ଛତିଶଗଡରେ ଭୟାନକ ହେଉଛି କରୋନା ସ୍ଥିତି । ଏହି ୩ ଜିଲ୍ଲାରେ ଲାଗିଲା ଲକଡାଉନ । ୧୩ ତାରିଖରୁ ୭ ଜିଲ୍ଲା ସମ୍ପୂର୍ଣ୍ଣ ଠପ୍

215

କନକ ବ୍ୟୁରୋ : ଛତିଶଗଡରେ ବଢୁଥିବା କରୋନା ସଂକ୍ରମଣକୁ ଦେଖି ସରକାର ଚିନ୍ତାରେ ପଡିଯାଇଛନ୍ତି । ରାଜ୍ୟ ସରକାର ରାଜ୍ୟକୁ କରୋନା ସଂକ୍ରମଣରୁ ରକ୍ଷା କରିବାକୁ ରାୟପୁର ସମେତ ୪ ଟି ଜିଲ୍ଲାରେ ଲକଡାଉନ୍ ଲଗାଇଥିଲେ । ଏବେ ପୁଣି  ଆଉ ୩ ଟି ଜିଲ୍ଲାରେ ଲକଡାଉନ୍ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ସରକାରଙ୍କ ନିର୍ଣ୍ଣୟ ମୁତାବକ ବିଳାସପୁର, ସରଗୁଜା ଓ ସୁରଜପୁର ଜିଲ୍ଲାରେ ଲକଡାଉନ ଲାଗିବ । ଏପ୍ରିଲ ୧୩ ତାରିଖରୁ ସୁରଜପୁର ଓ ସରଗୁଜା ଜିଲ୍ଲାରେ ପୂର୍ଣ୍ଣ ଲକଡାଉନ ଲଗାଇବାକୁ ଘୋଷଣା କରାଯାଇଥିବା ବେଳେ ବିଳାସପୁରରେ ଏପ୍ରିଲ ୧୪ ତାରିଖରୁ ଲକଡାଉନ ଲାଗିବ । ଏହି ଲକଡାଉନ ବେଳେ କେବଳ ଜରୁରୀସେବାକୁ ବାଦ୍ ଦେଇ ଅନ୍ୟ ସମସ୍ତ ସେବା ବନ୍ଦ ରହିବ ।

କହିରଖୁ କି ଛତିଶଗଡରେ ଦୈନିକ ସଂକ୍ରମଣ ଲଗାତର ଭାବେ ବୃଦ୍ଧିପାଇବାରେ ଲାଗିଛି । ଏହାକୁ ନଜରରେ ରଖି ଛତିଶଗଡ ସରକାର ପୂର୍ବରୁ ୪ ଟି ଜିଲ୍ଲାରେ ଲକଡାଉନ୍ ଘୋଷଣା କରିଥିଲେ । ଏବେ ପୁଣି ୩ ଜିଲ୍ଲାରେ ଲକଡାଉନ୍ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ।  ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ସର୍ବାଧିକ ୧୪୦୯୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୯୭ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୪୬୬୮ ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୩୨,୭୭୬ ରେ ପହଂଚିଛି । ରାଜ୍ୟରେ ଏବେ କରୋନାରେ ସଂକ୍ରମିତ ହୋଇ ୮୫୮୬୦ ଜଣ ଚିକିତ୍ସିତ ହେଉଛନ୍ତି ।