ବିରୋଧ ସତ୍ୱେ ଲୋକସଭା ପରେ ଏବେ ରାଜ୍ୟସଭାରେ ପାରିତ ହେଲା ଶ୍ରମିକ ଅଧ୍ୟାଦେଶ । ବିରୋଧି କହିଲେ ଏଭଳି ବିଧେୟକ କର୍ମଚାରୀ ମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରିବ 

2,586
କନକ ବ୍ୟୁରୋ : ୩ ଟି ନୂଆ ଶ୍ରମ ବିଧେୟକକୁ ଆଜି ରାଜ୍ୟସଭାରେ ପାରିତ କରାଯାଇଛି । ଏହି ବିଧେୟକ ପାରିତ ହେବା ପରେ ଦେଶରେ ସଂଗଠିତ ଓ ଅଣ- ସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ମାନଙ୍କୁ ଅଧିକ କିଛି ସୁବିଧା ସୋଜଗ ଯୋଗାଇ ଦେବ । ବିଧେୟକରେ ଯେ କୌଣସି କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ଦେବାର ପ୍ରାବଧାନ ରହିଛି । ସେମାନଙ୍କ ଦରମା ଡିଜିଟାଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଦେବାକୁ ହେବ । ଏହା ସହ ଉଦ୍ୟୋଗପତି ମାନଙ୍କ ବ୍ୟବସାୟରେ ଏହି ବିଧେୟକ ସହାୟକ ହେବ ବୋଲି କୁହାଯାଇଛି ।
ଏନେଇ କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାର କହିଛନ୍ତି କି ବର୍ତମାନ ଶ୍ରମିକ ମାନଙ୍କ ପାଇଁ ଯେଉଁ କାନୁନ ଅଛି ସେଥିରେ ଦୁର୍ଘଟଣା କ୍ଷେତ୍ରରେ କମ୍ପାନୀ ମାନଙ୍କ ଠାରୁ ଯେଉଁ ଜରିମାନା ରାଶି ଆଦାୟ କରାଯାଏ ତାହାର ଶତ ପ୍ରତିଶତ ସରକାରଙ୍କ ଖାତାକୁ ଯାଇଥାଏ । ହେଲେ ଏହି ନୂଆ କାନୁନ ଲାଗୁ ହେବା ପରେ କମ୍ପାନୀ ଠାରୁ ଯେଉଁ ଜରିମାନା ରାଶି ଆଦାୟ ହେବ ତା’ର ୫୦ ପ୍ରତିଶତ ପିଡୀତଙ୍କୁ ମିଳିବ । ସେ ଆହୁରି କହିଛନ୍ତି କି ଦୀର୍ଘ ୭୩ ବର୍ଷ ପରେ ଶ୍ରମ କାନୁନର ପରିବର୍ତ୍ତନ କରାଯାଇଛି । ଏହି ଶ୍ରମଆଇନ ନିଯୁକ୍ତିଦାତା ଓ ଶ୍ରମିକଙ୍କ ପାଇଁ ଲାଭ ଦାୟକ ହେବ । ଶ୍ରମିକ ସଂହିତା ପ୍ରଥମେ ସୂଚିତ ହୋଇସାରିଛି । ଏବେ ସେଥିରେ ଥିବା ୪ ସଂହିତା ମଧ୍ୟରୁ ପୁରୁଣା ୧୯ ଟି କାନୁନକୁ ଏକତ୍ରିତ କରାଯାଇଛି ।
ଏବେ ଆସନ୍ତୁ ଆଲୋଚନା କରିବା କଣ ଏହି ୩ ଟି ଶ୍ରମ ଆଇନ ଓ ସେହି ଆଇନ ଭିତରେ ଶ୍ରମିକ ଓ ନିଯୁକ୍ତିଦାତାଙ୍କ ପାଇଁ କଣ ରହିଛି ପ୍ରାବଧାନ ।
ବୃତ୍ତିଗତ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟାବସ୍ଥା କୋଡ 
