ମଝି ରାସ୍ତାର ମୃତ୍ୟୁ: ବାପ ହାତରୁ ଝିଅକୁ ଟାଣିନେଲା, କାହାଠୁ ମାଆ ଛଡେଇନେଲା… କନ୍ଦାଇଦେଲା ଦୁର୍ଘଟଣାର ୩ ଦାରୁଣ କାହାଣୀ

1,020

କନକ ବ୍ୟୁରୋ: ମୃତ୍ୟୁ କେତେବେଳେ ଆସେ ? କେମିତି ଆସେ? କେହି ବି କହିପାରିବେ ନାହିଁ । ଏଇ ଯେମିତି ସୋର ବିଦୁ ଛକର ଛାତିଥରା ବସ ଦୁର୍ଘଟଣାରେ ଚାହୁଁ ଚାହୁଁ ଚାଲିଗଲା ୬ ଜୀବନ । ଦୁର୍ଘଟଣାରେ କିଏ ମାଆ ଓ ଭଉଣୀଙ୍କ ହରାଇଲା ତ କିଏ ମାମୁଘରେ ପହଁଞ୍ଚିବା ଆଗରୁ ତାକୁ ମୃତ୍ୟୁ ଟାଣିନେତା । ପୁଣି କାହାକୁ ବାପାର ଶକ୍ତ ହାତମୁଠାରୁ ଛଡେଇ ନେଇ ମାରିଦେଲା ମୃତ୍ୟୁ । ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ୩ ଜଣ ପିଲା ଥିବା ବେଳେ ସେମାନଙ୍କ ବୟସ ପାଖାପାଖି ୧୫ ବର୍ଷ ଭିତରେ । ଯେତେବେଳେ ମଝି ରାସ୍ତାରେ ଅଘଟଣ ପାଇଁ ସମସ୍ତେ ଅବାକ ହୋଇଛନ୍ତି ସେତେବେଳେ ଦୁର୍ଘଟଣାର ୩ ଦାରୁଣ କାହାଣୀ ସମସ୍ତଙ୍କୁ କନ୍ଦାଇ ଦେଇଛି ।

ମାଆ ସହ ଦୁଇ କୁନି ଝିଅ ବସରେ ବସିଥିଲେ । ଜଣେ ୨ ମାସର ଛୁଆ, ଆଉ ଜଣେ ୩ ବର୍ଷର ଝିଅ । ମାଆର ହାତ ଧରି, ମାଆକୁ ସାହାରା କରି ବସରେ ଯାତ୍ରା କରୁଥିଲେ ହେଲେ ବାଟ ମଝିରେ ଯମ ନେଇଗଲା ମାଆ ଓ ୨ ମାସର ଛୁଆକୁ । ଆଖି ଆଗରେ ମାଆ ଓ ଭାଇକୁ ହରାଇ ଏକା ହୋଇଯାଇଛି ଏ କଅଁଳ କଢି । ସବୁଠାରୁ ବଡକଥା ହେଉଛି କୁନି ଝିଅର କେହି ସମ୍ପର୍କୀୟ ଆସି ନାହାନ୍ତି । ଝିଅ କେଉଁଠିକାର ବି ଜଣାପଡୁନି ।

ମାମୁଘର ଛକରେ ଓହ୍ଲାଇବା ବେଳେ ୧୦ ବର୍ଷର ଝିଅକୁ ମାଡିବସିଲା ମୃତ୍ୟୁ । ମାଆ ସହ ଉଦଳାରୁ ମାମୁଘରକୁ ଯିବା ବେଳେ ମାଆ ଆଗରେ ଏମିତି ଯେ ଦୁର୍ଘଟଣା ଘଟିଯିବ କେହି ଭାବି ବି ନଥିଲେ । ମାଉସୀର ବାହାଘର ପାଇଁ କେତେ ଖୁସି ଥିଲା ଝିଅ ହେଲେ ବିଦୁ ଛକରେ ମାଆ ସହ ଓହ୍ଲାଇବା ବେଳେ ମୃତ୍ୟୁ ସବୁଦିନ ପାଇଁ ତାକୁ ସେଇଠି ହିଁ ସମାଧି ଦେଇଦେଲା ।

ସେପଟେ ମୟୂରଭଞ୍ଜରୁ ପରିବାର ସହ ଶୁଦ୍ଧିକ୍ରିୟା ସାରି ନିଜ ଘରକୁ ଫେରିବା ବେଳେ ୧୪ ବର୍ଷର ଝିଅର ଜୀବନ ଦୀପ ଲିଭାଇ ଦେଇଛି ଯମ । ବାପାଙ୍କ ହାତ ଧରି ବସ ତଳକୁ ଓହ୍ଲାଇବା ବେଳେ ମୃତ୍ୟୁ ବାପାଙ୍କ ଶକ୍ତ ହାତରୁ, ଭରସାର ହାତରୁ ଝିଅକୁ ଛଡାଇ ନେଇଛି ।
ତେବେ ଉଦଳାରୁ ଭୁବନେଶ୍ୱର ଆସୁଥିଲା ଶାନ୍ତିଲତା ବସ । ବିଦୁ ଛକରେ ଛିଡା ହୋଇଥିବା ବେଳେ ଟ୍ରକ ପଛପଟୁ ଧକ୍କା ଦେଇଥିଲା । ଆଉ ତା ପରେ ଛାରଖାର ହୋଇଯାଇଥିଲା ସବୁକିଛି । ଛାତିଥରା ଦୁର୍ଘଟଣା ସମଗ୍ର ଅଞ୍ଚଳକୁ ଦୋହଲାଇ ଦେଇଥିବା ବେଳେ ଅଘଟଣ ଆଣିଦେଇଛି ସମସ୍ତଙ୍କ ଆଖିରେ ଲୁହ ।