କାମାକ୍ଷାନଗର ଥାନା ଡିମିରିଆ ଗାଁରେ ଅଭାବନୀୟ ଘଟଣା : ସ୍ୱାମୀର ଫାର୍ସା ଚୋଟରେ ସ୍ତ୍ରୀ ଓ ୨ ଝିଅ ଗୁରୁତର

384

କନକ ବ୍ୟୁରୋ : ଢେଙ୍କାନାଳ ଜିଲ୍ଳା କାମାକ୍ଷାନଗର ଥାନାର ଡିମିରିଆ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ୱାମୀର ଫାର୍ସା ଚୋଟରେ ସ୍ତ୍ରୀ ଓ ଦୁଇଝିଅ ଗୁରୁତର ଆହତ ହୋଇଛନ୍ତି । ଆହତମାନେ ହେଉଛନ୍ତି ପତ୍ନୀ ମିନାକ୍ଷୀ, ଝିଅ ଅଞ୍ଜଳୀ ରାଉତ ଓ ନାବାଳିକା ଝିଅ ମୋନାଲିସା ରାଉତ । ଘଟଣା ଘଟିବା ପରେ ସମସ୍ତଙ୍କୁ ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମିନାକ୍ଷୀଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ‌କୁ ସ୍ଥାନାନ୍ତରିତ କରାଯାଇଛି ।

ମିଳିଥିବା ଖବର ଅନୁସାରେ, କାମଧନ୍ଦା ନକରି ଘରେ ବସିବାକୁ ପ୍ରତିବାଦ କରିବାରୁ ସ୍ତ୍ରୀ ଓ ପିଲାଙ୍କ ଉପରେ ଏପରି ଭାବେ ଆକ୍ରମଣ କରିଥିଲେ ଅଭିଯୁକ୍ତ ପ୍ରାଣବନ୍ଧୁ ରାଉତ । ଘଟଣା ଘଟିବା ପରେ ଗ୍ରାମବାସୀ ତାଙ୍କୁ କାବୁ କରି ବନ୍ଦୀ କରି ରଖିଥିଲେ ଓ ପରେ କାମାକ୍ଷାନଗର ପୁଲିସ୍‌କୁ ଖବର ଦେଇଥିଲେ । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।