ମହାମାରୀକୁ ମାରିବ ଭାବିଜୀ ପାମ୍ପଡ଼ ? କରୋନା ସଂକଟ ଭିତରେ କେନ୍ଦ୍ରମନ୍ତ୍ରୀଙ୍କ ଅଜବ ଯୁକ୍ତି : ଲଞ୍ଚ କଲେ ଚମତ୍କାରୀ ପାମ୍ପଡ଼ ! କୋଭିଡ଼୍ ସହ ଲଢେଇରେ କୁଆଡ଼େ ସହାୟକ ହେବ ‘ଭାବି ଜୀ’ ପାମ୍ପଡ଼ ! 

940

ସାରା ବିଶ୍ୱରେ କରୋନାର ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ମହାମାରୀର ନିରାକରଣ ପାଇଁ ବୈଜ୍ଞାନିକ ମାନେ ଟିକା ବାହାର କରିବାରେ ଲାଗିପଡ଼ିଛନ୍ତି । ଏପର୍ଯ୍ୟନ୍ତ ଦେଶରେ ୧୩ ଲକ୍ଷ ଲୋକଙ୍କୁ ସଂକ୍ରମଣ କରିସାରିଲାଣି କରୋନା । ଏହି ଭୁତାଣୁକୁ ନେଇ ଲୋକଙ୍କ ଭିତରେ ଭୟ ଥିବା ବେଳେ ଏବେ ଏକ ଚମତ୍କାରୀ ପାମ୍ପଡ଼ ବାହାର କରି ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ଅର୍ଜ୍ଜୁନ ରାମ ମେଘୱାଲ୍ । କୋଭିଡ଼୍ ବେଳାରେ ଏକ ଘରୋଇ କମ୍ପାନୀର “ଭାବି ଜୀ” ପାମ୍ପଡ଼କୁ ଲଞ୍ଚ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏବେ ଆପଣ ଭାବୁଥିବେ ପାମ୍ପଡ଼ ତ ପାମ୍ପଡ଼ ସେଥିରେ ଚମତ୍କାର ପୁଣି କ’ଣ! ଆଜ୍ଞା ଏ ଯୁକ୍ତି ଆମର ନୁହଁ , କେନ୍ଦ୍ରମନ୍ତ୍ରୀଙ୍କ କହିବାନୁସାରେ କରୋନା କାଳରେ ଏହି ଭାବି ଜୀ ପାମ୍ପଡ଼ ଖାଇଲେ କୁଆଡ଼େ ରୋଗ ପ୍ରତିରୋଧକ ଶକ୍ତି ବଢେ । ଯାହାର ଭିଡ଼ିଓ ମଧ୍ୟ ସୋସିଆଲ୍ ମିଡ଼ିଆରେ ଏବେ ଭାଇରାଲ୍ ହେଉଛି । ଭିଡ଼ିଓରେ କେନ୍ଦ୍ରମନ୍ତ୍ରୀ ପାମ୍ପଡ଼ ଲଞ୍ଚ୍ କରୁଥିବା ବେଳେ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମର କଥା ଉଠାଇ କହୁଛନ୍ତି , କରୋନା ଭୁତାଣୁ ମୁକାବିଲାରେ ରୋଗ ପ୍ରତିରୋଧକ ଶକ୍ତି ବିକଶିତ କରିବାରେ ସହାୟକ ହେବ ଏହି “ଭାବି ଜୀ” ପାମ୍ପଡ଼ ।

କରୋନାର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଅନେକ ଦେଶୀ କମ୍ପାନୀ ଲୋକଙ୍କ ସ୍ୱାସ୍ଥ୍ୟକୁ ନେଇ ତତ୍ପର ଅଛନ୍ତି । ବଜାରରେ ଏବେ ରୋଗ ପ୍ରତିରୋଧକ ଶକ୍ତି ବଢାଉଥିବା ଖାଦ୍ୟପେୟ ଅଧିକରୁ ଅଧିକ ବିକ୍ରି ହେଉଛି । ଆଉ ଏହି ପାମ୍ପଡ଼ ବ୍ୟବସାୟ କରୁଥିବା ବେସରକାରୀ କମ୍ପାନୀର ଉଦ୍ଦେଶ୍ୟ ମଧ୍ୟ ଲୋକଙ୍କ ପାଖକୁ ସ୍ୱାସ୍ଥ୍ୟକର ସାମଗ୍ରୀ ପହଁଚାଇବାର ରହିଛି । କିନ୍ତୁ କରୋନା ସହ ପାମ୍ପଡ଼ର ସଂଯୋଗକୁ ସହଜରେ ଗ୍ରହଣ କରିପାରୁନି ସୋସିଆଲ୍ ମିଡ଼ିଆ । ବୁଧବାର ବିକାନେରର ସାଂସଦ ଅର୍ଜ୍ଜୁନ ରାମ ମେଘୱାଲ୍ ପାମ୍ପଡ଼କୁ ଲଞ୍ଚ୍ କରିବା ସମୟରେ ଏଭଳି ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ଏବେ ସେ ବିବାଦ ଘେରକୁ ଚାଲିଆସିଛନ୍ତି ।