ଆରମ୍ଭ ହେଲା ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ । ୫ ଲୋକସଭା ଓ ୩୫ ବିଧାନସଭାରେ ଚାଲିଛି ମତଦାନ

ଆଜି ସାରା ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଛି

61

କନକ ବ୍ୟୁରୋ : ଆଜି ସାରା ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଛି । ମତଦାତା ନିଜ ଭୋଟ ଦେବା ପାଇଁ ବିଭିନ୍ନ ବୁଥରେ ଲମ୍ବା ଲାଇନରେ ଛିଡା ହୋଇ ରହିଛନ୍ତି ନିଜର ଅଧିକାର ସାବ୍ୟସ୍ତ କରିବା ପାଇଁ । ଆଜି ରାଜ୍ୟରେ ମୋଟ ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନରେ ମତଦାନ ଆରମ୍ଭ ହୋଇଛି । ତେବେ ଏହି ଆସନରେ ମୋଟ ୨୭୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । ବଲାଙ୍ଗୀର , କନ୍ଧମାଳ,ବରଗଡ, ଆସ୍କା ଓ କନ୍ଧମାଳ ଲୋକସଭାରେ ଭୋଟ ଗ୍ରହଣ ଚାଲିଛି । ତେବେ ଆଜିର ଫଳାଫଳ ଆସନ୍ତା ମାସ ୨୩ ତାରିଖରେ ପ୍ରକାଶ ପାଇବ । ତେବେ ଆଜିର ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି କାରଣ ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ବିରୋଧୀଦଳର ନେତା ନରସିଂହମିଶ୍ର ପ୍ରମୁଖ ନିଜର ମତ ସାବ୍ୟସ୍ତ କରିବେ ।

କେବଳ ଏତିକି ନୁହେଁ ବରଂ ରାଜ୍ୟର ଅନେକ ଟାଣୁଆ ନେତା ରାଜ୍ୟ ସରକାରଙ୍କ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ନିରଞ୍ଜନ ପୂଜାରୀ, ସୁଶାନ୍ତ ସିଂହ, ସ୍ନେହାଙ୍ଗିନୀ ଛୁରିଆ, ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଅଚ୍ୟୁତ ସାମନ୍ତ, ପୂର୍ବତନ ସାଂସଦ ଐର ଖାରବେଳ ସ୍ବାଇଁ, ସୁରେଶ ପୂଜାରୀ, ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଷାନ, ଶାରଦା ନାୟକ, ସୁବ୍ରତ ତରାଇ, ସିପିଆଇ ପ୍ରାର୍ଥୀ ରାମକୃଷ୍ଣ ପଣ୍ଡା, ସିପିଏମ୍ ପ୍ରାର୍ଥୀ, ବିଧାୟକ ନବ କିଶୋର ଦାସ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତି ପ୍ରମୁଖ ଅଛନ୍ତି।

ମିଳିଥିବା ସୂଚନା ଅନୁସାରେ,ଲୋକସଭାରେ ୩୫ ଓ ବିଧାନସଭାରେ ଲଢୁଥିବା ୨୪୪ ପ୍ରାର୍ଥୀଙ୍କ ଭାଗ୍ୟ ୯୧୧୭ଟି ବୁଥରେ ନିର୍ଣ୍ଣୟ ହେବ। ୭୬ଲକ୍ଷ ୯୩ହଜାର ୧୨୩ଜଣ ମତଦାତା ଏହି ପ୍ରକ୍ରିୟାରେ ଭାଗ ନେବେ। ଏମାନଙ୍କ ମଧ୍ୟରେ ୩୯,୪୫,୦୨୫ଜଣ ପୁରୁଷ, ୩୭ଲକ୍ଷ ୪୭ହଜାର ୪୯୩ଜଣ ମହିଳା ଏବଂ ୬୦୫ଜଣ ତୃତୀୟ ଲିଙ୍ଗ ଭୋଟ୍ ଦେବେ। ୭ଲକ୍ଷ ୯୯ ହଜାର ୯୯୯ ଜଣ ନୂଆ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ।