ବ୍ରଜରାଜନଗର ବାଜି ଜିତିବ କିଏ? ନାମାଙ୍କନପତ୍ର ଦାଖଲ ୩ ପ୍ରମୁଖ ଦଳର ପ୍ରାର୍ଥୀ, ଏବେ ଘମାଘୋଟ ପ୍ରଚାର ବଢାଇବ ନିର୍ବାଚନୀ ତାତି ।

Advertisment
ବ୍ରଜରାଜନଗର ବାଜି ଜିତିବ କିଏ? ନାମାଙ୍କନପତ୍ର ଦାଖଲ ୩ ପ୍ରମୁଖ ଦଳର ପ୍ରାର୍ଥୀ, ଏବେ ଘମାଘୋଟ ପ୍ରଚାର ବଢାଇବ ନିର୍ବାଚନୀ ତାତି ।

କନକ ବ୍ୟୁରୋ : ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି ୩ ପ୍ରମୁଖ ଦଳର ପ୍ରାର୍ଥୀ । ଝାରସୁଗୁଡା ବେହେରାମାଲ ଛକ ନିକଟରୁ ବିଶାଳ ଶୋଭାଯାତ୍ରାରେ ବାହାରି ଝାରସୁଗୁଡା ଉପ ଜିଲ୍ଲାପାଳଙ୍କ ନିକଟରେ ନିଜର ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ ଦଳର ପ୍ରାର୍ଥୀ । ଆଉ ଏହାସହ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ।

ବିଜେଡିର ପ୍ରାର୍ଥୀ ଅଳକା ମହାନ୍ତି ବେହେରାମାଲ ଛକ ନିକଟରୁ ଶୋଭାଯାତ୍ରାରେ ବାହାରି ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ । ଶହ ଶହ ଦଳୀୟ କର୍ମୀଙ୍କ ଗହଣରେ ନାମାଙ୍କନ ପତ୍ର ଦାଖଲ କରିବାକୁ ଆସିଥିଲେ ଅଳକା । ଆଉ ନାମାଙ୍କନପତ୍ର ଦାଖଲ ସମୟରେ ଅଳକାଙ୍କ ସହ ବିଜେଡିର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହିଥିଲେ । ଯେଉଁମାନଙ୍କ ମଧ୍ୟରେ ମନ୍ତ୍ରୀ ନବ ଦାସ, ମନ୍ତ୍ରୀ ଟୁକୁନି ସାହୁ, ବିଧାୟକ ରୋହିତ ପୂଜାରୀ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ପଦ୍ମନାଭ ବେହେରା, ଝାରସୁଗୁଡା ପର୍ଯ୍ୟବେକ୍ଷକ ଥିବା ସୁବାସ ସିଂଙ୍କ ସମେତ ଦଳର ଅନେକ ହେଭିୱେଟ ନେତା ସାମିଲ ହୋଇଥିଲେ । ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ ଯୋଜନା ପାଇଁ ବ୍ରଜରାଜନଗରବାସୀ ପୁଣିଥରେ ବିଜେଡିକୁ ଭରସିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଦଳୀୟ ନେତା । ସେହିଭଳି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି କହିଛନ୍ତି, ବ୍ରଜରାଜନଗର ପାଇଁ ମୋ ସ୍ୱାମୀ ଯେଉଁ ସ୍ୱପ୍ନ ଦେଖିଥିଲେ ତାହାକୁ ନିଶ୍ଚୟ ପୂରା କରିବି । ଅଞ୍ଚଳର ଉନ୍ନତି ପାଇଁ ବ୍ରଜରାଜନଗରବାସୀ ବିଜେଡି ସପକ୍ଷରେ ଭୋଟ କରିବେ ବୋଲି କହିଛନ୍ତି ଅଳକା ।

ଅନ୍ୟପଟେ ଦଳର ବହୁ ତୁଙ୍ଗ ନେତାଙ୍କ ସହ ଆସି ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା । ଝାରସୁଗୁଡା ବେହେରାମାଲ ଛକ ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ନିଜର ସମର୍ଥକ ଉପସ୍ଥିତିରେ ନାମାଙ୍କନପତ୍ର ଦାଖଲ କରିଛନ୍ତି ରାଧାରାଣୀ। ଦଳୀୟ ସାଂସଦ ସୁରେଶ ପୂଜାରୀ, ଜୁଏଲ ଓରାମ, ରାଜ୍ୟ ସଭାପତି ସମୀର ମହାନ୍ତି, ଦଳୀୟ ନେତା ଟଙ୍କଧର ତ୍ରିପାଠୀ ଶୋଭାଯାତ୍ରାରେ ଆସି କର୍ମୀଙ୍କୁ ଉତ୍ସାହିତ କରିବା ସହ ରାଧାରାଣୀଙ୍କୁ ବିଜୟୀ କରିବାକୁ ଆହ୍ୱାନ ଦେଇଥିଲେ । ଗତ ନିର୍ବାଚନରେ ଦଳ ଅଳ୍ପକେ ପରାଜିତ ହୋଇଥିବା ଏଥର ଦଳର ବିଜୟ ନିଶ୍ଚୟ ବୋଲି କହିଛନ୍ତି ରାଧାରାଣୀ । ସେହିଭଳି ଦଳରେ କୌଣସି ଗୋଷ୍ଠୀ କନ୍ଦଳ ନଥିବା କହିଛନ୍ତି ରାଧାରାଣୀ । ପୂର୍ବରୁ ଏଠାରେ ଦଳ ବିଜୟୀ ହୋଇଥିବା ବେଳେ ପୁଣିଥରେ ଏହି ଆସନକୁ ଅକ୍ତିଆର କରିବ ବୋଲି ଆଶାବାଦୀ ରହିଛି ।

ସେହିପରି କଂଗ୍ରେସ ପକ୍ଷରୁ ମଧ୍ୟ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି କିଶୋର ପଟେଲ । ଶହ ଶହ କର୍ମୀଙ୍କ ଗହଣରେ ବିଶାଳ ପଟୁଆରରେ ଆସି କିଶୋର ପଟେଲ ନାମାଙ୍କନ ପତ୍ର ଉପ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିଛନ୍ତି । ଏହି ସମୟରେ ଦଳର ବରିଷ୍ଠ ନେତୃବୃନ୍ଦଙ୍କୁ କିଶୋରଙ୍କ ସହ ଦେଖିବାକୁ ମିଳିଥିଲା । ଯେହେତୁ ପୂର୍ବରୁ ବ୍ରଜରାଜନଗର କଂଗ୍ରେସର ଗଡ ରହି ଆସିଥିଲା ତେଣୁ ପୁଣିଥରେ ଏହି ଗଡରେ କଂଗ୍ରେସର ହାତ ଉଠିବ ବୋଲି କିଶୋର ଆଶାବାଦୀ ରହିଛନ୍ତି । ଗୋଟିଏ ୩ ପ୍ରମୁଖ ଦଳର ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରି ସାରିଥିବା ବେଳେ ଏବେ ଆରମ୍ଭ ହେବ ଘମାଘୋଟ ପ୍ରଚାର ।ଘର ଘର ବୁଲି ଭୋଟ ମାଗିବେ ପ୍ରାର୍ଥୀ । ତେବେ ଏହି ପ୍ରଚାର ମୈଦାନରେ କିଏ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିପାରିବ ଓ ବ୍ରଜରାଜନଗରରେ କିଏ କରିବ ବାଜିମାତ ତାହା ଉପରେ ସମସ୍ତଙ୍କର ନଜର ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe