କନକ ବ୍ୟୁରୋ : ନୀରବି ଯାଇଥିବା ଛୁଆକୁ ଉଠାଇବାକୁ ଚେଷ୍ଟା କରୁଛି ମାଆ। ଗାଲକୁ ଆଉଁଶି ପକାଉଛି, ତା ଛାତି ଉପରେ ମୁଣ୍ଡ ପିଟି କାନ୍ଦୁଛି। ଝିଅ ଉଠିବ ମାଆ ବୋଲି ଡାକିବ। ଭଦ୍ରକ ଆଗରପଡା ଡାକ୍ତରଖାନାର ଏ ଦୃଶ୍ୟକୁ ଯିଏ ଦେଖୁଛି, ତା ଛାତି ଫାଟି ଯାଉଛି । ସମସ୍ତଙ୍କ ଆଖିରୁ ଲୁହର ଧାର ଛୁଟୁଛି। କାରଣ ସମସ୍ତ ଜାଣି ସାରିଛନ୍ତି, କୁନି ଝିଅ ଆଉ ଉଠିବନି କି ମାଆ କୋଳକୁ ଫେରିବନି।
ଜଳିବା ଆଗରୁ ଲିଭି ଯାଇଛି ୩ ନିଷ୍ପାପ ଶିଶୁଙ୍କ ଜୀବନ ଦୀପ। ମୁଲକୁ ଯିବେ ବୋଲି କୁନିକୁନି ଛୁଆଙ୍କୁ କଳିକା କେନ୍ଦ୍ରରେ ଛାଡିଥିଲେ ବାପା-ମାଆ। ଯିବାର ଘଣ୍ଟାଏ ପରେ ସ୍ଥାନୀୟ ଅଞ୍ଚଳରେ ଚହଳ ପଡିଲା। କଳିକା କେନ୍ଦ୍ରରୁ ୫୦ ମିଟର ଦୂର ବେଆଇନ ମୋରମ ଖାଦାନରେ କୁନି କୁନି ୩ ଶିଶୁଙ୍କ ଶବ ଭାସୁଛି। ଏକଥା ଶୁଣି ଧାଇଁ ଯାଇଥିଲେ ପରିବାର ଲୋକ। ଯାହା ଦେଖିଲେ ପାଦତଳୁ ମାଟି ଖସିଗଲା। ଗଭୀର ଖାଦାନ ଭିତରେ ଭାସୁଥିଲା ୩ଟି ଶିଶୁଙ୍କ ମୃତଦେହ ।
କେନ୍ଦୁଝର ହାଟଡିହି ବ୍ଲକ ଆତୁରକଣା ଗାଁର ଗୌରାଙ୍ଗ ପାତ୍ରଙ୍କ ଝିଅ ପାୟଲ, କୋଦଣ୍ଡ ପାତ୍ରଙ୍କ ଝିଅ ଲିପ୍ସା, ଦୀନବନ୍ଧୁ ପାତ୍ରଙ୍କ ଝିଅ ଭାରତୀ ମୃତ୍ୟୁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଜିଲ୍ଲାପାଳଙ୍କ ନିର୍ଦେଶ ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ତଦନ୍ତ କରୁଛନ୍ତି। କଳିକା କେନ୍ଦ୍ରର କର୍ମଚାରୀଙ୍କ ଦାଇତ୍ୱହୀନତାରୁ ଏଭଳି ଦୁଃଖଦ ଘଟଣା ଘଟିଥିବା ଅଭିଯୋଗ ହୋଇଛି। ସେପଟେ ନିଜ ମୁଣ୍ଡରୁ ଦୋଷ ଛଡ଼ାଇବାକୁ ଶିଶୁମାନେ କଳିକା କେନ୍ଦ୍ରର ନୁହଁନ୍ତି ବୋଲି କହିଛନ୍ତି କେନ୍ଦ୍ରର କର୍ମଚାରୀ।