କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେବ ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟେଷ୍ଟ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ୍ରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ । ଦଳକୁ ଫେରିଛନ୍ତି କ୍ୟାପଟେନ ବିରାଟ କୋହଲୀ । ଫଳରେ ପ୍ରଥମ ଟେଷ୍ଟର ଚୂଡାନ୍ତ ଏକାଦଶ ମଧ୍ୟରୁ ଜଣେ ବାଦ୍ ପଡ଼ିବେ । ମଧ୍ୟକ୍ରମରେ ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ ଓ ଶ୍ରେୟସ୍ ଆୟାର ରହିଛନ୍ତି । କୋହଲୀ ଫେରିବା ପରେ ଏମାନଙ୍କ ମଧ୍ୟରୁ ଜଣଙ୍କୁ ବାଦ୍ ଦିଆଯିବ । ପଦାର୍ପଣ ଟେଷ୍ଟରେ ଶ୍ରେୟସ ଆୟାର ଚମତ୍କାର ପ୍ରଦର୍ଶନ କରିଥିଲେ ।

Advertisment

ପ୍ରଥମ ଇନିଂସରେ ଶତକ ଓ ଦ୍ୱିତୀୟ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିଲେ । ତେଣୁ ଶ୍ରେୟସ ଆୟାର ଚୂଡାନ୍ତ ଏକାଦଶରେ ରହିବା ଏକପ୍ରକାର ନିଶ୍ଚିତ । ଫଳରେ ଚେତେଶ୍ୱର ପୂଜାରା ଓ ଆଜିଙ୍କ୍ୟ ରାହାଣେ ମଧ୍ୟରୁ କାହାକୁ ସାମିଲ କରାଯିବ ତା ଉପରେ ନଜର ରହିବ । ସେହିପରି ଫର୍ମରେ ନଥିବା ଇଶାନ୍ତ ଶର୍ମାଙ୍କ ସ୍ଥାନକୁ ନେଇ ମଧ୍ୟ ଆଲୋଚନା କରାଯିବ । ସେହିପରି ନ୍ୟୁଜିଲାଣ୍ଡ ମଧ୍ୟ ଚୂଡାନ୍ତ ଏକାଦଶରେ ପରିବର୍ତନ କରିପାରେ । ୱାଙ୍ଖଡେ ପିଚ୍ ଓ କୋହଲା ପାଗକୁ ନଜରରେ ରଖି ନିଲ ୱାଗନରଙ୍କୁ ଖେଳାଇବା ପାଇଁ ଯୋଜନା କରୁଛି ଭ୍ରମଣକାରୀ ଦଳ । କାନପୁରରେ ଋଦ୍ଧିମାନ ସାହାଙ୍କ ବେକ ସମସ୍ୟା ଦେଖାଦେବାରୁ ଭରତ ଉଭୟ ପାଳିରେ ଅଧିକାଂଶ ସମୟ ୱିକେଟରକ୍ଷଣ କରି ପ୍ରଶଂସିତ ହୋଇଥିଲେ ।

ଏପରିକି ମୟଙ୍କ ଅଗ୍ରୱାଲଙ୍କୁ ବସାଇ କୋହଲିଙ୍କୁ ସିଧାସଳଖ ସାମିଲ କରାଯିବା କଥା ମଧ୍ୟ ବିଚାର କରାଯାଉଛି। ଏଭଳି ‌କ୍ଷେତ୍ରରେ ଗିଲଙ୍କ ସହ ପୂଜାରା କିମ୍ବା ଭରତ ପାଳି ଆରମ୍ଭ କରିପାରନ୍ତି। ପାଗ ଦୃଷ୍ଟିକୋଣରୁ ଅତିରିକ୍ତ ଜଣେ ପେସ୍‌ ବୋଲର୍‌ ଖେଳାଇବା କଥା ଦଳ ବିଚାର କରୁଛି ବୋଲି କୋହଲି ସୂଚନା ଦେଇଛନ୍ତି। ଋଦ୍ଧିମାନ ସାହା ଫିଟ୍‌ ଥିବା କଥା କହିଛନ୍ତି । ରାହାଣେ ଓ ପୂଜାରାଙ୍କ ଭଳି ବିରାଟ କୋହଲିଙ୍କ ବ୍ୟାଟ୍‌ରୁ ମଧ୍ୟ ଦୁଇ ବର୍ଷ ହେବ ଶତକ ମିଳିନାହିଁ । ‌

ଅନ୍ୟପକ୍ଷରେ ୱାଙ୍ଖ୍‌ଡେରେ ଶେଷ ଥର ପାଇଁ କୋହଲି ୨୦୧୬ରେ ଇଂଲଣ୍ଡ ବିପକ୍ଷରେ ୨୩୫ ରନ୍‌ ପାଳି ଖେଳିଥିବାରୁ ସେଭଳି ଏକ ପାଳିର ଅପେକ୍ଷାରେ ରହିଛନ୍ତି । ନ୍ୟୁଜିଲାଣ୍ଡ୍‌ କିନ୍ତୁ ଭାରତ ମାଟିରେ ‌ଶେଷ ଥର ପାଇଁ ୧୯୮୮ ମସିହାରେ ଏକ ଟେଷ୍ଟ୍ ଜିତିଥିଲା, ଯାହାକି ଦଳକୁ ୱାଙ୍ଖ୍‌‌ଡେରେ ମିଳିଥିବାରୁ ସେହି ପଡ଼ିଆ ଭ୍ରମଣକାରୀ ଦଳକୁ ଆତ୍ମବିଶ୍ବାସ ଦେବ । ମୁମ୍ବାଇରେ ଏବେ ବର୍ଷା ଚାଲିଥିଲେ ମଧ୍ୟ ପିଚ୍ ସ୍ପିନରଙ୍କୁ ସୁହାଇବ ଏବଂ ଫଳାଫଳ ମିଳିବା ସମ୍ଭାବନା ରହିବ।

ସମ୍ଭାବ୍ୟ ଭାରତ ଏକାଦଶ : ଶୁଭମନ ଗିଲ୍‌, ମୟଙ୍କ ଅଗ୍ରୱାଲ୍‌, ବିରାଟ କୋହଲି, ଶ୍ରେୟସ ଆୟର, ଅଜିଙ୍କ୍ୟ ରାହାଣେ, କେଏସ୍ ଭରତ, ରବୀନ୍ଦ୍ର ଜାଦେଜା, ଅକ୍ଷର ପଟେଲ୍‌, ରବିଚନ୍ଦ୍ରନ ଅଶ୍ବିନ୍‌, ମହମ୍ମଦ ସିରାଜ ଓ ଉମେଶ ଯାଦବ।

ସମ୍ଭାବ୍ୟ ନ୍ୟୁଜିଲାଣ୍ଡ୍‌ ଏକାଦଶ : ଟମ୍ ଲଥାମ, ୱିଲ୍ ୟଙ୍ଗ୍‌, କେନ୍‌ ୱିଲିୟମସନ୍‌, ରସ୍ ଟେଲର୍‌, ହେନରି ନିକଲ୍ସ, ଟମ୍ ବ୍ଲଣ୍ଡେଲ୍‌, ରାଚିନ୍ ରବୀନ୍ଦ୍ର, କାଇଲ୍ ଜାମିସନ୍‌, ଟିମ୍ ସାଉଦି, ଏଜାଜ ପଟେଲ୍‌, ୱିଲ୍‌ ସୋମରଭିଲ୍‌।