ଅଦିନିଆ ରଥଯାତ୍ରାକୁ ବିରୋଧ । ପୁରୀ ଓ ରାଉରକେଲାରେ ଇସ୍କନ ବିରୋଧରେ ଏତଲା, ସୌମ୍ୟରଂଜନ କହିଲେ, କରାଯାଉ ଆପୋଷ ବୁଝାମଣା-ପଂଜାବ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୁଅନ୍ତୁ ନବୀନ

208

କନକ ବ୍ୟୁରୋ : ଦେଶର ବିଭିନ୍ନ ସ୍ଥାନରେ ଇସ୍କନ ପକ୍ଷରୁ କରାଯାଉଥିବା ଅଦିନିଆ ରଥଯାତ୍ରାକୁ ତୀବ୍ର ବିରୋଧ । ଲୁଧିଆନା ସ୍ଥିତ ଇସ୍କନ ମନ୍ଦିର ନଭେମ୍ବର ମାସରେ ରଥଯାତ୍ରା ଆୟୋଜନ କରୁଛି, ଏହା ବିରୋଧରେ ପୁରୀ ଓ ରାଉରକେଲାରେ ମାମଲା ଦାୟର ହୋଇଛି । ଏହା ଦ୍ୱାରା ଶ୍ରୀଜଗନ୍ନାଥଙ୍କ ସଂସ୍କୃତିକୁ ଅସମ୍ମାନ କରାଯାଉଥିବା ଅଭିଯୋଗ ହୋଇଛି । ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି ଆପୋଷ ବୁଝାମଣା ଦ୍ୱାରା ସାରା ଦେଶରେ ପୁରୀର ବିଧି ଅନୁସାରେ ଗୋଟିଏ ତିଥିରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କରାଯାଉ । ଏ ନେଇ ପଂଜାବର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ସୌମ୍ୟରଂଜନ ।

ପଂଜାବ ଲୁଧିଆନା ସ୍ଥିତ ଇସ୍କନ ପକ୍ଷରୁ ହେଉଛି ଅଦିନିଆ ରଥଯାତ୍ରା । ଏହା ବିରୋଧରେ ଅସନ୍ତୋଷ ତେଜିବାରେ ଲାଗିଛି । ଜଗନ୍ନାଥ ସଂସ୍କୃତିକୁ ଅପମାନିତ କରୁଥିବା ଅଭିଯୋଗ କରି ଲୁଧିଆନା ଇସ୍କନ କର୍ତୃପକ୍ଷଙ୍କ ବିରୋଧରେ ପୁରୀ ସିଂହଦ୍ୱାର ଥାନାରେ ମାମଲା ଦାୟର ହୋଇଛି । ପୁରୀ ଜଗନ୍ନାଥ ସେନା ଓ ନାଗରିକ ସୁରକ୍ଷା ମଂଚ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ସେହିପରି ରାଉରକେଲା ଛେଣ୍ଡ ଥାନାରେ ମଧ୍ୟ ମାମଲା ରୁଜୁ ହୋଇଛି । ଲିଡ୍ ରାଉରକେଲା ପକ୍ଷରୁ ଦିଆଯାଇଥିବା ଏତଲାରେ ଦର୍ଶାଯାଇଛି, ତିଥି ନଥାଇ ଅଦିନରେ ରଥଯାତ୍ରା ଆୟୋଜନ କରି ଶ୍ରୀଜଗନ୍ନାଥଙ୍କ ସଂସ୍କୃତିକୁ ଅସମ୍ମାନ କରୁଛନ୍ତି ଲୁଧିଆନା ଇସ୍କନ କର୍ତୃପକ୍ଷ ।

ପ୍ରତିବର୍ଷ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ପୁରୀରେ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ତେବେ ପଂଜାବ ଲୁଧିଆନାରେ ଥିବା ଇସ୍କନ ମନ୍ଦିର ନଭେମ୍ବର ମାସରେ ରଥଯାତ୍ରା ଆୟୋଜନ କରୁଛି । ଏହା ଧର୍ମୀୟ ଭାବନାକୁ ଆଘାତ ଦେଉଥିବାରୁ ତୁରନ୍ତ ଏପରି ନିଷ୍ପତିରୁ ଲୁଧିଆନା ଇସ୍କନ କର୍ତୃପକ୍ଷ ଓହରି ଆସନ୍ତୁ ବୋଲି ଦାବି ହୋଇ ଆସୁଛି ।

ଗତ ବିଧାନସଭା ଅଧିବେଶନ ସମୟରେ ଏହି ପ୍ରସଙ୍ଗ ଉଠାଇଥିଲେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଗୋଟିଏ ତିଥିରେ ରଥଯାତ୍ରା କରାଯାଉ ବୋଲି ସେ ଦାବି କରିଥିଲେ । ସୌମ୍ୟରଂଜନ କହିଛନ୍ତି, ଜଗନ୍ନାଥ ସଂସ୍କୃତି ପ୍ରଚାର ପସାର କରିବା ଭଲ କଥା, କିନ୍ତୁ ଅଦିନିଆ ରଥଯାତ୍ରା କରିବା ଠିକ୍ ନୁହେଁ । ଲୁଧିଆନା ଇସ୍କନ ମନ୍ଦିରର ଅଦିନିଆ ରଥଯାତ୍ରାକୁ ଭୁବନେଶ୍ୱର ଇସ୍କନ ପକ୍ଷରୁ ମଧ୍ୟ ବିରୋଧ କରାଯାଇଛି । ଏପରି ନକରିବା ପାଇଁ ଚିଠି ଲେଖାଯାଇଛି ବୋଲି କହିଛନ୍ତି ଭୁବନେଶ୍ୱର ଇସ୍କନ ମନ୍ଦିରର କାର୍ଯ୍ୟକାରୀ ସଭାପତି ।

ନିକଟରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଗୋଟିଏ ଦିନରେ ରଥଯାତ୍ରା କରିବା ନେଇ ପଦକ୍ଷେପ ନେବାକୁ ଏକ ସବକମିଟି ଗଠନ କରାଯାଇଛି । ସମସ୍ତ ରାଜ୍ୟ ସରକାରଙ୍କୁ ଚିଠି ଲେଖି ନିର୍ଦ୍ଦିଷ୍ଟ ତିଥିରେ ରଥଯାତ୍ରା କରିବାକୁ ସରକାରଙ୍କୁ ଅନୁରୋଧ କରିଛି ପରିଚାଳନା କମିଟି ।