ନଦୀରେ ଭାସିଗଲା ଭୋଜିର ଖୁସି… ଚୋରାବାଲିରେ ଖସି ଜଳସମାଧି ନେଲେ ୩ ସାଙ୍ଗ । ମୃତ୍ୟୁ ପୂର୍ବରୁ ହୋଇଥିଲା ମସ୍ତି, କରିଥିଲେ ଭିଡିଓ…

24,525

କନକ ବ୍ୟୁରୋ: ବାଲେଶ୍ୱର ରେମୁଣାରେ ଘଟିଛି ହୃଦୟବିଦାରକ ଘଟଣା । ବଣଭୋଜି କରିବାକୁ ଯାଇ ନଦୀରେ ଭାସିଯାଇ ପ୍ରାଣ ହରାଇଛନ୍ତି ୩ ସାଙ୍ଗ, ଆଉ ଅଳ୍ପକେ ବର୍ତି ଯାଇଛନ୍ତି ୨ ଜଣ । ସମସ୍ତେ ଗୋଟିଏ ଇଂଜିନିୟରିଂ କଲେଜରେ ପଢୁଥିବା ବେଳେ ଗୋଟିଏ କ୍ଲାସରେ ମଧ୍ୟ ପଢୁଥିଲେ । ଆଉ ମୃତ୍ୟୁ ପରେ ସାମ୍ନାକୁ ଆସିଲା କେମିତି ଖୁସିର ମୁହୂର୍ତ୍ତ ବିତାଇଥିଲେ ୪ ସାଙ୍ଗ ଆଉ ଖୁସିର ସେ ମିଠା ମୁହୂର୍ତ୍ତକୁ କ୍ୟାମେରାରେ କଏଦ କରିଥିଲେ ଅନ୍ୟ ଜଣେ ସାଙ୍ଗ ।

ନଭେମ୍ବର ୧୬ । ରେମୁଣାର ତ୍ରୀବେଣୀ ଘାଟ । ମୃତ୍ୟୁର କିଛି ସମୟ ପୂର୍ବରୁ ବଣଭୋଜି କରିବାକୁ ଆସିଥିବା ଇଂଜିନିୟରିଂ ଛାତ୍ର ମଜା ମଜଲିସ କରୁଥିଲେ । ରେମୁଣା ଥାନା ଅଂଳର ତିନି ନଦୀ ବୁଢାବଳଙ୍ଗ, ସ୍ୱର୍ଣ୍ଣ ଓ ଗଙ୍ଗାହାର ନଦୀର ସଙ୍ଗମରେ ୫ ସାଙ୍ଗ ମଜା ନେଉଥିଲେ । ଏହି ଆନନ୍ଦର ମୁହୂର୍ତ୍ତକୁ ମୋବାଇଲ କ୍ୟାମେରାରେ କଏଦ କରୁଥିଲେ ଅନ୍ୟ ଜଣେ ସାଙ୍ଗ । ରୋଷେଇ ସରିବା ପରେ ସଙ୍ଗମ ଘାଟକୁ ଓହ୍ଲାଇଥିଲେ ଗାଧୋଇବା ପାଇଁ ।

ହୁଏତ ବିଧିର ବିଧାନ ଅଲଗା ଥିଲା । ହସ ଖୁସିର ପରିବେଶରେ ଦୁଃଖର କଳା ବାଦଲ ଘୋଟି ଆସିଲା । ସଙ୍ଗମ ସ୍ଥଳରେ ଗାଧୋଇବା ବେଳେ ଭୁଲରେ ଗଭୀର ଗଣ୍ଡରେ ପଡିଯାଇଥିଲେ ୫ ସାଙ୍ଗ । ତିନି ନଦୀର ସଙ୍ଗମ ସ୍ଥଳରେ ଗାଧୋଇବା ବେଳେ ଚୋରାବାଲିରେ ଗୋଡ ଖସି ଯାଇଥିଲା । ଆଉ ପାଣିର ଭଉଁରୀରୁ ବାହାରି ପାରିନଥିଲେ ୩ ସାଙ୍ଗ । ଦୁଇ ଜଣ ଜୀବନ ବିକଳରେ ପହଁରି ପହଁରି କୁଳକୁ ଫେରିଥିଲେ ।

ତେବେ ଖବର ପାଇ ନୀଳଗିରି ଓ ବାଲେଶ୍ୱରରୁ ଅଗ୍ନିଶମ ବାହିନୀ ପହଂଚି ନଦୀର ଗଭୀର ଗଣ୍ଡରୁ ୩ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ମୃତକମାନେ ହେଉଛନ୍ତି ନୀଳଗିରି ଏନଏସିର ପିୟୂଷ ନାଏକ, ମୃତ୍ୟୁଞ୍ଜୟ ମିଶ୍ର ଓ ମୟୂରଭଂଜର ଅଙ୍କିତ ପତି । ଖୁସି ମନାଇବାକୁ ଯାଇ ନଦୀର ଗର୍ଭରେ ସଲୀଳ ସମାଧି ନେବା ଘଟଣା ଏବେ ସାରା ବାଲେଶ୍ୱରରେ ଶୋକର ଛାୟା ଖେଳାଇ ଦେଇଛି ।