କର୍ମଚାରୀଙ୍କ ପାଇଁ ଖୁସିଖବର । ଏଣିକି ସପ୍ତାହକୁ ୩ ଦିନ ଛୁଟି, ୮ ଘଣ୍ଟା ବଦଳରେ କରିବାକୁ ପଡିବ ୬ ଘଣ୍ଟା କାମ । ଜାଣନ୍ତୁ କେଉଁ ଦେଶରେ କର୍ମଚାରୀଙ୍କୁ ମିଳିବ ଏଭଳି ସୁବିଧା ।

612

ଚାକିରି କରୁଥିବା ଅଧିକାଂଶ ବ୍ୟକ୍ତି ସବୁବେଳେ ଛୁଟିକୁ ଅପେକ୍ଷା କରିଥାନ୍ତି । କାରଣ କାର୍ଯ୍ୟବସ୍ତତା ଭିତରେ ସବୁକିଛି ପଛରେ ରହି ଯାଇଥାଏ । ନା କର୍ମଚାରୀ ମାନେ ନିଜ ପରିବାରକୁ ସମୟ ଦେଇପାରନ୍ତି ନା ଅନ୍ୟ କୌଣସି କାମରେ ମନୋନିବେଶ କରିପାରନ୍ତି । ଅଫିସ କାମ ଓ ଘର କାମ ମଧ୍ୟରେ ରୁନ୍ଧି ହୋଇଯାଆନ୍ତି ଅଧିକାଂଶ କର୍ମଚାରୀ । ତେଣୁ ଅଫିସ କାମରୁ ଟିକିଏ ଫୁରସତ ପାଇବା ପାଇଁ ସପ୍ତାହରେ ମିଳିବାକୁ ଥିବା ଗୋଟିଏ ଛୁଟିକୁ ଚାତକ ଭଳି ଚାହିଁ ରହିଥାନ୍ତି ଅଧିକାଂଶ କର୍ମଚାରୀ । ଅଧିକାଂଶ ଦେଶରେ କର୍ମଚାରୀଙ୍କ ଅବସ୍ଥା ଏହିଭଳି । କିନ୍ତୁ ଏହି ଦେଶ ଗୁଡିକ ଭିତରେ ବ୍ୟତିକ୍ରମ ପାଲଟିବାକୁ ଯାଉଛି ଫିନଲାଣ୍ଡ ।

ଫିନଲାଣ୍ଡରେ କର୍ମଚାରୀଙ୍କ ପାଇଁ ଖୁସି ଖବର । ଏଣିକି ସପ୍ତାହରେ ଆଉ ଗୋଟିଏ ଦିନ ନୁହେଁ ବରଂ ୩ ଦିନ ଛୁଟି ପାଇବେ କର୍ମଚାରୀ । ସପ୍ତାହରେ କର୍ମଚାରୀଙ୍କୁ ମାତ୍ର ୪ ଦିନ କାମ କରିବାକୁ ପଡିବ । ଏପରିକି କର୍ମଚାରୀଙ୍କୁ ୮ ଘଣ୍ଟା ନୁହେଁ ବରଂ ୬ ଘଣ୍ଟା ଅଫିସରେ କାମ କରିବାକୁ ପଡିବ । ଏଭଳି ଏକ ପ୍ରସ୍ତାବ ଫିନଲାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ସନା ମେରିନ ଆଣିଛନ୍ତି । ୩୪ ବର୍ଷିୟା ସନାଙ୍କୁ ନେଇ ଏହାପୂର୍ବରୁ ମଧ୍ୟ ଜୋରଦାର ଚର୍ଚ୍ଚା ହୋଇଥିଲା । ଯେତେବେଳେ ସେ ବିଶ୍ୱର ସବୁଠୁ କମ ବୟସର ପ୍ରଧାନମନ୍ତ୍ରୀ ହେବାର ରେକର୍ଡ କରିଥିଲେ ।

ଏଭଳି ପ୍ରସ୍ତାବ ଆଣିବା ନେଇ ସନା କହିଛନ୍ତି, ଏହାଦ୍ୱାରା କର୍ମଚାରୀ ମାନେ ପରିବାରକୁ ଅଧିକ ସମୟ ଦେଇପାରିବେ ଓ ନିଜର ଅଧୁରା ସୌକକୁ ମଧ୍ୟ ପୂରଣ କରିପାରିବେ । ଆଉ ସନାଙ୍କ ଏଭଳି ନିଷ୍ପତିକୁ ଫିନଲାଣ୍ଡବାସୀ ସ୍ୱାଗତ କରିଛନ୍ତି । କିଛି ସର୍ଭେ ରିପୋର୍ଟ ଅନୁଯାୟୀ, କର୍ମଚାରୀ ଅଳ୍ପ ଚାପରେ ଓ କମ ସମୟ କାମ କଲେ ଭଲ ରେଜଲ୍ଟ ମିଳିଥାଏ । ଏପରିକି କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ମଧ୍ୟ ବଢିଥାଏ । ଏହାପୂର୍ବରୁ ମାଇକ୍ରୋସଫ୍ଟ କମ୍ପାନି ଜାପାନରେ କର୍ମଚାରୀଙ୍କୁ ସପ୍ତାହକୁ ୪ ଦିନ ଛୁଟି ଦେଇ ଏହାକୁ ପରୀକ୍ଷଣ ମଧ୍ୟ କରିଛି । ସେହିଭଳି ମେଲବର୍ଣ୍ଣର ଏକ ସଙ୍ଗଠନ କର୍ମଚାରୀଙ୍କୁ ଦୈନିକ ୮ ଘଣ୍ଟା ବଦଳରେ ୬ ଘଣ୍ଟା କାମ କରାଇ ସର୍ଭେ କରିଥିଲା । ଆଉ ଏହାର ଭଲ ଫଳାଫଳ ସଙ୍ଗଠନକୁ ମିଳିଥିଲା । ଏହାଦ୍ୱାରା କର୍ମଚାରୀ ମାନେ ଅଧିକ ସୁସ୍ଥ ଓ ଆକ୍ଟିଭ ରହୁଥିବାର ଦେଖିବାକୁ ମିଳିଥିଲା । ଯାହାଦ୍ୱାରା କାର୍ଯ୍ୟକ୍ଷେତ୍ରରେ ଏହାର ସିଧାସଳଖ ପ୍ରଭାବ ପଡିଥିବାର ଦେଖିବାକୁ ମିଳିଥିଲା ।