ଏହି ବିଲ୍ ମାଧ୍ୟରେ କମ୍ପାନୀ ମାନଙ୍କୁ କିଛି ସୁବିଧା ଯୋଗାଇ ଦିଆଯାଇଛି । ସେଥିମଧ୍ୟରେ ରହିଛି ଛଟେଇ କରିବା, ଅଧିକରୁ ଅଧିକ ଲୋକଙ୍କୁ ଠିକା ଆଧାରରେ ଚାକିରୀ ଦେବା ଭଳି କ୍ଷମତା । ଏହି ଆଇନକୁ ଏବେ ବାଦ ଦିଆଯାଇଛି, ଯେଉଁ ଆଇନ ବଳରେ ଠିକାଦର ଅଧିନରେ କାମ କରୁଥିବା ଶ୍ରମିକଟିକୁ ଛଟେଇ କରିବାକୁ ବି ଆଇନରେ ପ୍ରତିବନ୍ଧକ ଥିଲା । ଏହି ଆଇନ ବଳରେ ଏସବୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ କମ୍ପାନୀ ମାନଙ୍କୁ ।  ଅନ୍ୟପଟେ ଏହି ଆଇନ ବଳରେ ମହିଳା ଶ୍ରମିକଙ୍କ କାମର ଅବଧି ୧୨ ଘଂଟାରୁ ୧୧ ଘଂଟାକୁ କମାଇ ଦିଆଯାଇଛି । ଅଣସଂଗଠିତ କ୍ଷେତ୍ରରେ ମହିଳା ମାନେ ସକାଳ ୬ ରୁ ସଂନ୍ଧ୍ୟା ୭ ଟା ଯାଏ କାମ କରିପାରିବେ । ସଂନ୍ଧ୍ୟା ୭ ଟା ପରେ ଯଦି ମହିଳା କର୍ମଚାରୀଙ୍କୁ କାମରେ ଲଗାଯାଏ ତାହେଲେ ତାହାର ସୁରକ୍ଷା ଦାୟିତ୍ୱ କମ୍ପାନୀ ମାନେ ନେବାକୁ ହେବ । କୌଣସି କ୍ଷେତ୍ରରେ କର୍ମଚାରୀ ମାନେ ସପ୍ତାହକୁ ୬ ଦିନରୁ ଅଧିକ କାମ କରିପାରିବେ ନାହିଁ । ଏହାର ଅର୍ଥ ପ୍ରତି ସପ୍ତାହରେ ଗୋଟିଏ ଦିନ ଛୁଟି ଦେବାକୁ କମ୍ପାନୀ ବାଧ୍ୟ ହେବ । ନିର୍ଘଣ୍ଟ ସମୟ ଠାରୁ ଅଧିକ ସମୟ କାମ କଲେ ମାଲିକଙ୍କୁ ଶ୍ରମିକ ମାନଙ୍କୁ ଦ୍ୱିଗୁଣା ପାରିଶ୍ରାମିକ ଦେବାକୁ ହେବ । ଅନ୍ୟପଟେ ବିନା ନିଯୁକ୍ତିପତ୍ରରେ କୌଣସି ଲୋକଙ୍କୁ କାମରେ ରଖିପାରିବ ନାହିଁ କମ୍ପାନୀ ।
ଶିଳ୍ପ ସଂପର୍କ କୋଡ   
ଏହି ବିଧେୟକ କାନୁନରେ ପରିଣତ ହେବା ପରେ ୩ ଶହରୁ କମ କର୍ମଚାରୀ ଥିବା କମ୍ପାନୀ ମାନେ ବିନା ସୂଚନା ଓ ବିନା ସରକାରୀ ମଞ୍ଜୁରୀରେ ତା’ର କର୍ମଚାରୀ ମାନଙ୍କୁ ଛଟେଇ କରିପାରିବ । ପୂର୍ବ ଆଇନରେ ଏଭଳି ପ୍ରାବଧାନ ବି ଥିଲା ହେଲେ ସେଥିରେ ୧ଶହ କର୍ମଚାରୀ ବିଶିଷ୍ଠ କମ୍ପାନୀ ମାନଙ୍କ ପାଇଁ ଏହି ନିୟମ ଲାଗୁ ହେଉଥିଲା । ହେଲେ ଏହି ନୂଆ ବିଧେୟକରେ ଏହାର ସୀମାକୁ ବୃଦ୍ଧି କରାଯାଇଛି ।
ଛଟେଇ ବା ସଟଡାଉନ ପାଇଁ ସେହି କମ୍ପାନୀ ମାନଙ୍କୁ ଅନୁମତି ମିଳିବ ଯେଉଁ କମ୍ପାନୀ ମାନଙ୍କର କର୍ମଚାରୀ ସଂଖ୍ୟା ପଛୁଆ ୧୨ ମାସ ଧରି ଦୈନିକ ୩ ଶହରୁ କମ୍ ଥିବେ । ସରକାରଙ୍କ ଅନୁମତି ନେଇ ମଧ୍ୟ କମ୍ପାନୀ ମାନେ ସେମାନଙ୍କର କର୍ମଚାରୀ ସଂଖ୍ୟା ବୃଦ୍ଧି କରିପାରିବେ । ଅନ୍ୟପଟେ ଏହି ଆଇନ ବଳରେ ବିଭିନ୍ନ ସମୟରେ ଅଚାନକ ହଡତାଳ କରୁଥିବା ଶ୍ରମିକ ସଂଗଠନ ଉପରେ ବି ରୋକ୍ ଲଗାଇଛି । ପୂର୍ବ କାନୁନ ମୁତାବକ ହଡତାଳ କରିବାର ୬ ସପ୍ତାହ  ପୂର୍ବରୁ କମ୍ପାନୀକୁ ଶ୍ରମିକ ସଂଗଠନ ମାନେ ୪୨ ଦିନ ପୂର୍ବରୁ ସୂଚନା ଦେବାର ପ୍ରାବଧାନ ଥିବା ବେଳେ ନୂତନ ଆଇନରେ ଏହାକୁ ବୃଦ୍ଧି କରି ୬୦ ଦିନ କରାଯାଇଛି ।
