କନକ ବ୍ୟୁରୋ: କରୋନାରେ ଧନ ଜୀବନ ହରାଇବା ପରେ ଲୋକେ ମାନସିକ ଚାପରେ ରହିବା ସହ ଦେଶର ଆର୍ଥିକ ସ୍ଥିତି ମଧ୍ୟ ଦେବାଳିଆ ହୋଇପଡିଛି । ଏପରି ସ୍ଥଳେ ମାନବ ସମ୍ବଳକୁ ନେଇ ଦେଶ ଆଗକୁ ବଢୁଛି ସେମାନଙ୍କର ସ୍ଥିତିକୁ ଗୁରୁତ୍ୱ ଦେଉଛନ୍ତି କିଛି ଦେଶ । ଅଧିକ ଚାପରେ ନରହି ଯେପରି କାମ କରିପାରିବେ ସେଥିପାଇଁ ଏକାଧିକ ଦେଶ ମାନଙ୍କରେ ଗୃହିତ ହୋଇଛି ନୂଆ ଶ୍ରମ ଆଇନ୍ । ଏଥିରେ ସାମିଲ ହୋଇଛି ବେଲଜିୟମ୍ ।

Advertisment

ଏଣିକି ବେଲଜିୟମରେ ସପ୍ତାହରେ ମାତ୍ର ୪ ଦିନ କାମ କରିବାକୁ ପଡିବ । ବାକି ୩ ଦିନ ଛୁଟି । ଏହି ଛୁଟି ମଧ୍ୟରେ ଯଦି ଅଫିସ୍ ବସଙ୍କ ଠାରୁ ଯଦି କିଛି କଲ କିମ୍ବା ମ୍ୟାସେଜ୍ ଆସେ ତେବେ କର୍ମଚାରୀ ତାକୁ ଅଣଦେଖା କରିପାରିବେ । ଏପରି ଘୋଷଣା କରିଛନ୍ତି ବେଲଜିୟମ୍ ପ୍ରଧାନମନ୍ତ୍ରୀ ଆଲେକଜାଣ୍ଡାର୍ ଡି-କ୍ରୁ । କରୋନା ପରି ମହାମାରୀ ପରେ ଅର୍ଥବ୍ୟବସ୍ଥା ସହ କର୍ମଚାରୀଙ୍କ ଜୀବନଶୈଳୀରେ ସୁଧାର ଆଣିବାକୁ ଦେଶ ନିଜ ଶ୍ରମ ଆଇନରେ ପରିବର୍ତ୍ତନ କରିଛି ବୋଲି ଡି- କ୍ରୁ କହିଛନ୍ତି । ନିଜ ମନ୍ତ୍ରୀ ପରିଷଦଙ୍କ ସହ ଆଲୋଚନା କରିବା ପରେ ଏପରି ବର୍ତ୍ତନ ନେଇ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି ।

ଏହି ନୂଆ ଶ୍ରମ ଆଇନ ବେଶ୍ ଆକର୍ଷଣୀୟ । କାରଣ ଏଥିରେ କାମ କରିବାର ସମୟ ଅବଧି ହ୍ରାସ ପାଇଛି । ସପ୍ତାହକୁ ଦିନେ ଦୁଇ ଦିନ ନୁହେଁ ପୁରା ୩ ଦିନ ଛୁଟି ମିଳିବ । ଏହାସହ କାମ କରିବା ଦିନ ଅଫିସ ପରେ ଆଉ ବସଙ୍କୁ ଡର ରହିବ ନାହିଁ । ଅଫିସ ପରେ ବା ଛୁଟି ୩ ଦିନ ବସଙ୍କର କୌଣସି ଫୋନ୍ କଲ ବା ମେସେଜକୁ ଆଟେଣ୍ଡ କରିବାକୁ କର୍ମଚାରୀ ବାଧ୍ୟ ନୁହଁନ୍ତି । ଏପରି କଲେ ବସ୍ ମଧ୍ୟ କର୍ମଚାରୀଙ୍କ ଦରମା କାଠି ପାରିବେ ନାହିଁ । ଏହା ଦ୍ୱାରା କର୍ମଚାରୀ ନିଜକୁ ଚାପମୁକ୍ତ କରିପାରିବା ସହ ସେମାନଙ୍କର କାର୍ଯ୍ୟଦକ୍ଷତା ବଢିବ ବୋଲି ପ୍ରଧାନମନ୍ତ୍ରୀ ଡି-କ୍ରୁ କହିଛନ୍ତି ।
ଏହି ନୂଆ ଶ୍ରମ ଆଇନ ମୁତାବକ, କର୍ମଚାରୀମାନେ ଗୋଟିଏ ସପ୍ତାହରେ ନିର୍ଦ୍ଧାରିତ କାର୍ଯ୍ୟ ସମୟଠାରୁ ଅଧିକ କାମ କରି ଆସନ୍ତା ସପ୍ତାହରେ କମ୍ ସମୟ ପାଇଁ କାମ କରିପାରିବେ । ତେବେ ଏହି ସୁବିଧା କେବଳ ବଡ ବଡ କମ୍ପାନୀ ଗୁଡିକରେ ଲାଗୁ ହେବ । ଆଉ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମସ୍ତ କର୍ମଚାରୀ ଏକା ଦିନରେ ୩ ଦିନର ସପ୍ତାହନ୍ତ ଛୁଟିରେ ରହିପାରିବେ ନାହିଁ । ଏଥିପାଇଁ ତାଙ୍କୁ ଅଫିସ୍ ମୁଖ୍ୟଙ୍କୁ ଜଣାଇବାକୁ ପଡିବ । ଫଳରେ ଜଣଙ୍କ ଅନୁପସ୍ଥିତିରେ ଅନ୍ୟ ଜଣେ କର୍ମଚାରୀ କାମ କରିବେ । ବେଲଜିୟମର ଏହି ନୂଆ ଆଇନ୍ ସେଠିକାର ସଂସଦରେ ପାରିତ ହେବା ପରେ ଏହାକୁ ଆସନ୍ତା ବର୍ଷ ଠାରୁ ଲାଗୁ କରାଯିବ ବୋଲି ଡି- କ୍ରୁ ସୂଚନା ଦେଇଛନ୍ତି ।

ଏପରି ଶ୍ରମ ଆଇନ୍ ପୂର୍ବରୁ ସ୍କଟଲ୍ୟାଣ୍ଡ, ଆଇସଲ୍ୟାଣ୍ଡ, ସ୍ପେନ୍ ଓ ଜାପାନରେ ଗତ ବର୍ଷ ଠାରୁ ଲାଗୁ ହୋଇସାରିଛି । ଏହାସହ ସଂଯୁକ୍ତ ଆରବ ଏମିରାତରେ ମଧ୍ୟ ଡିସେମ୍ବର ଠାରୁ ଔପଚାରିକ ଭାବେ ଚାରି ଦିବସୀୟ କାର୍ଯ୍ୟ ସପ୍ତାହ ଆରମ୍ଭ ହୋଇଛି । ତେବେ କର୍ମଚାରୀଙ୍କୁ ଏପରି ୩ ଦିନ ଛୁୁଟି ଦେବାରେ ଆରବ ଏମିରାତ ହେଉଛି ପ୍ରଥମ ଦେଶ ।