ଡେବ୍ୟୁ ମ୍ୟାଚରେ ସେଞ୍ଜୁରି ମାରିଲେ ନବାଗତ ୩ ବିଧାୟକ । ନବୀନଙ୍କ ପଞ୍ଚମ ପାଳିରେ ପ୍ରଥମ ଥର ବିଧାନସଭା ଆସି ମନ୍ତ୍ରୀ ହେବେ ରଘୁ, ତୁଷାର ଓ ପଦ୍ମିନୀ ।

720

କନକ ବ୍ୟୁରୋ : ରାଜନୀତିର ଡେବ୍ୟୁ ଇନିଂସରେ ସେଞ୍ଜୁରୀ ମାରିଛନ୍ତି ୩ ବିଧାୟକ । ନବୀନଙ୍କ ପଞ୍ଚମ ପାଳିର ପ୍ରଥମ ଇନିଂସରେ ପ୍ରଥମ ବିଜୟ ହାସଲ କରିଥିବା ୩ ବିଧାୟକଙ୍କୁ ପ୍ରମୋଶନ ଦେଇଛନ୍ତି ବିଜେଡି ସୁପ୍ରିମୋ । ଡେବ୍ୟୁ ଇନିଂସରେ ଶତକ ମାରିବା ଜଣେ ଖେଳାଳିଙ୍କୁ ଯେତିକି ଖୁସି ଦେଇଥାଏ ଠିକ୍ ସେହିଭଳି ରାଜନୀତିର ପ୍ରଥମ ଇନିଂସରେ ମନ୍ତ୍ରୀପଦ ପାଇବା ବିଧାୟକଙ୍କୁ ମଧ୍ୟ ସେତିକି ଖୁସି ଆଣି ଦେଇଛି । ନବୀନଙ୍କ ମନ୍ତ୍ରିମଣ୍ଡଳରେ ସେହିଭଳି ୩ ସୌଭାଗ୍ୟଶାଳୀ ବିଧାୟକ ଯିଏ ନିଜର ପ୍ରଥମ ରାଜନୈତିକ ଇନିଂସରେ ମନ୍ତ୍ରୀପଦ ପାଇଛନ୍ତି ।

ବାଲିକୁଦା-ଏରସମାରୁ ରଘୁନନ୍ଦନ ଦାଶ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ ମଧ୍ୟ ତାଙ୍କୁ ଦଳ ପକ୍ଷରୁ ବଡ ପୁରସ୍କାର ମିଳିଛି । ଖାସକରି ଦାମୋଦର ରାଉତଙ୍କୁ ପରାସ୍ତ କରିଥିବାରୁ ଦଳର ସୁପ୍ରିମୋ ରଘୁନନ୍ଦନଙ୍କୁ ମନ୍ତ୍ରୀପଦ ଦେଇ ପୁରସ୍କୃତ କରିଛନ୍ତି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ଶପଥ ନେବେ ରଘୁନନ୍ଦନ ।

ସେହିଭଳି ନବ ନିର୍ବାଚିତ କାକଟପୁର ବିଧାୟକ ତୁଷାରକାନ୍ତି ବେହେରାଙ୍କୁ ମଧ୍ୟ ପୁରସ୍କାର ବାବଦରେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି । ନିର୍ବାଚନ ପୂର୍ବରୁ ବିଜେପି ଟିକେଟକୁ ପ୍ରତ୍ୟାଖାନ କରି ବିଜେଡି ଟିକେଟରୁ ଲଢି ବିଜୟୀ ହୋଇଥିବା ତୁଷାରକାନ୍ତିଙ୍କୁ ନବୀନ ନିଜ ଟିମରେ ସାମିଲ କରିଛନ୍ତି । ଯୁବ ଚେହେରା ଭାବେ ତୁଷାରଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି । ପ୍ରଥମ ଥର ନିର୍ବାଚନ ମୈଦାନକୁ ଓହ୍ଲାଇ ବିଜୟୀ ଟୀକା ପିନ୍ଧିଥିବା ତୁଷାରଙ୍କୁ ମନ୍ତ୍ରୀପଦ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସେହିଭଳି କୋଟପାଡରୁ ପ୍ରଥମ ଥର ପାଇଁ ବିଧାୟିକା ହୋଇଥିବା ପଦ୍ମିନୀ ଦିଆନଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ନବୀନ । ବିଜେଡି ସୁପ୍ରିମୋଙ୍କ ମହିଳା କାର୍ଡରେ ପଦ୍ମିନୀଙ୍କୁ ଏହି ଗୁରୁଦାୟିତ୍ୱ ଦେବାକୁ ଯାଉଛନ୍ତି ନବୀନ । କଂଗ୍ରେସର ଗଡ ରହି ଆସିଥିବା କୋଟପାଡରେ ପ୍ରଥମ ଥର ପାଇଁ ବିଜେଡିର ବିଜୟ ବାନା ଉଡାଇଥିବାରୁ ମନ୍ତ୍ରୀପଦର ହକଦାର ହୋଇଛନ୍ତି ପଦ୍ମିନୀ ।