କନକ ବ୍ୟୁରୋ: ଯାତ୍ରୀବାହି ବସ ଓ ବାଇକ ମୁହାଁମୁହିଁ ଧକ୍କା । ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ଲୁହୁରାପାଲି ଛକରେ ଯାତ୍ରୀବାହି ବସ ଓ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଘଟଣାସ୍ଥଳରେ ୩ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ମୃତକଙ୍କ ପରିଚୟ ମିଳିନଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଭବାନୀ ପାଟଣାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଦିଲଖୁସ୍ ନାମକ ଏକ ନାଇଟ୍ କୋଚ୍ ବସ ବଲାଙ୍ଗୀର- କଳାହାଣ୍ଡିି ୨୬ ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ କେସିଙ୍ଗା ଅଭିମୁଖେ ବାଇକ୍ରେ ଯାଉଥିବା ୩ ଜଣଙ୍କ ସହିତ ସଇଁତଳା ଥାନା ଲୁହୁରାପାଲି ଗାଁ ନିକଟରେ ସାମ୍ନା ପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ଘଟିଥିଲା।
ଖବର ପାଇ ସଇଁତଳା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ଆଜି ସକାଳେ ମୃତଦେହଗୁଡ଼ିକର ବ୍ୟବଛେଦ ପାଇଁ ବଲାଙ୍ଗୀରକୁ ପଠାଯାଇଛି। ଗୁରୁତ୍ୱପୂୂର୍ଣ୍ଣ ହେଉଛି ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୩ ଜଣ ବାଇକ ଆରୋହୀଙ୍କର କୌଣସି ପରିଚୟ ମିଳି ନାହିଁ। ଫଳରେ ସେମାନଙ୍କ ପରିବାର ଲୋକେ ଏ ଦୁର୍ଘଟଣା ସମ୍ପର୍କରେ କୌଣସି ସୂଚନା ପାଇ ନାହାଁନ୍ତି। ପୁଲିସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବାଇକ୍ର ରେଜିଷ୍ଟେସନ ନମ୍ବରକୁ ଭିତ୍ତି କରି ମୃତକମାନଙ୍କ ପରିଚୟ ଖୋଜିବାକୁ ଚେଷ୍ଟା ଚଳାଇଛି।