ସାମାଜିକ ସୁରକ୍ଷା କୋଡ 
 ଶ୍ରମିକ ମାନଙ୍କର ସାମାଜିକ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ଆଇନ ଅଣାଯାଇଛି । ଯେଉଁଥିରେ କି ଗୋଟିଏ ବର୍ଷ ମଧ୍ୟରେ ବି ଆପଣ ଆପଣଙ୍କ ସମ୍ପୁର୍ଣ୍ଣ ଗ୍ରାଚୁଇଟ୍ ଫଣ୍ଡ ଉଠାଇ ପାରିବେ । ଏହାସହ ଫିକ୍ସଡ୍ ବେସିସ୍ ରେ ଚାକିରୀ ମିଳିଲେ ଯେତିକି ଦିନ ପାଇଁ ସେ ଚାକିରୀ କରୁଛନ୍ତି ସେତିକି ଦିନରେ ସେମାନେ ତାଙ୍କର ଗ୍ରାଚୁଇଟ୍ ଟଙ୍କା ଉଠାଇ ପାରିବେ । ସାଧାରଣ ଭାଷାରେ କହିଲେ କଣ୍ଟାକ୍ଟ ବେସିସ୍ ରେ ଚାକିରୀ କରୁଥିବା ଲୋକମାନେ ତାଙ୍କ ଦରମା ସହିତ ଏବେ ଗ୍ରାଚୁଇଟର ସୁବିଧା ବି ପାଇପାରିବେ । ଏହି କଣ୍ଟାକ୍ଟ ଯେତେଦିନ ପାଇଁ ବି ହେଇଥାଉ ।
ଯଦି କର୍ମଚାରୀ ଚାକିରୀର ନିର୍ଦ୍ଧିଷ୍ଟ ସର୍ତ୍ତ ପୂରଣ କରନ୍ତି ତେବେ ଏକ ନିର୍ଦ୍ଧାରିତ ସୂତ୍ର ଆଧିନରେ ଗ୍ୟାରେଣ୍ଟି ଅନୁଯାୟୀ ଗ୍ରାଚ୍ୟୁଇଟି ପ୍ରଦାନ କରାଯିବ । ଗ୍ରାହକଙ୍କ ଏକ ଛୋଟଅଂଶ କର୍ମଚାରୀଙ୍କ ଦରମାରୁ କଟାଯାଏ ହେଲେ ଏକ ବଡଅଂଶ କମ୍ପାନୀ ଦ୍ୱାରା ଭରାଯାଇଥାଏ । ବିଦ୍ୟମାନ ଅବସ୍ଥା ଅନୁଯାୟୀ , ଯଦି ଜଣେ କର୍ମଚାରୀ ଅତି କମରେ ୫ ବର୍ଷ ପାଇଁ ଏକ କମ୍ପାନୀରେ କାମ କରନ୍ତି ତାହେଲେ ସେ ଗ୍ରାଚ୍ୟୁଇଟି ପାଇବାର ଅଧିକାର ଅଛି ।
କ’ଣ ଏହି ଗ୍ରାଚ୍ୟୁଇଟି ?  
ଦରମା, ପେନସନ ଏବଂ ଭବ୍ୟ ପାଣ୍ଠି ବ୍ୟତିତ, ସେହି କମ୍ପାନୀରେ ଦୀର୍ଘ ସମୟ ଧରି କାମ କରୁଥିବା କର୍ମଚାରୀଙ୍କୁ ଗ୍ରାଚ୍ୟୁଇଟି ପ୍ରଦାନ କରାଯାଏ । ଗ୍ରାଚ୍ୟୁଇଟି ଜଣେ କର୍ମଚାରୀଙ୍କ ପାଇଁ କମ୍ପାନୀ ତରଫରୁ ଏକ ପୁରସ୍କାର ଅଟେ ।  ଗ୍ରାଚ୍ୟୁଇଟି ଦେୟ ଆଇନ ୧୯୭୨ ଅଧିନରେ ଏହା ଏକ ଅନୁଷ୍ଠାନର ପ୍ରତ୍ୟେକ କର୍ମଚାରୀଙ୍କୁ ଲାଭାନ୍ୱିତ କରିଥାଏ । ଯେଉଁ କମ୍ପାନୀରେ ୧୦ ରୁ ଅଧିକ କର୍ମଚାରୀ କାମ କରୁଥାନ୍ତି । ଯଦି କର୍ମଚାରୀ ଚାକିରୀ ପରିବର୍ତ୍ତନ କରନ୍ତି, କୌଣସି କାରଣ ପାଇଁ ଚାକିରୀରୁ ଅବସର ନିଅନ୍ତି କିମ୍ବା ଛାଡି ଦିଅନ୍ତି କିନ୍ତୁ ଗ୍ରାଚ୍ୟୁଇଟି ନିୟମ ପୁରଣ କରନ୍ତି ତେବେ ସେ ଗ୍ରାଚ୍ୟୁଇଟି ଲାଭ ପାଇବାକୁ ହକ୍ ଅଟନ୍ତି ।