କନକ ବ୍ୟୁରୋ : ଶିମିଳିପାଳରେ ବୁଲୁଛନ୍ତି ମାଳମାଳ ଶିକାରୀ । ବନ୍ଧୁକ ଧରି ଅଭୟାରଣ୍ୟ ଭିତରେ ରାଜ କରୁଛନ୍ତି ଶିକାରୀ । ଆଜି ପୁଣି ୩ଟି ବେଆଇନ୍ ବନ୍ଧୁକ ସହ ୩ ଜଣ ଶିକାରୀଙ୍କୁ ଗିରଫ କରିଛି ମୟୁରଭଞ୍ଜ ପୁଲିସ । ଶିମିଳିପାଳ ଅଭୟାରଣ୍ୟ ପାଦ ଦେଶରେ ୨ଟି ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରି ୩ଟି ଦେଶୀ ବନ୍ଧୁକ ସହିତ ୩ ଶିକାରୀଙ୍କୁ ଗିରଫ କରିଛି ମୟୁରଭଞ୍ଜ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ । ବଡସାହି ଥାନା ଅଧିନସ୍ଥ ଜଦୁନାଥପୁର ଗାଁରେ ଚଢାଉ ବେଳେ ସେହି ଗାଁର ଯଦୁନାଥ ହାଁସଦାଙ୍କ ଘରୁ ୨ଟି ବେଆଇନ୍ ବନ୍ଧୁକ ଜବତ ହୋଇଛି । ଯଦୁନାଥ ହାଁସଦାଙ୍କ ସହିତ ତାଙ୍କର ଅନ୍ୟ ୨ଜଣ ସହଯୋଗୀ ଶିକାରୀ ଠାକୁର ସିଂ ଏବଂ ମଧୁ ସିଂକୁ ପୋଲିସ ଗିରଫ କରିଛି । ବେଆଇନ୍ ଅସ୍ତ୍ରଶସ୍ତ୍ର କାରବାର ନେଇ ବଡସାହି ଥାନାରେ ଏକ ମାମଲା ରୁଜୁ ହୋଇଛି । ଅନ୍ୟ ଚଢାଉ ବେଳେ ଉଦଳା ଥାନା ଅନ୍ତର୍ଗତ କାଶୀକୁଣ୍ଡଳ ଗାଁରୁ ଏକ ଦେଶୀବନ୍ଧୁକ ମଧ୍ୟ ଜବତ ହୋଇଥିବା ମୟୂରଭଂଜ ଏସପି ସୂଚନା ଦେଇଛନ୍ତି । ତେବେ କାଶୀକୁଣ୍ଡଳ ଗାଁରୁ ପୁଲିସ କାହାରିକୁ ଗିରଫ କରିନାହିଁ ।