କନକ ବ୍ୟୁରୋ: ଆଜି ତାଇୱାନ ଦ୍ୱୀପର ଦକ୍ଷିଣପୂର୍ବାଞ୍ଚଳରେ ଶକ୍ତିଶାଳୀ ଭୂମିକମ୍ପ ସଂଘଠିତ ହେବାରୁ ଟ୍ରେନ୍‌ ବଗି ଧାରଣାଚ୍ୟୁତ ହେବା ଓ ସୁନାମି ଆସିବା ସତର୍କସୂଚନା ଜାରି କରାଯାଇଥିବା କଥା ତାଇୱାନର ପାଣିପାଗ ବ୍ୟୁରୋ କହିଛି। ତାଇୱାନର ଅନେକ ସ୍ଥାନରେ ସଡକ ଫାଟିଯାଇଛି, କେଉଁଠି ବ୍ରିଜ ଭାଙ୍ଗି ପଡିଛି, ଟ୍ରେନ ଲାଇନରୁ ଟ୍ରେନ ଖସିପଡିଛି । ବ୍ରିଜ ଭାଙ୍ଗିପଡିବା ଫଳରେ ଅନେକ ଗାଡି ତଳେ ଫସି ରହିଛି । ତେବେ ଏଥିରେ ଅନେକ କ୍ଷୟକ୍ଷତି ହେବାର ଚିତ୍ର ସାମ୍ନାକୁ ଆସିଛି ।

Advertisment

ରିକ୍ଟରସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୭.୨ ଥିବା କଥା ପ୍ରଥମେ ଘୋଷଣା କରାଯାଇଥିଲା, କିନ୍ତୁ ବାସ୍ତବରେ ଏହାର ତୀବ୍ରତା ୬.୯ ଥିଲା ବୋଲି ‘ୟୁଏସ୍‌ ଜିଓଲୋଜିକାଲ୍‌ ସର୍ଭେ’ (ୟୁଏସ୍‌ଜିଏସ୍‌) କହିଛି । ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ ଅନୁସାରେ, ‘ୟୁଏସ୍‌ଜିଏସ୍‌’ କହିଛି କି, ରାତି ୨.୪୪ରେ ସଂଘଠିତ ଉକ୍ତ ଭୂମିକମ୍ପର ଉତ୍ପତ୍ତିସ୍ଥଳ ଥିଲା ତାଇତୁଙ୍ଗ୍‌ ନଗରୀର ଉତ୍ତର ଦିଗକୁ ୫୦ କିଲୋମିଟର୍‌ ଦୂରବର୍ତ୍ତୀ ଭୂଗର୍ଭ ୧୦ କିଲୋମିଟର୍‌ ଅଭ୍ୟନ୍ତରରେ।

publive-image

ଭୂମିକମ୍ପ ପ୍ରଭାବରେ ଓକିନାୱା ଜିଲ୍ଳାର ମିୟାକୋଜିମା ଏବଂ ୟାଏୟାମା ଅଞ୍ଚଳରେ ୧ ମିଟର୍‌ ଉଚ୍ଚର ସୁନାମି ଆସିପାରେ ବୋଲି ରାତି ୩.୪୯ରେ ‘ଜାପାନ ପାଣିପାଗ ଏଜେନ୍‌ସି’ ସତର୍କସୂଚନା ଜାରି କରିଥିଲା। ତେଣୁ, ଅପେକ୍ଷାକୃତ ଉଚ୍ଚ ସ୍ଥାନକୁ ଚାଲିଯିବା ପାଇଁ ସେ ଅଞ୍ଚଳର ଲୋକମାନଙ୍କୁ ପରାମର୍ଶ ଦିଆଯାଇଥିଲା।

ଏହି ଭୂମିକମ୍ପ ପ୍ରଭାବରେ ୟୁଲି ନଗରୀରେ ଅନ୍ୟୂନ ଗୋଟିଏ ଅଟ୍ଟାଳିକା ଭଙ୍ଗିପଡ଼ିଥିବା କଥା ତାଇୱାନ୍‌ର ଆଂଶିକ ରାଷ୍ଟ୍ରାୟତ ‘ସେଣ୍ଟ୍ରାଲ୍‌ ନିଉଜ୍‌ ଏଜେନ୍‌ସି’ ରିପୋର୍ଟ କରିଛି। ଭୂମିକମ୍ପର କମ୍ପନ ରାଜଧାନୀ ତାଇପେଇରେ ବି ଅନୁଭୂତ ହୋଇଥିଲା । ସୂଚନାଯୋଗ୍ୟ, ଶନିବାର ଦିନ ମଧ୍ୟ ଉକ୍ତ ଅଞ୍ଚଳରେ ୬.୪ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିଲା। ଏଥିରେ କେହି ମୃତାହତ ହୋଇଥିବାସୂଚନା ମିଳିନାହିଁ।