କନକ ବ୍ୟୁରୋ : ବାହାଘରକୁ ଚାରି ଦିନ ପୂରିନି । ଚାଲିଗଲା ନବ ଦମ୍ପତିଙ୍କ ଜୀବନ । ଭାଲେଣ୍ଟାଇନ୍ ଡେ’ର ଦିନକ ପୂର୍ବରୁ ଆସିଲା ଦୁଃଖଦ ଖବର । ସଡ଼କ ଦୁର୍ଘଟଣାରେ ଏକାସାଙ୍ଗେ ଆରପାରିକୁ ଚାଲିଗଲେ ସ୍ୱାମୀ ସ୍ତ୍ରୀ । ନୂଆ ଜୀବନ ଆରମ୍ଭ ପାଇଁ ଆଶା ବାନ୍ଧିଥିବା ପ୍ରବଣିକା ଓ ଜି. ବେଣୁଙ୍କ ସ୍ୱପ୍ନ ନିମିଷକରେ ଭାଙ୍ଗିରୁଜି ଚୁରମାର ହୋଇଯାଇଛି । ଗତ ୧୦ ତାରିଖରେ ବ୍ରହ୍ମପୁରର ସିଏଚ୍ ପ୍ରବଣିକା ଓ ଇଚ୍ଛାପୁର ଅଞ୍ଚଳର ଜି. ବେଣୁ ଗତ ୧୦ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

Advertisment

ବିବାହକୁ ମାତ୍ର ୩ ଦିନ ହୋଇଥିଲା । ବିବାହ ପରେ ପରମ୍ପରା ରକ୍ଷା କରିବାକୁ ପ୍ରଥମ ଥର ପତ୍ନୀଙ୍କ ସହ ଶ୍ୱଶୁର ଘରକୁ ଆସିଥିଲେ । ହେଲେ ଶ୍ୱଶୁର ଘରେ ପହଞ୍ଚି ପାରିଲେନି ଜ୍ୱାଇଁ କିମ୍ବା ନବ ବିବାହିତା ଝିଅ । ବାଇକରେ ସ୍ୱାମୀ-ସ୍ତ୍ରୀ ଆସୁଥିବା ବେଳେ ଜାତୀୟ ରାଜପଥ-୧୬ରେ ଜଗି ବସିଥିଲା ଯମ । ବ୍ରହ୍ମପୁର ଉପକଣ୍ଠ ଗୋଳନ୍ଥରା ଥାନା ସମ୍ମୁଖରେ ହେଲା ମର୍ମନ୍ତୁଦ ଦୁର୍ଘଟଣା । ଗୋଲନ୍ଥରା ଥାନା ସମ୍ମୁଖରେ ଥିବା ବୁଲାଣିରେ ଯାଉଥିବା ବେଳେ ଅପରପାଶ୍ୱର୍ରୁ ଆସୁଥିବା ଏକ ଟ୍ରକ ବାଇକକୁ ଧକ୍କା ଦେଇଥିଲା । ଦମ୍ପତି ରାସ୍ତାକଡ଼କୁ ଛିଟକି ପଡ଼ି ଗୁରୁତର ହୋଇଥିଲେ ।

ଗୋଳନ୍ଥରା ଥାନା ପୋଲିସ ଉଭୟଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତି କରିଥିଲା । ଚିକିତ୍ସିତ ହେଉଥିବା ବେଳେ ନବଦମ୍ପତିଙ୍କର ମୃତ୍ୟୁ ହୋଇଛି । ଖବର ପାଇବା ପରେ ଉଭୟ ପରିବାରଙ୍କ ଘର କାନ୍ଦବୋବାଳିରେ ଫାଟି ପଡୁଛି । ସ୍ତବ୍ଧ ହୋଇଯାଇଛନ୍ତି ଉଭୟ ପୁଅ ଓ ଝିଅ ଘର ଲୋକେ । ଦୁର୍ଘଟଣା ଘଟାଇବା ପରେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।