କନକ ବ୍ୟୁରୋ : ରାଜଧାନୀରୁ ବନ୍ଧା ହେଲେ ଜାମତାରା ଗ୍ୟାଙ୍ଗ । ୩୩ଟି ସିମ୍ କାର୍ଡରେ ୨୦ ରାଜ୍ୟରୁ ୧୭୧ ଲୋକଙ୍କୁ ଚୁନା ଲଗାଇଥିଲେ ଏହି ସାଇବର ଠକ । ତେବେ ଏହି ୩ଜଣ ଲୁଟେରା ଡିସେମ୍ବର ୨୮ତାରିଖରୁ ଭୁବନେଶ୍ୱର ଆସି ଏକ ଭଡ଼ା ଘରେ ରହି ସିଣ୍ଡିକେଟ ଚଳାଇଥିଲେ । ଏହି ଠକଙ୍କ ଓଡ଼ିଶା କନେକ୍ସନ ନେଇ କ୍ରାଇମବ୍ରାଞ୍ଚ ଖୋଳତାଡ଼ ଆରମ୍ଭ କରିଛି ।
ଚିକ୍କଣ କଥା କହି ଆକାଉଣ୍ଟରୁ ଟଙ୍କା ଗାୟବ କରିଦେଉଛନ୍ତି ଠକ । ଆପଣଙ୍କ ସହରରେ ଡେରା ପକାଇ ଆପଣଙ୍କ ଟଙ୍କା ଲୁଟି ଠକର ସହର ଜମତାରାକୁ ଫେରାର ହୋଇଯାଉଛନ୍ତି ଏହି ସାଇବର ଠକ ଗ୍ୟାଙ୍ଗ । ଗତ ଡିସେମ୍ବର ୨୮ ତାରିଖରୁ ଭୁବନେଶ୍ୱର ରସୁଲଗଡ଼ରେ ଭଡ଼ା ଘରେ ଆଡ୍ଡା ଜମାଇଥିବା ତିନି ଜମତାରା ଠକକୁ ହାତକଡ଼ି ପିନ୍ଧାଇଛି କ୍ରାଇମବ୍ରାଞ୍ଚ ।
୩୩ଟି ସିମରେ ୧୭୧ ଲୋକଙ୍କୁ ଠକେଇ । ୧୧ଟି ମୋବଇଲରେ ୨୦ଟି ରାଜ୍ୟକୁ ଟାର୍ଗେଟ୍ । କୋଲାକାତାରୁ ଡାଟା କିଣି ଓଡ଼ିଶାରେ ସିଣ୍ଡିକେଟ ଚଳାଇଥିଲେ ଏହି ଠକ ଧୁରନ୍ଧର । ବିଶେଷକରି ବ୍ୟାଙ୍କ ଡାଟା, କଷ୍ଟମର ଡିଟେଲ୍ସ, ଫୋନ ନମ୍ବର ଜାଣିବା ପାଇଁ ଏମାନେ ଦେଉଥିଲେ ମୋଟା ଅଙ୍କର ଟଙ୍କା । ଆଉ ଟଙ୍କା ମିଳିଗଲେ ହଜାର ହଜାର ଡାଟା ପଠାଇଦେଉଥିଲା କୋଲକାତା ଦଲାଲ ।
ପ୍ରଧୂନ ମଣ୍ଡଳ, ବୟସ ୨୦ ବର୍ଷ, ଶିକ୍ଷାଗତ ଯୋଗ୍ୟତା ନବମ ଶ୍ରେଣୀ
କ୍ରିଷ୍ଣା ମଣ୍ଡଳ, ବୟସ ୧୯ ବର୍ଷ, ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଛାତ୍ର
ଚେତଲାଲ ମଣ୍ଡଳ, ବୟସ ୨୮, ଶିକ୍ଷାଗତ ଯୋଗ୍ୟତା ନବମ ଶ୍ରେଣୀ
ଜମତାରାର ଏହି ତିନି ଅଭିଯୁକ୍ତ ସାରା ଦେଶରେ ପୋଲିସ୍ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିଲେ । ମାତ୍ର ୨ଟି ଲାପଟପ୍, ଗୋଟିଏ ଟ୍ୟାବ୍, ୧୧ଟି ମୋବାଇଲ ସାହାଯ୍ୟରେ ଦେଶର କୋଣ ଅନୁକୋଣର ଲୋକଙ୍କ ଆକାଉଣ୍ଟରୁ ଏମାନେ କିଛି ସେକେଣ୍ଡ ଭିତରେ ଲୁଟି ନେଉଥିଲେ କୋଟି କୋଟି ଟଙ୍କା ।
ଏହି ସାଇବର ଠକ ମାନେ ଏତେ ଚାଲାକ ଥିଲେ ଯେ, ଲୋକଙ୍କ ଟଙ୍କାକୁ ବ୍ୟାଙ୍କ ଆକାଉଣ୍ଟରେ ନନେଇ ପେଟିଏମ୍, ଗୁଗୁଲ ପେ, ଫୋନପେ ଓ ଗିଫ୍ଟ କାର୍ଡ ଜରିଆରେ ଲୁଟି ନେଉଥିଲେ । ତେବେ ସ୍ମାର୍ଟ ସିଟିରେ ଡେରା ପକାଇଥିବା ଜମତାରା ଗ୍ୟାଙ୍ଗର ଉଦ୍ଦେଶ୍ୟ କ’ଣ ଥିଲା, ତାର ତଥ୍ୟ ହାସଲ କରିବା ପାଇଁ ଅଭିଯୁକ୍ତମାନଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି କ୍ରାଇମବ୍ରାଞ୍ଚ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/01/vlcsnap-2022-01-29-19h20m03s732.png)