ମହଙ୍ଗା ପଡ଼ିଲା ରାଜଧାନୀର ବିଚ୍ ରାସ୍ତା ଉପରେ ଗୁଣ୍ଡାଗର୍ଦ୍ଦି । ଶିଖ୍ ଯୁବକଙ୍କୁ ମାଡ ମାରି ଗିରଫ ହେଲେ ୩ ଅଭିଯୁକ୍ତ, ପୋଲିସ କମିସନର କହିଲେ, ୩ ଦିନ ଭିତରେ ଦାଖଲ ହେବ ଚାର୍ଜସିଟ୍ ।

583

କନକ ବ୍ୟୁରୋ : ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଶିଖ ଯୁବକଙ୍କୁ ଆକ୍ରମଣ ଘଟଣାରେ ତିନି ଅଭିଯୁକ୍ତ ଗିରଫ । ମଙ୍ଗଳବାର ଦିନ ଦ୍ୱିପ୍ରହରରେ ପୁଲିସ ଉପସ୍ଥିତିରେ ଜଣେ ଶିଖ ଯୁବକଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦୀପକ ଜେନାଙ୍କ ସମେତ ତିନି ଜଣ ଦୁôବୃତ୍ତଙ୍କୁ ଗିରଫ କରାଯାଇଛି । ୨୪ ଘଣ୍ଟା ଭିତରେ ସବୁ ଅପରାଧୀଙ୍କୁ ଗିରଫ କରାଯାଇଥିବା ବେଳେ ତିନି ଦିନ ଭିତରେ ଚାର୍ଜସିଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ କମିସନର ।

ମଙ୍ଗଳବାର ଦିନ ପ୍ରାୟ ସାଢେ ଗୋଟାଏ ବେଳେ ଲକ୍ଷ୍ମୀସାଗର ଭଗବାନ ଆପାର୍ଟମେଣ୍ଟ ସମ୍ମୁଖରେ ଚାଲିଥିଲା ଗୁଣ୍ଡାରାଜ । ପୁଲିସ ଉପସ୍ଥିତିରେ ସ୍ଥାନୀୟ ଅଞ୍ଚଳରେ ରହୁଥିବା ପରବିନ୍ଦର ସିଂଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ କିଛି ସ୍ଥାନୀୟ ଯୁବକ । ଏମିତିକି ପଥରେ ମୁହଁକୁ ଆକ୍ରମଣ କରିବାକୁ ବି ପଛାଇ ନଥିଲେ । ଆଉ ଏହି ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଆକ୍ସନ ମୋଡକୁ ଆସିଛି କମିସନରେଟ ପୁଲିସ । ମୁଖ୍ୟ ଅଭିଯୁକ୍ତ ଦୀପକ ଜେନା ସମେତ ଦୀପକ ମହାନ୍ତି ଓ ଶଙ୍କର ରାଉତଙ୍କୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୁଲିସ । ଏମିତିକି ଘଟଣାକୁ ଗୁରୁତ୍ୱର ସହ ନେଇ ତିନିଦିନ ଭିତରେ ଚାର୍ଜସିଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ କମିସନର ।

ଗତକାଲି ପରବିନ୍ଦର ଘରକୁ ଫେରୁଥିବା ବେଳେ ରାସ୍ତା ଅବରୋଧ କରିଥିବା ଯୁବକଙ୍କ ସହ ପ୍ରଥମେ ବଚସା ହୋଇଥିଲା । ଏହାପରେ ପିସିଆରକୁ ଖବର ଦେଇଥିଲେ ପରବିନ୍ଦର । ହେଲେ ପୁଲିସ ପହଁଚିବା ପରେ ସତେ ଯେମିତି ଅପରାଧୀଙ୍କ ସାହସ ବଢିଯାଇଥିଲା । ଆଉ ପୁଲିସ ଉପସ୍ଥିତିରେ ପରବିନ୍ଦରଙ୍କ ଉପରେ ହୋଇଥିଲା ମରଣାନ୍ତକ ଆକ୍ରମଣ । ସବୁଠାରୁ ଆଶ୍ଚର୍ଯ୍ୟଜନକ ଥିଲା ଉପସ୍ଥିତ ପୁଲିସ ଅଧିକାରୀ ଅପରାଧୀଙ୍କୁ କାବୁ କରିବା ବଦଳରେ ଏହି ଅସାମାଜିକ ଯୁବକଙ୍କ ସହ ହାଲୁକା ଆଚରଣ କରୁଥିଲେ ।

ରାଜଧାନୀରେ ଶିଖ ଯୁବକଙ୍କୁ ଆକ୍ରମଣ ବେଳେ ଉପସ୍ଥିତ ପୁଲିସ କର୍ମଚାରୀଙ୍କ ନିଷ୍କ୍ରିୟତାକୁ ଦେଖି ଗତକାଲି ସମ୍ପୃକ୍ତ ପିସିଆରର ଭାରପ୍ରାପ୍ତ ଅଧିକାରୀଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଦୁଇ ଅଭିଯୁକ୍ତ ଗିରଫ ହୋଇଥିଲେ । ଆଉ ଆଜି ଧରାପଡିଛି ମୁଖ୍ୟ ଅଭିଯୁକ୍ତ ଦୀପକ ଜେନା । ସେପଟେ ଭିଜୁଆଲରେ ଆହୁରି କିଛି ଯୁବକଙ୍କ ସମ୍ପୃକ୍ତି ନେଇ ଦୃଶ୍ୟ ସାମ୍ନାକୁ ଆସୁଥିବା ଯୋଗୁଁ ଏମାନେ କିଏ ସେନେଇ ପ୍ରଶ୍ନ ଉଠୁଛି ।