ହେଭିୱେଟଙ୍କ ହାତରେ ଓଜନଦାର ବିଭାଗ । ଅର୍ଥ ସମ୍ଭାଳିବେ ନିରଞ୍ଜନ, ୨ ବିଭାଗର କ୍ୟାବିନେଟ ପାହ୍ୟା ସହ ପ୍ରଫୁଲ୍ଲଙ୍କୁ ଗୃହ ରାଷ୍ଟ୍ରମନ୍ତ୍ରୀ, ପ୍ରତାପ ବୁଝିବେ ୪ ବିଭାଗର କଥା । 

866

କନକ ବ୍ୟୁରୋ : ଟାଣୁଆ ନେତାଙ୍କୁ ଟାଣୁଆ ବିଭାଗ । ଶପଥ ଗ୍ରହଣ ଉତ୍ସବ ପରେ ନବୀନଙ୍କ ନୂଆ ଟିମରେ ସ୍ଥାନ ପାଇଥିବା ୧୧ କ୍ୟାବିନେଟ ମନ୍ତ୍ରୀ ଓ ୯ ରାଷ୍ଟ୍ରମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ ହୋଇଛି । ଆଉ ଏହି ବିଭାଗ ବଣ୍ଟନ ପରେ ଫୋକସରେ ଆସିଛନ୍ତି ୩ ମନ୍ତ୍ରୀ । ଯେଉଁମାନଙ୍କୁ ନବୀନ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ । ଟାଣୁଆ ବିଭାଗର ଦାୟିତ୍ୱ ପାଇ ଫୋକସରେ ଥିବା ୩ ମନ୍ତ୍ରୀ ହେଉଛନ୍ତି ନିରଞ୍ଜନ ପୂଜାରୀ, ପ୍ରଫୁଲ୍ଲ ମଲ୍ଲିକ ଓ ପ୍ରତାପ ଜେନା । ଗୁରୁତ୍ୱପୂର୍ଣ୍ଣ ବିଭାଗ ପାଇବା ସହ ନବୀନଙ୍କ ପଞ୍ଚମ ପାଳିରେ ଏହି ୩ ନେତାଙ୍କର ଗୁରୁତ୍ୱ ବଢିଥିବା ସଂକେତ ମିଳିଛି ।

ନବୀନଙ୍କ ପଞ୍ଚମ ପାଳିର ସବୁଠୁ ସୌଭାଗ୍ୟଶାଳୀ ମନ୍ତ୍ରୀ ହୋଇଛନ୍ତି ପ୍ରଫୁଲ୍ଲ ମଲ୍ଲିକ । କାମାକ୍ଷାନଗରରୁ ବିଧାୟକ ଥିବା ପ୍ରଫୁଲ୍ଲଙ୍କ ହାତରେ ଖଣି ଓ ଇସ୍ପାତ, ପୂର୍ତ୍ତ  ବିଭାଗର କ୍ୟାବିନେଟ ପାହ୍ୟା ଓ ଗୃହ ବିଭାଗର ରାଷ୍ଟ୍ର ପାହ୍ୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ୩ ଓଜନଦାର ବିଭାଗର ଦାୟିତ୍ୱ ହିଁ ସଂକେତ ଦେଉଛି ନବୀନଙ୍କ ଭରସା ଜିତିବାରେ ସକ୍ଷମ ହୋଇଛନ୍ତି ପ୍ରଫୁଲ୍ଲ । କାରଣ ଦୀର୍ଘ ୨୨ ବର୍ଷ ଧରି ଗୃହ ବିଭାଗ ନିଜ ପାଖରେ ନବୀନ ରଖୁଥିବା ବେଳେ ଚଳିତଥର ଗୃହ ବିଭାଗର କ୍ୟାବିନେଟ ପାହ୍ୟା ନିଜେ ରଖିବା ସହ ରାଷ୍ଟ୍ରମନ୍ତ୍ରୀ ଭାବେ ପ୍ରଫୁଲ୍ଲଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯାହା ଦର୍ଶାଉଛି ନବୀନଙ୍କ ଗୁଡବୁକରେ ଶୀର୍ଷରେ ରହିଛନ୍ତି ପ୍ରଫୁଲ୍ଲ ।

ସେହିଭଳି ପୂର୍ତ୍ତ ବିଭାଗ ଭଳି ବଡ ଦାୟିତ୍ୱ ମଧ୍ୟ ପ୍ରଫୁଲ୍ଲଙ୍କ ହାତରେ ଟେକିଦେଇଛନ୍ତି ନବୀନ । ପୂର୍ବରୁ ଏହି ବିଭାଗ ନିଜ ଅଧିନରେ ରଖି ଆସୁଥିଲେ ନବୀନ । ତେବେ ବିଜେପୁର ଉପନିର୍ବାଚନ ପରେ ପୂର୍ତ୍ତ ବିଭାଗର ଦାୟିତ୍ୱ ପ୍ରଫୁଲ୍ଲଙ୍କ ହାତରେ ଦେଇଥିଲେ ନବୀନ । ଯାହାର ରିପିଟ୍ ନବୀନ ନିଜର ପଞ୍ଚମ ପାଳିରେ କରିଛନ୍ତି ।

ପ୍ରଫୁଲ୍ଲଙ୍କ ଭଳି ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଦେଇଛନ୍ତି ନବୀନ । ଅର୍ଥ ଓ ଅବକାରୀ ଭଳି ୨ଟି ଦାମିକିଆ ବିଭାଗର ମନ୍ତ୍ରୀ ଆସନରେ ନିରଞ୍ଜନଙ୍କୁ ବସାଇଛନ୍ତି ନବୀନ । ଚତୁର୍ଥ ପାଳିରେ ବାଚସ୍ପତି ଓ ପରେ ମନ୍ତ୍ରୀ ହୋଇଥିବା ନିରଞ୍ଜନ ପଞ୍ଚମ ପାଳିରେ ମଧ୍ୟ ପାୱାରଫୁଲ ରହିବେ ତାହା ତାଙ୍କୁ ମିଳିଥିବା ବିଭାଗ ସଂକେତ ଦେଇଛି ।

ସେହିଭଳି ଉପକୂଳିଆ ନେତା ଭାବେ ମାହାଙ୍ଗା ବିଧାୟକ ପ୍ରତାପ ଜେନା ନବୀନଙ୍କ ଗୁଡବୁକରେ ରହିଥିବା ତାଙ୍କ ବିଭାଗ କହୁଛି । କାରଣ ପ୍ରତାପଙ୍କ ଭାଗରେ ପଡିଛି ଓଜନିଆ ତଥା ଗୁରୁତ୍ୱପୂର୍ଣ୍ଣ ପଞ୍ଚାୟତିରାଜ, ପାନୀୟ ଜଳ, ନଗର ଉନ୍ନୟନ ଓ ଆଇନ ବିଭାଗ । ଏହି ବିଭାଗ ପୂର୍ବରୁ ପ୍ରାୟତଃ ଅନୁଭବୀ ନେତାଙ୍କୁ ଦିଆଯାଉଥିବା ବେଳେ ଚଳିତଥର ପ୍ରତାପଙ୍କ ହାତରେ ରହିଛି ଏହି ବିଭାଗ । ୪ଟି ବିଭାଗର ମନ୍ତ୍ରୀ ଦାୟିତ୍ୱରେ ରହିବା ହିଁ ସୂଚାଉଛି ନବୀନଙ୍କ ମନ୍ତ୍ରୀମଣ୍ଡଳରେ ପ୍ରତାପ ମଧ୍ୟ ବେଶ ପାୱାରଫୁଲ ହୋଇପାରନ୍ତି ।