ଶିଖ୍ ଯୁବକଙ୍କୁ ଆକ୍ରମଣ ଘଟଣାରେ ୩ ଅଭିଯୁକ୍ତଙ୍କୁ ଜାମିନ ମିଳିବା ନେଇ ଉଠିଲା ପ୍ରଶ୍ନ । ପରବିନ୍ଦର ସିଂ କହିଲେ, ନ୍ୟାୟିକ ବ୍ୟବସ୍ଥା ଉପରୁ ଉଠିଗଲା ବିଶ୍ୱାସ, ଲଗାଯାଇନି ଉପଯୁକ୍ତ ଧାରା

450

କନକ ବ୍ୟୁରୋ: ଭୁବନେଶ୍ୱର ଲକ୍ଷ୍ମୀସାଗର ଅଂଚଳରେ ଶିଖ ଯୁବକଙ୍କୁ ଆକ୍ରମଣ ଘଟଣାରେ ଗିରଫ ତିନି ଅଭିଯୁକ୍ତଙ୍କୁ ୨୪ ଘଂଟ ମଧ୍ୟରେ ଜାମିନ ମିଳିବା ନେଇ ବଡ ପ୍ରଶ୍ନ ଉଠିଛି । ଦୁଇ ଦିନ ଭିତରେ କେମିତି ଓ କାହିଁକି ମିଳିଲା ଜାମିନ । କେମିତି ଛାଡ ପାଇଲେ ଅଭିଯୁକ୍ତ । ଏହାକୁ ନେଇ ଏବେ ବଡ ପ୍ରଶ୍ନ ଉଠିଛି । ନିଜେ ପରବିନ୍ଦର ସିଂ ବି ଅଭିଯୁକ୍ତଙ୍କୁ ଜାମିନ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ ପ୍ରଶ୍ନ କରିଛନ୍ତି, ଏଭଳି କି ଧାରା ଲାଗିଲା ଯେ ଅଭିଯୁକ୍ତ ଏତେ ଶୀଘ୍ର ବେଲ୍ ପାଇଗଲେ ।

 

ଅଭିଯୁକ୍ତଙ୍କ ବିରୋଧରେ ଯେଉଁ ଧାରା ଲଗେଇବା କଥା ତାହା ଲଗାଯାଇନାହିଁ । ପୋଲିସ ଉପରେ ଚାପ ପଡିଛି । ନ୍ୟାୟିକ ବ୍ୟବସ୍ଥା ଉପରେ ତାଙ୍କର ଆଉ ଭରସା ନାହିଁ ବୋଲି ପରବିନ୍ଦର କହିଛନ୍ତି । ଏପରିକି ଗତକାଲି ରାତିରେ କିଛି ଲୋକ କବାଟ ବାଡେଇଥିବା ଓ ସେ କବାଟ ଖୋଲିନଥିବା ବି କହିଛନ୍ତି ପରବିନ୍ଦର । ମଙ୍ଗଳବାର ଦିନ ଦ୍ୱିପ୍ରହରରେ ପୁଲିସ ଉପସ୍ଥିତିରେ ଜଣେ ଶିଖ ଯୁବକଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦୀପକ ଜେନାଙ୍କ ସମେତ ତିନି ଜଣ ଦୁôବୃର୍ତ୍ତଙ୍କୁ ଗିରଫ କରାଯାଇଥିଲା । ଅନ୍ୟପଟେ ୨୪ ଘଂଟା ଭିତରେ ସବୁ ଅପରାଧୀଙ୍କୁ ଗିରଫ କରାଯାଇଥିବା ବେଳେ ତିନି ଦିନ ଭିତରେ ଚାର୍ଜସିଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ କମିସନର ।

ମଙ୍ଗଳବାର ଦିନ ପ୍ରାୟ ଦିନ ସାଢେ ଗୋଟାଏ ବେଳେ ଲକ୍ଷ୍ମୀସାଗର ଭଗବାନ ଆପାର୍ଟମେଂଟ ସମ୍ମୁଖରେ ସ୍ଥାନୀୟ ଅଂଚଳରେ ରହୁଥିବା ପରବିନ୍ଦର ସିଂଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ କିଛି ସ୍ଥାନୀୟ ଯୁବକ । ଏମିତିକି ପଥରରେ ମୁହଁକୁ ଆକ୍ରମଣ କରିବାକୁ ବି ପଛାଇ ନଥିଲେ । ଆଉ ସବୁଠୁ ବଡ କଥା ହେଉଛି ଏସବୁ ଘଟିଥିଲା ପୋଲିସର ଉପସ୍ଥିତିରେ । ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଏବେ ମାତ୍ର ଦୁଇଦିନ ଭିତରେ କିଭଳି ଅଭିଯୁକ୍ତଙ୍କୁ ଜାମିନ ମିଳିଲା ସେ ନେଇ ଏବେ ବଡ ପ୍ରଶ୍ନ ସୃଷ୍ଟି ହୋଇଛି । ଖୋଦ ପରବିନ୍ଦର ବି ଜାମିନ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

 

ଅନ୍ୟପଟେ, ଶିଖ ଯୁବକ ପରବିନ୍ଦର ସିଂଙ୍କୁ ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ୨୪ଘଂଟା ଭିତରେ ଅଭିଯୁକ୍ତଙ୍କୁ ଜାମିନ ମିଳିବା ପରେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୁର । ଇଏ କି ଆଇନ ଓ ଅନ୍ୟ ରାଜ୍ୟର ଲୋକେ କଣ ଓଡ଼ିଶାରେ ରହିପାରିବେ ନାହିଁ କି ବୋଲି ପ୍ରଶ୍ନ କରିଛନ୍ତି । ରାଜ୍ୟର ବିକାଶ ପାଇଁ ପ୍ରଥମେ ମୁଖ୍ରମନ୍ତ୍ରୀ ନବୀନ ପଟ୍ଟନାୟକ ଆଇନକୁ କଡାକରି କରନ୍ତୁ ବୋଲି କହିଛନ୍ତି ସୁର ରାଉତରାୟ ।