କନକ ବ୍ୟୁରୋ: ବାହାନଗା ଟ୍ରେନ୍ ଦୁର୍ଘଟଣା ପାଇଁ ୩ ରେଳବାଇ ଅଧିକାରୀଙ୍କୁ ସିବିଆଇ ଗିରଫ କରିବା ପରେ ଆଉ କିଛି କର୍ମଚାରୀଙ୍କ ମୁଣ୍ଡ ଉପରେ ଖଣ୍ଡା ଝୁଲୁଛି । ସେଦିନ ଦାୟୀତ୍ୱରେ ଥିବା ଆଉ କିଛି କର୍ମଚାରୀଙ୍କୁ ସିବିଆଇ ସମନ କରିଥିବା ଆଲୋଚନା ହେଉଛି । ତେବେ କାହାକୁ ସିବିଆଇ ସମନ କରିଛି, ସେ କଥା ସ୍ପଷ୍ଟ ହୋଇନଥିଲେ, ବି ଅଧିକାରୀଙ୍କୁ ତଦନ୍ତକାରୀ ଟିମ୍ ପଚରାଉଚୁରା କରିପାରେ ବୋଲି ଚର୍ଚ୍ଚା ହେଉଛି ।

Advertisment

ବାହାନଗା ରେଳ ଦୁର୍ଘଟଣାକୁ ଏହା ଭିତରେ ମାସେ ଟପି ଯାଇଛି । ହେଲେ, ଏତେ ବଡ ଦୁର୍ଘଟଣା ପାଇଁ ପଛର କାରଣ କଣ ତାହା ସ୍ପଷ୍ଟ ହୋଇପାରିନି । କିନ୍ତୁ ମାମଲାର ତଦନ୍ତ କରୁଥିବା ସିବିଆଇ ଦୁର୍ଘଟଣା ପାଇଁ ଦାୟୀ କରି ୩ ରେଳବାଇ କର୍ମଚାରୀଙ୍କୁ ଗିରଫ କରିବା ପରେ, ସେମାନଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛି ରେଳବାଇ । ସେଦିନ ପ୍ରକୃତରେ କଣ ଘଟିଥିଲା, ଦୁର୍ଘଟଣା ପଛରେ କୌଣସି ଷଡଯନ୍ତ୍ର ଅଛି କି ନାହିଁ ତାହା ଜାଣିବା ପାଇଁ, ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ନେଇ ପଚରାଉଚୁରା କରୁଛି ସିବିଆଇ ।

ତିନି ଅଭିଯୁକ୍ତଙ୍କୁ ସିବିଆଇ ରିମାଣ୍ଡରେ ନେଇ ପଚରାଉଚୁରା କରୁଥିବାବେଳେ ଆଉ କିଛି କର୍ମଚାରୀ ତଦନ୍ତକାରୀ ଟିମର ସ୍କାନରରେ ରହିଛନ୍ତି । ଏପରିକି ଜଣେ ଅଧିକାରୀଙ୍କୁ ସିବିଆଇ ସମନ କରିଥିବା ଚର୍ଚ୍ଚା ହେଉଛି । ତେବେ କେଉଁ ଅଧିକାରୀଙ୍କୁ ସିବିଆଇ ସମନ କରିଛି, ତାହା ସ୍ପଷ୍ଟ ହୋଇନାହିଁ । ଏନେଇ ସିବିଆଇ କିମ୍ବା ରେଳବାଇ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

ତେବେ ଯେଉଁ ତିନି ଜଣଙ୍କୁ ରିମାଣ୍ଡରେ ନେଇ ସିବିଆଇ ପଚରାଉଚୁରା କରୁଛି, ସେମାନେ କଣ କହୁଛନ୍ତି, ତାହା ବେଶ୍ ଗୁରୁତ୍ୱ ବହନ କରୁଛି । କାରଣ ତିନି ଜଣଙ୍କ ଉତରରୁ ଏହି ଦୁର୍ଘଟଣା ପଛରେ କୌଣସି ଷଡଯନ୍ତ୍ର ରହିଥିଲା କି ନାହିଁ, ଆଉ କିଏ ସମ୍ପୃକ୍ତ ଅଛନ୍ତି କି ନାହିଁ ତାହା ସ୍ପଷ୍ଟ ହେବ ବୋଲି କୁହାଯାଉଛି ।