରରେ ମିଳୁଛି ଏହା ଉପରେ ସେମାନେ ନିବେଶ କରି ଲାଭବାନ ହୋଇପାରିବେ ।