ସାବଧାନ ସୈତାନ ! ଜଘନ୍ୟକାଣ୍ଡ କଲେ ଫାଶୀ ଖୁଣ୍ଟରେ ଝୁଲିବେ । କୁନି ଝିଅଙ୍କ ସହ କୁକର୍ମ କଲେ ଫାଶୀ ମିଳିବାଟା ଥୟ

ମାସେ ଭିତରେ ନାବାଳିକା ଦୁଷ୍କର୍ମ ଅଭିଯୋଗରେ ୩ ଜଣଙ୍କୁ ଫାଶି ଦଣ୍ଡାଦେଶ ମିଳିଥିବା ବେଳେ ୫ ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ ସଜା ଦେଇଛନ୍ତି କୋର୍ଟ

780

କନକ ବ୍ୟୁରୋ: ସଜା ପାଉଛନ୍ତି ସୈତାନ । କୁନି ଝିଅ ସହ କୁକର୍ମ କରିଥିବା ସୈତାନଙ୍କୁ ସଜା ଦେଉଛନ୍ତି କୋର୍ଟ । ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଯେତେସବୁ ମାମଲା ବର୍ଷ ବର୍ଷ ଧରି ପଡି ରହିଥିଲା ସେସବୁକୁ ଗୋଟି ଗୋଟି ଶୁଣାଣି କରି ଜଣେ ପରେ ଜଣେ ଜହ୍ଲାଦଙ୍କୁ ଫାଶୀ ଦଣ୍ଡାଦେଶ ଦେଉଛନ୍ତି କୋର୍ଟ । ତେବେ ଓଡିଶାରେ ଗତ ମାସେ ଭିତରେ ବଡ ଅପରାଧ କରିଥିବା ଅଭିଯୁକ୍ତଙ୍କୁ ବଡ ଶାସ୍ତି ଦେଇଛନ୍ତି କୋର୍ଟ । ମାସେ ଭିତରେ ନାବାଳିକା ଦୁଷ୍କର୍ମ ଅଭିଯୋଗରେ ୩ ଜଣଙ୍କୁ ଫାଶି ଦଣ୍ଡାଦେଶ ମିଳିଥିବା ବେଳେ ୫ ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ ସଜା ଦେଇଛନ୍ତି ବିଭିନ୍ନ କୋର୍ଟ ।

ଆଜି ସାଲେପୁରରେ ୬ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ନୃଶଂସ ଭାବେ ହତ୍ୟା କରିଥିବା ଅଭିଯୁକ୍ତକୁ ଫାଶୀଦଣ୍ଡ ଦେଇଛନ୍ତି ସ୍ୱତନ୍ତ୍ର ପକ୍ସୋ କୋର୍ଟ । ଅଭିଯୁକ୍ତ ମହମ୍ମଦ ମୁସ୍ତାକକୁ ମୃତ୍ୟୁଦଣ୍ଡ ଦିଆଯାଇଛି । ଗତ ବର୍ଷ ଏପ୍ରିଲ ୨୧ ତାରିଖରେ ଚକୋଲେଟ ଦେବା ଆଳରେ ୬ ବର୍ଷର ନାବାଳିକାକୁ ଟେକି ନେଇ ସ୍କୁଲ ବାରଣ୍ଡାରେ ଦୁଷ୍କର୍ମ କରିବା ପରେ ଅତି ଅମାନବୀୟ ଭାବେ ତଂଟି ଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲା ଆଉ ଘଟଣାର ୮ ଦିନ ପରେ ଆଖି ବୁଜିଥିଲା ନାବାଳିକା ।

ସେହିପରି ସେପ୍ଟେମ୍ବର ୧୦ରେ ଜଗତସିଂହପୁର ନାବାଳିକା ଦୁଷ୍କର୍ମ ହତ୍ୟା ମାମଲାର ଅଭିଯୁକ୍ତ କାଳିଆକୁ ଫାଶୀ ଦଣ୍ଡାଦେଶ ଦେଇଥିଲେ କୋର୍ଟ । ମାମଲାର ଦେଢ ବର୍ଷ ପରେ ଶୁଣାଣି କରି ମୁଖ୍ୟ ଅଭିଯୁକ୍ତ କାଳିଆକୁ ମୃତ୍ୟୁଦଣ୍ଡ ଦିଆଯାଇଛି । ୨୦୧୮ ମାର୍ଚ୍ଚରେ ଏରସମାର ଜଣେ ନାବାଳିକାକୁ ଦୁଷ୍କର୍ମ କରି କାଜୁ ଜଙ୍ଗଲରେ ଫିଙ୍ଗିଥିବା ସୈତାନକୁ ସଜା ଦେଇଛନ୍ତି ଏଡିଜେ କୋର୍ଟ ।

୨୮ ଅଗଷ୍ଟ ୨୦୧୯ । ଦୁଷ୍କର୍ମକାରୀକୁ ନେଇ ବାରିପଦାରୁ ଆସିଥିଲା ବଡ ଖବର । ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜଲ୍ଲାଦ ଯାମିନୀକାନ୍ତ ମହାନ୍ତକୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ ପୋକ୍ସୋ କୋର୍ଟ । ରଜରେ ଦୋଳି ଖେଳାଇବାକୁ ଡାକି ନେଇ ଶିଶୁକନ୍ୟା ସହ କରିଥିବା ଏଭଳି ଜଘନ୍ୟକାଣ୍ଡ ପାଇଁ ଯାମିନୀକୁ ଫାଶିଖୁଣ୍ଟରେ ଝୁଲିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ ନାବାଳିକା ଦୁଷ୍କର୍ମ ଓ ହତ୍ୟାକାରୀଙ୍କ ପ୍ରତି କୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରି ସମାଜକୁ ବଡ ବାର୍ତ୍ତା ଦେଉଛନ୍ତି । ଯେଉଁମାନେ ଏଭଳି କୁକର୍ମ ଆଉ ଜଘଣ୍ୟ ଅପରାଧ କରିବାକୁ ଯୋଜନା କରୁଛନ୍ତି ବା ଲିପ୍ତ ଅଛନ୍ତି ସେମାନେ ସୁଧୁରି ଯାଆନ୍ତୁ ନହେଲେ ଏହାର ପରିଣାମ ଭୟାବହ ହେବ ବୋଲି କୋର୍ଟ ଫାଶୀ ଦଣ୍ଡାଦେଶ ଦେଇ ଚେତାଇ ଦେଉଛନ୍ତି ।