ରାଜ୍ୟରେ ସରି ଆସୁଛି କୋଭିଡ ଟିକା : ଆଜି ଦିନ ୨ଟା ସୁଦ୍ଧା ପହଂଚିବ ୩ଲକ୍ଷ ୫୦ ହଜାର କୋଭିସିଲଡ ଡୋଜ

179

କନକ ବ୍ୟୁରୋ : ରାଜ୍ୟରେ ଜୋରସୋରରେ ଚାଲିଛି ଟିକାକରଣ କାମ । ହେଲେ ଦିନକ ଭିତରେ ରାଜ୍ୟରେ ମହଜୁଦ ଥିବା ଟିକା ଶେଷ ହୋଇଯିବାର ଆଶଙ୍କା ରହିଛି । ତେଣୁ ତୁରନ୍ତ ୧୫ଲକ୍ଷ କୋଭିସିଲଡ ଟିକା ଯୋଗାଇଦେବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର । ସୋମବାର ସକାଳ ସୁଦ୍ଧା ରାଜ୍ୟରେ ୬ଲକ୍ଷ ୨ହଜାର ୪୩୦ କୋଭିସିଲଡ ଓ ୧ଲକ୍ଷ ୪୮ ହଜାର ୫୫୦ କୋଭାକସିନ ଡୋଜ ଉପଲବ୍ଧ ଥିଲା । ଏପଟେ ସୋମବାର ଗୋଟିଏ ଦିନରେ ୨ଲକ୍ଷ ୬୩ ହଜାର ୪୧ ଡୋଜ ଟିକା ଦିଆଯାଇସରିଛି । ଯଦି କେନ୍ଦ୍ର ତୁରନ୍ତ ଟିକା ଯୋଗାଇ ନଦେବ ତାହେଲେ ରାଜ୍ୟରେ ଟିକାକରଣ ପ୍ରକ୍ରିୟାରେ ବିରାଟ ସମସ୍ୟା ସୃଷ୍ଟି ହୋଇପାରେ ।

ଆଜି ଦିନ ୨ଟା ସୁଦ୍ଧା କେନ୍ଦ୍ର ୩ଲକ୍ଷ ୪୯ ହଜାର ୧୩୦ କୋଭିସିଲଡ ଟିକା ଯୋଗାଇ ଦେବାପାଇଁ ପ୍ରତିଶ୍ରୁତି ଦେଇଛି । ହେଲେ ରାଜ୍ୟରେ ଚାଲିଥିବା ବ୍ୟାପକ ଟିକାକରଣ ପାଇଁ ଏହା ସମୁଦ୍ରକୁ ଶଂଖେ । ଏପଟେ ସୀମାବର୍ତୀ ଜିଲ୍ଲାଗୁଡିକରେ ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାର ସଂପୂର୍ଣ୍ଣ ଆଲର୍ଟର ଅଛନ୍ତି । ଏସବୁ ସ୍ଥାନରେ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ସିଡିଏମଓ  ଓ  ଜିଲ୍ଲାପାଳମାନଙ୍କୁ କୁହାଯାଇଛି । କୋଭାକ୍ସିନ ଭୁବନେଶ୍ୱରରେ ଦିଆଯାଉଥିବାବେଳେ  ରାଜ୍ୟର ଅନ୍ୟ ସବୁ ସ୍ଥାନରେ କୋଭିସିଲ୍ଡ ଦିଆଯାଉଛି ।

ରାଜ୍ୟରେ ୧ କୋଟି ୧୬ ଲକ୍ଷ ଲୋକଙ୍କୁ  ଟିକାକରଣ  କରାଯିବା ନେଇ ଟାର୍ଗେଟ ରହିଛି । ବର୍ତମାନ ସୁଦ୍ଧା ୩୫ ଲକ୍ଷ ୬୭ ହଜାର ୮୧୦ ଜଣଙ୍କୁ ଟିକା ଦିଆଯାଇଛି । ରାଜ୍ୟରେ ବଢୁଥିବା ଗ୍ରୀଷ୍ମପ୍ରବାହକୁ ଆଖି ଆଗରେ ରଖି ଟିକାକରଣ ସମୟରେ ପରିବର୍ତନ ଆଣିଛନ୍ତି ସରକାର । ଏଣିକି ସକାଳ ୮ଟାରୁ ୧୨ଟା ଓ ଅପରାହ୍ନ ୩ଟାରୁ ୬ଟା ଯାଏଁ ଟିକା ଦିଆଯିବ ।