ଘରକୁ ଆସିବେ ନାହିଁ କୁଣିଆ, ଗାଁକୁ ବାହାର ଲୋକଙ୍କ ପ୍ରବେଶ ମନା । ଗାଁ ପ୍ରବେଶ ପଥରେ ବାଉଁଶ ବାଡ ଦେଇ ଜଗି ରହିଛନ୍ତି ୩ ମହିଳା କରୋନା ଯୋଦ୍ଧା ।

419

କନକ ବ୍ୟୁରୋ: କୁଣିଆକୁ ଘରେ ପ୍ରବେଶ ମନା, ଗାଁ ସୁରକ୍ଷାରେ ନିଜକୁ ନିୟୋଜିତ କରିିଛନ୍ତି କରୋନା ଯୋଦ୍ଧା  । ଅବାଧଞ୍ଚଳ ନାହିଁ କିମ୍ବା ଗାଁରେ କେହି ସଂକ୍ରମିତ ନାହାନ୍ତି । ତଥାପି ଗାଁର ପ୍ରବେଶ ଦ୍ୱାରକୁ ବାଉଁଶ ବାଡରେ ଆବଦ୍ଧ କରି ଜଗିରହିଛନ୍ତି ଆଶାଦିଦି, ଅଙ୍ଗନବାଡି ଦିଦି ଓ ଓାର୍ଡ ମେମ୍ବର । ସେମାନଙ୍କ ଗୋଟିଏ ଲକ୍ଷ୍ୟ ଗାଁରେ ମହାମାରୀ କରୋନା ପ୍ରବେଶ ନକରୁ ଓ କେହି କରୋନାରେ ସଂକ୍ରମିତ ନହୁଅନ୍ତୁ  ।

  • ଘରକୁ କୁଣିଆଙ୍କ ପ୍ରବେଶ ମନା
  • ଗାଁ ଜଗିଛନ୍ତି ୩ କରୋନା ଯୋଦ୍ଧା

ରାୟଗଡା ଜିଲ୍ଲା ସଦର ମହକୁମାରେ ଥିବା ଝାଙ୍ଗିଡି ଗାଁର ପ୍ରବେଶ ପଥରେ ବାଉଁଶ ବାଡ ଦିଆଯାଇଛି । କରୋନା ଗତିପଥରେ ବାଡ ହୋଇ ଠିଆ ହୋଇଛନ୍ତି ୩ ମହିଳା କରୋନା ଯୋଦ୍ଧା । ଗାଁକୁ ସଂକ୍ରମଣ  ଦାଉରୁ ରକ୍ଷା କରିବାକୁ ଅଂଟା ଭିଡିଛନ୍ତି ଆଶା ଦିଦି ସାବିତ୍ରି ପୁଆଲା, ଅଙ୍ଗନବାଡି ଦିଦି ଅରୁଣା ମେଲକା ଓ ଓାର୍ଡ ମେମ୍ବର କୁନି ପୁଆଲା । କରୋନା ସଂପର୍କରେ ଦିଆଯାଇଥିବା ପ୍ରଶିକ୍ଷଣକୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି ଏହି ୩ କରୋନା ଯୋଦ୍ଧା ।

୮୯ ଟି ଆଦିବାସୀ ପରିବାର ରହୁଥିବା ଏହି ଗାଁକୁ ଏବେ କୁଣିଆ ଆସିବା ମନା । ଗାଁର କୌଣସି ବ୍ୟକ୍ତି ବାହାରକୁ ଗଲେ ଫେରିବା ବେଳେ ସାବୁନରେ ହାତ ଧୋଇ, ସାନିଟାଇଜ୍ ହେବା ପରେ ଗାଁକୁ ପ୍ରବେଶ କରୁଛନ୍ତି । ଏହି ଯୋଦ୍ଧାଙ୍କ ଉଦ୍ୟମ ଯୋଗୁଁ ଝାଙ୍ଗିଡିର ପାଖ ଗାଁରେ ଅନେକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ବି, ଏଯାଏଁ ଝାଙ୍ଗିଡି ଗାଁରେ କରୋନା ପ୍ରବେଶ କରି ପାରିନାହିଁ । ଆଶାଦିଦି, ଅଙ୍ଗନବାଡି ଦିଦି ଓ ୱାର୍ଡ ମେମ୍ବରଙ୍କ ଏଭଳି ପ୍ରୟାସକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି  । ଗ୍ରାମବାସୀମାନେ ମଧ୍ୟ ଏମାନଙ୍କୁ ସହଯୋଗ କରୁଛନ୍ତି ।