ଲାଞ୍ଚ ନେଇ ବିଦା ହେଲେ ପୋଲିସ ବାବୁ । ଭିଡିଓ ଭାଇରାଲ ପରେ ୩ ଲାଞ୍ଚୁଆ ପୋଲିସ କର୍ମଚାରୀ ହେଲେ ନିଲମ୍ବିତ ।

311

କନକ ବ୍ୟୁରୋ : କାଠ ଚାଲାଣକାରୀଙ୍କ ଠାରୁ ମାମଲାର ରଫାଦଫା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେବା ଘଟଣାରେ ୫ଟି ଚୋଟ ପଡ଼ିଛି । ସମ୍ବଲପୁର ଏସ୍‌ପି କନଓ୍ଵର ବିଶାଳ ସିଂ ଆଜି ତିନିଜଣ ଲାଞ୍ଚୁଆ ପୁଲିସଙ୍କୁ ନିଲମ୍ବିତ କରିଥିବା ବେଳେ ଜଣେ ଥାନା ଅଧିକାରୀଙ୍କୁ ବଦଳି କରିଥିବା ଜଣାଯାଇଛି। ଯୁଯୁମରା ଥାନାର ହାବିଲଦାର ବିରଞ୍ଚି ବେହେରା, ଡ୍ରାଇଭର ଜଗନ୍ନାଥ ଜେନା ଓ କନେଷ୍ଟବଳ ପ୍ରଶାନ୍ତ ପ୍ରଧାନଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଥାନା ଅଧିକାରୀ ଲୋକନାଥ ସାହୁଙ୍କୁ ବଦଳି ହୋଇଛି ।

ସୂଚନା ଅନୁସାରେ ଜିଲ୍ଲା ଯୁଯୁମୁରା ଥାନା ବାଗଦଫା ଗ୍ରାମର ଡିଲେଶ୍ୱର ଦୁତିଆଚାନ୍ଦଙ୍କ ଠାରୁ ପୁଲିସ୍‌ ୨୦ ହଜାର ଟଙ୍କା ଲାଞ୍ଚ ନେବା ଘଟଣା ସମ୍ପର୍କରେ ଶନିବାର ଖବର ପ୍ରକାଶ ପାଇଥିଲା । ଏହି ଘଟଣାକୁ ଗୁରୁତର ସହ ନେଇ ସମ୍ବଲପୁର ଏସ୍‌ପି କନୱର ବିଶାଳ ସିଂ ତଦନ୍ତ ନିର୍ଦ୍ଦେଶ ଦେବା ସହ ଅଭିଯୋଗ ପ୍ରମାଣିତ ହେଲେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ପ୍ରଦାନ କରିଥିଲେ ।

ତେବେ ରବିବାର ସକାଳୁ ଅତିରିକ୍ତ ଏସ୍‌ପି. ପି.କେ.ମହାପାତ୍ରଙ୍କ ନେତୃତ୍ୱରେ ଏକ କମିଟି ଘଟଣାର ତଦନ୍ତ କରିବା ପରେ ଲାଞ୍ଚ ନେବା ଘଟଣାର ସତ୍ୟତା ପଦାରେ ପଡ଼ିଥିଲା । ସନ୍ଧ୍ୟାରେ ଏହି ଘଟଣାରେ ବିରଞ୍ଚି ବେହେରା, ଜଗନ୍ନାଥ ଜେନା ଓ ପ୍ରଶାନ୍ତ ପ୍ରଧାନଙ୍କୁ ନିଲମ୍ବନ କରାଯାଇଛି । ଅପରପକ୍ଷେ, ଏହି ଘଟଣାରେ ଥାନା ଅଧିକାରୀ ଲୋକନାଥ ସାହୁଙ୍କ ସମ୍ପୃକ୍ତି ସନ୍ଦେହଜନକ ଥିବାରୁ ତାଙ୍କୁ ମଧ୍ୟ ଯୁଯୁମୁରା ଥାନାରୁ ଜିଲ୍ଲା ପୁଲିସ୍‌ ମୁଖ୍ୟାଳୟକୁ ବଦଳି କରାଯାଇଛି ।

ଉଲ୍ଲେଖଯୋଗ୍ୟ, ଗତ ବୁଧବାର ଯୁଯୁମୁରା ଥାନା ବାଗଦଫା ଗ୍ରାମର ଶ୍ରୀ ଦୁତିଆଚାନ୍ଦ ଘର ଦୁଆର ବନ୍ଧ ପାଇଁ ନିକଟସ୍ଥ ଜଙ୍ଗଲରୁ ଏକ ବିଜା ଗଛ କାଟି ବାଇକ୍‌ ଯୋଗେ ଘରକୁ ଆଣୁଥିଲେ । ଏହି ସମୟରେ ବାଗଦଫା ଗ୍ରାମ ବନଦୁର୍ଗା ମନ୍ଦିର ସମ୍ମୁଖରେ ଯୁଯୁମୁରା ଥାନାର ଗାଡ଼ି ସହ ସେ ମୁହାଁମୁହିଁ ହୋଇଥିଲେ । ତେବେ ବେଆଇନ୍‌ କାଠ ଚାଲାଣ କରୁଥିବାରୁ ଉପସ୍ଥିତ ପୁଲିସ୍‌ ତାଙ୍କୁ ଉଠେଇନେବା ସହ କାଠ ଚାଲାଣ ହେଉଥିବା ଗାଡ଼ିକୁ ମଧ୍ୟ ଜବତ କରିଥିଲା । ମାତ୍ର କିଛି ବାଟ ଯିବା ପରେ ଦୁତିଆଚାନ୍ଦ ମାମଲା ରଫାଦଫା କରିବାକୁ ଅନୁରୋଧ କରିଥିଲେ । ତେବେ ଗାଡ଼ିର ଦାମ୍‌ ୫୦ ହଜାର ଟଙ୍କା ହୋଇଥିବାରୁ ୪୦ ହଜାର ଟଙ୍କା ଦେଲେ ମାମଲା ରଫାଦଫା କରିବା ସାଙ୍ଗକୁ ଗାଡ଼ି ମଧ୍ୟ ଫେରସ୍ତ କରିବାକୁ ପୁଲିସ୍‌ ପ୍ରତିଶ୍ରୁତି ଦେଇଥିଲା । ତେବେ ଆପୋଷ ଆଲୋଚନା ପରେ ୨୦ ହଜାର ଟଙ୍କାରେ କଥା ଛିଣ୍ଡିଥିଲା ।