ଦ୍ୱିତୀୟ ପର୍ଯ୍ୟାୟ ଭୋଟଦାନରେ ବିଭ୍ରାଟ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅନେକ ବୁଥରେ କାମ କରୁନି ଇଭିଏମ୍ । ମତ ଦେଇନପାରି ଫେରିଗଲେ ମତଦାତା

96

କନକ ବ୍ୟୁରୋ: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜାରି ରହିଛି ମତଦାନ । ୫ ଲୋକସଭା ଓ ୩୫ଟି ବିଧାନସଭା ଆସନ ପାଇଁ ସକାଳ ୭ଟାରୁ ଆରମ୍ଭ ହୋଇଯାଇଛି ମତଦାନ । ତେବେ ଆଜି ବି ମତଦାନରେ ବିଭ୍ରାଟ ପରିଲକ୍ଷିତ ହୋଇଛି । ଆଉ ଏହି ବିଭ୍ରାଟ ଇଭିଏମ ମେସିନ ଯୋଗୁଁ ହିଁ ଘଟିଛି । ଏପରିକି ଅନେକ ସ୍ଥାନରେ ଭୋଟରମାନେ ଫେରିଯିବାକୁ ବାଧ୍ୟ ହୋଇଛନ୍ତି । ଅଚଳ ହୋଇପଡିଥିବା ଇଭିଏମ ସଜଡା ହେବାକୁ ବିଳମ୍ବ ହେବା କାରଣରୁ ଯେଉଁମାନେ ସକାଳୁ ଆସି ଧାଡିରେ ଛିଡା ହୋଇଥିଲେ, ସେମାନେ ଭୋଟ୍ ଦେଇନପାରି ଫେରିଯାଉଥିବା ସୂଚନା ମିଳିଛି ।

ସୁନ୍ଦରଗଡ ସହରର ରଙ୍ଗାଢିପା ସ୍କୁଲ ମତଦାନ କେନ୍ଦ୍ରରେ ଇଭିଏମ୍ ଅଚଳ ହୋଇଯାଇଥିଲା । ତେବେ ଇଭିଏମ ଅଚଳ କାରଣରୁ ଭୋଟରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ଏପରିକି ପାଖାପାଖି ୨ ଘଂଟାରୁ ଅଧିକ ସମୟ ଧରି ଇଭିଏମ ଅଚଳ ପଡିବା ହେତୁ ଭୋଟ୍ ଦେଇନପାରି ଫେରିଯାଇଛନ୍ତି ଭୋଟର ।

ସେହିପରି କିଛି ପୁଲିଂ ବୁଥରେ ଇଭିଏମରେ ତ୍ରୁଟି ଦେଖା ଦେଇଥିବାରୁ ମତଦାନରେ ବିଳମ୍ବ ଦେଖା ଦେଇଛି। ଫୁଲବାଣୀର ବୁଥ୍ ନମ୍ବର ୧୧୩ ଓ ୧୦୧ରେ ଇଭିଏମ୍ କାମ କରୁ ନ ଥିବା ଖବର ମିଳିଛି। କଣ୍ଟାବାଞ୍ଝିର ବୁଥ୍ ନମ୍ବର ୬୭ରେ ଇଭିଏମ୍ ଅଚଳ ହୋଇଯିବାରୁ ଟିଟିଲାଗଡ଼ରୁ ଆଉ ଗୋଟିଏ ଇଭିଏମ୍ ଆସିବା ପରେ ଭୋଟ୍ ଗ୍ରହଣ କରାଯିବା ବୋଲି ପ୍ରତିଶ୍ରୁତି ଦିଆଯାଇଛି। ଲୋକେ ଭୋଟ୍ ଦେବା ପାଇଁ ବୁଥ୍ ବାହାରେ ଧୈର୍ଯ୍ୟର ସହ ଅପେକ୍ଷା କରିଛନ୍ତି।