ବିଧାନସଭାରେ ବାଚସ୍ପତିଙ୍କ ଉପରକୁ ଜୋତା ଫିଙ୍ଗି ନିଲମ୍ବିତ ହେଲେ ୩ ବିଧାୟକ । ବିଷ୍ଣୁ ସେଠୀ, ଜୟ ନାରାୟଣ ମିଶ୍ର ଓ ମୋହନ ମାଝିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ।

ପ୍ରତିବାଦରେ ଗାନ୍ଧିମୂର୍ତ୍ତି ତଳେ ଧାରଣା ଦେଲେ ବିଜେପି ନେତା

123

କନକ ବ୍ୟୁରୋ: ଗଣତନ୍ତ୍ରର ପବିତ୍ର ଗୃହରେ ବିଧାୟକଙ୍କ ଅଗଣତାନ୍ତ୍ରିକ ଆଚରଣ ମହଙ୍ଗା ପଡ଼ିଛି । ବାଚସ୍ପତିଙ୍କ ଉପରକୁ ଜୋତା ଫୋପାଡ଼ିବା ଘଟଣାରେ ବିରୋଧୀ ଦଳ ଉପ-ନେତା ବିଷ୍ଣୁ ସେଠୀ, ସମ୍ବଲପୁର ବିଧାୟକ ଜୟ ନାରୟଣ ମିଶ୍ର ଏବଂ କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କୁ ନିଲମ୍ବନ କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ଘଟଣାର ଅନୁଧ୍ୟାନ ପରେ ବାଚସ୍ପତି, ବିଜେପି ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିବା ବେଳେ ଏହାର ପ୍ରତିବାଦରେ ବିଧାନସଭା ସାମ୍ନାରେ ଥିବା ଗାନ୍ଧୀମୂର୍ତ୍ତୀ ତଳେ ପ୍ରତିବାଦ କରିଛନ୍ତି ବିଜେପି ସଦସ୍ୟ । ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବା ଯୋଗୁଁ ଯଦି ନିଲମ୍ବିତ ହେବାକୁ ହୁଏ, ତେବେ ନିଷ୍ପତିକୁ ସ୍ୱାଗତ କରିବେ ବୋଲି କହିଛନ୍ତି ଜୟନାରାୟଣ ମିଶ୍ର । ବିଷ୍ଣୁ ସେଠୀ ଓ ମୋହନ ମାଝୀ ମଧ୍ୟ ସମାନ ଢ଼ଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ।

ତେବେ ଗୃହରେ ବିନା କୌଣସି ଆଲୋଚନାରେ ଶାସକ ଦଳ ବିଲ୍ ପାସ କରୁଥିବା ଅଭିଯୋଗ କରି ଉଦ୍କ୍ଷିପ୍ତ ହୋଇ ଉଠିଥିଲେ ବିଜେପି ଦଳର ସମସ୍ୟ । ଆଉ ଏହାପରେ ବାଚସ୍ପତିଙ୍କ ଉପରକୁ ଜୋତା, ଇଅର ଫୋନ, ଡଷ୍ଟବିନ ପେପର ଫୋପଡିଥିଲେ । ବିରୋଧୀ ବିଧାୟକଙ୍କ ଏହି ଅଶୋଭନୀୟ ଆଚରଣ ହେବା ଦେଖିବା ବାଚସ୍ପତିଙ୍କୁ ସୁରକ୍ଷା ଯୋଗାଇଦେବାକୁ ଆଗେଇ ଆସିଥିଲେ ସୁରକ୍ଷାକର୍ମୀ । ଏହି ସମୟରେ ସୁରକ୍ଷାକର୍ମୀଙ୍କ ମୁଣ୍ଡରେ ଇଅର ଫୋନ ବାଜି ଥିଲା ।

ଅନ୍ୟପଟେ ବାଚସ୍ପତିଙ୍କ ଉପରକୁ ଜୋତା ଫିଙ୍ଗିବାକୁ ନେଇ ଦିନ ତମାମ୍ ଚର୍ଚ୍ଚା ଥିବା ବେଳେ ଠିକ୍ ଏଭଳି ଏକ ଘଟଣା ଘଟିଥିଲା ୨୦୦୪ ମସିହାରେ । ଗୃହ ଭିତରେ ତତକାଳୀନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ଉପରେ ଜୋତା ଫୋପାଡ଼ିଥିଲେ, ତତକାଳୀନ କଂଗ୍ରେସ ବିଧାୟକ ଅନୁପ ସାଏ । ସେତେବେଳେ ଏହି ଘଟଣାକୁ ନେଇ ବିଧାନସଭାରେ ତୁମ୍ଭି ତୋଫାନ୍ ହୋଇଥିଲା । ଆଉ ୧୭ ବର୍ଷ ପରେ ପୁଣି ସମାନ ଏକ ଘଟଣା ଘଟିଛି ଓଡ଼ିଶା ବିଧାନସଭାରେ ।