ପ୍ଲାଜମା ଦେଲା ନୂଆ ଜୀବନ : ପ୍ଲାଜମା ନେଇ ସୁସ୍ଥ ହେଲେ ଗଂଜାମର ୩ କରୋନା ରୋଗୀ । ଟୁଇଟ କରି ସୂୁଚନା ଦେଲେ ଜିଲ୍ଲାପାଳ । କରୋନାରୁ ସୁସ୍ଥ ଲୋକଙ୍କୁ ପ୍ଲାଜମା ଦାନ ପାଇଁ ନିବେଦନ

126

କନକ ବ୍ୟୁରୋ : ଗଂଜାମରେ କରୋନା ଭୂତାଣୁ ସଂକ୍ରମଣ ବଢୁଥିବା ବେଳେ କିଛି ଆଶ୍ୱସ୍ତିକର ଖବର ଆସିଛି । ମହାମାରୀ ଭିତରେ ନୂଆ ଆଶା ସଂଚାର କରିଛି ପ୍ଲାଜମା ଥେରାପି । ଗଂଜାମ ଟାଟା ହସ୍ପିଟାଲରେ ପ୍ଲାଜମା ଥେରାପି ଦ୍ୱାରା ଚିକିତ୍ସିତ ହୋଇଥିବା ୩ ଗୁରୁତର ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଟାଟା ହସ୍ପିଟାଲରେ ପ୍ରଥମ ଥର ପାଇଁ ପ୍ଲାଜମା ଥେରାପି ଦ୍ୱାରା ଏହି ସଂକ୍ରମିତମାନେ ସୁସ୍ଥ ହୋଇଛନ୍ତି । ଏନେଇ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି । ଏହାସହ କରୋନା ଭୂତାଣୁ ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ଲୋକଙ୍କୁ ପ୍ଲାଜମା ଦାନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।

ଏହାପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇ ପ୍ଲାଜମା ଥେରାପି ନେଇ ସୁସ୍ଥ ହୋଇଥିଲେ ଜଣେ ମହିଳା । କଟକ ଅଶ୍ୱିନୀ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ୪୮ ବର୍ଷିୟ ମହିଳା ପ୍ଲାଜମା ଥେରାପି ନେଇ ସୁସ୍ଥ ହୋଇଛନ୍ତି । ଏବେ ପୁଣି ଗଂଜାମରେ ୩ଜଣ ସଂକ୍ରମିତ ସୁସ୍ଥ ହେବା ପରେ ଏହି ଚିକିତ୍ସା ମାଧ୍ୟମରେ ଅଧିକ ରୋଗୀ ସୁସ୍ଥ ହୋଇପାରିବେ ବୋଲି ଆଶା ସଂଚାର ହୋଇଛି ।

ପ୍ଲାଜମା  ଚିକିତ୍ସାରେ ଆକ୍ରାନ୍ତ ବ୍ୟକ୍ତିର ଶରୀରରେ ଆଂଟିବଡି ବା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଉଦ୍ୟମ କରାଯାଏ । ରକ୍ତର ପ୍ରାୟ ୫୫ ପ୍ରତିଶତ ଅଂଶ ହେଉଛି ପ୍ଲାଜମା । ଏଥିରେ ଜଳ, ଲୁଣ, ଏନଜାଇମ୍, ଆଂଟିବଡି ଓ ଅନ୍ୟାନ୍ୟ ପ୍ରୋଟିନ ରହିଛି । କରୋନାରେ ଜଣେ ଆକ୍ରାନ୍ତ ହେବା ପରେ ଏହି ଭୂତାଣୁ ସହ ଲଢ଼େଇ କରିବା ପାଇଁ ଶରୀରରେ ଆଂଟିବଡି ବା ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ । ସୁସ୍ଥ ହୋଇଥିବା ରୋଗୀଙ୍କ ପ୍ଲାଜ୍ମାରେ ଆଂଟିବଡି ଅଧିକ ପରିମାଣରେ ଥାଏ । ଭଲ ହୋଇଥିବା ରୋଗୀଙ୍କ ଠାରୁ ପ୍ଲାଜମା ଆଣି କରୋନା ରୋଗୀଙ୍କୁ ଦିଆଗଲେ, ସଂପୃକ୍ତ ବ୍ୟକ୍ତିଙ୍କ ଶରୀରରେ ଶୀଘ୍ର ସୃଷ୍ଟି ହୋଇଥାଏ ଭୂତାଣୁ ସହ ଲଢ଼ିବା ପାଇଁ ଆଂଟିବଡି । ଏହା ହିଁ ରୋଗୀଙ୍କୁ ସୁସ୍ଥ କରିଥାଏ ।