କନକ ବ୍ୟୁରୋ: ବିଡମ୍ବନାର ବିଷୟ ସରକାରୀ ଉଦାସୀନତା ଯୋଗୁଁ, ଏପର୍ଯ୍ୟନ୍ତ ଯେତିକି ଲୋକଙ୍କୁ ପିଏମ ଆବାସ ଯୋଜନାରେ ଘର ମିଳିବା କଥା, ସେତିକି ଲୋକଙ୍କୁ ଘର ମିଳିପାରିନାହିଁ। ହେଲେ ରାଜ୍ୟରେ ଡବଲ ଇଞ୍ଜିନ ସରକାର ହେବା ପରେ ଏହି ଆଶା ବଢ଼ି ଯାଇଛି। ଆଉ ଯେତେବେଳେ ପ୍ରଧାନମନ୍ତ୍ରୀ ଆବାସକୁ ନେଇ ବଡ ଘୋଷଣା କରିଛନ୍ତି, ସେତେବେଳ ଏହି ଆଶା ଆହୁରି ବଢ଼ି ଯାଇଛି।

  • ପିଏମ ଆବାସକୁ ନେଇ କେନ୍ଦ୍ରର ବଡ଼ ଘୋଷଣା
  • ଦେଶରେ ତିଆରି ହେବ ୩ କୋଟି ଘର
  • ଓଡିଶାକୁ ଆସିବ କେତେ ?

ଉଭୟ ଗ୍ରାମୀଣ ଓ ସହର ପାଇଁ ସମଗ୍ର ଦେଶରେ ୩ କୋଟି ଘର ନିର୍ମାଣ କରିବା ଲାଗି କ୍ୟାବିନେଟରେ ଗୁରୁତ୍ୱପୁର୍ଣ୍ଣ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ୫ ଲକ୍ଷ ୩୬ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଏବଂ ସହରୀ ଯୋଜନାର ସମୟ ସୀମାକୁ ୫ ବର୍ଷ ମଧ୍ୟ ବୃଦ୍ଧି କରାଯାଇଛି । ତେବେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଓଡିଶାକୁ କେତେ ଘର ମିଳିବ ତାକୁ ନେଇ ଉଠିଛି ପ୍ରଶ୍ନ । ଓଡ଼ିଶାର ଗରିବ ତଥା ଯୋଗ୍ୟ ହିତାଧିକାରୀମାନେ ପକ୍କା ଘର ପାଇପାରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପୂର୍ବର ବିଜେଡ଼ି ସରକାର ଅଧିକ ଆବାସ ଘର ମିଳିବା ନେଇ ଦାବି କରି ଆସୁଥିଲା । ଏବେ ଘୋଷଣାର ସିଂହ ଭାଗ ଓଡିଶା ପାଇବା ପାଇଁ ଯୋଗ୍ୟ ବୋଲି ଦାବି କରିଛି ବିଜେଡ଼ି । ସେହିଭଳି ଡବଲ ଇଞ୍ଜିନ ସରକାରରେ ଡବଲ ଫାଇଦା ମିଳୁଛି ଏବଂ ବିଜେପି ସରକାର ସମୟରେ ହିଁ ଓଡିଶାକୁ ଅନୁଦାନ ମିଳିଛି ବୋଲି ଜବାବ ଦେଇଛି ବିଜେପି।

ସୂଚନାଯୋଗ୍ୟ ଯେ, ଚଳିତ ବିଧାନସଭାରେ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ରାଜ୍ୟରେ ୨୦୧୪-୧୫ରୁ ଏପର୍ଯ୍ୟନ୍ତ ୪୨, ୧୮, ୩୬୪ଟି ଗ୍ରାମୀଣ ଘର ଲାଗି ମଞ୍ଜୁରୀ ମିଳିଛି । ୩୬, ୫୭, ୮୪୭ଟି ଘର ସମ୍ପୂର୍ଣ୍ଣ ହୋଇପାରିଛି । ସେହିଭଳି ସହର ଅଞ୍ଚଳରେ ୧, ୮୪, ୬୨୭ଟି ଗୃହ ନିର୍ମାଣ ଲାଗି କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି । ସେଥିମଧ୍ୟରୁ ୧, ୨୮, ୯୭୬ ବାସଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ।