ୟୁରୋପକୁ ଫେରିଲା କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ । ଫ୍ରାନ୍ସରେ ଆରମ୍ଭ ହେଲା ରାତ୍ରିକାଳୀନ କର୍ଫ୍ୟୁ, ନେଦରଲ୍ୟାଣ୍ଡରେ ପୁଣି ଦୋକାନ ବଜାର ବନ୍ଦ ।

531

କନକ ବ୍ୟୁରୋ : ପୂର୍ବ ମାସ ତୁଳନାରେ କରୋନା ସଂକ୍ରମଣ ରାଜ୍ୟରେ କମୁଛି । ହେଲେ ଆଗକୁ ପାର୍ବଣ ସାଙ୍ଗକୁ ଶୀତ ଋତୁ ଆସୁଥିବାରୁ ଭୟ ବଢ଼ିବାରେ ଲାଗିଛି । କାରଣ ୟୁରୋପର ବିଭିନ୍ନ ଦେଶରେ ପୁଣି ଥରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇ ଯାଇଛି ।

ୟୁରୋପରେ ଫେରିଲା କରୋନା ପାର୍ଟ-୨ । ଋଷ୍, ଫ୍ରାନ୍ସ, ଜର୍ମାନୀ, ଗ୍ରେଟ୍ ବ୍ରିଟେନରେ ପୁଣି ଲକଡାଉନ୍ । ଯେଉଁ ୟୁରୋପ କିଛି ଦିନ ପୂର୍ବରୁ ଚିନ୍ତା କରିଥିଲା ଯେ ସେମାନେ କରୋନା ମହାମାରୀକୁ ହରାଇ ଦେଲେ ଏବେ ସେହି ୟୁରୋପରେ କରୋନାର ଦ୍ୱିତୀୟ ସଂକ୍ରମଣ ଆରମ୍ଭ ହୋଇଯାଇଛି । କେବଳ ୟୁରୋପରେ ପ୍ରତି ଦିନ ପ୍ରାୟ ୧ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି । ଫ୍ରାନ୍ସରୁ ଋଷିଆ, ବ୍ରିଟେନରୁ ଚେକରିପବ୍ଲିକ୍, ୟୁରୋପର ଅଧିକାଂଶ ଦେଶ ଏହି ମହାମାରୀର ଦ୍ୱିତୀୟ ସଂକ୍ରମଣରେ ଭୟଭୀତ ହୋଇ ଯାଇଛନ୍ତି ।

ଆମେରିକା ସହ ତୁଳନା କରି ୟୁରୋପକୁ ଖୁବ୍ ପ୍ରଶଂସା କରାଯାଇଥିଲା ଯେ ୟୁରୋପ ମହାମାରୀ କରୋନାକୁ ଭଲଭାବରେ ମୁକାବିଲା କରିପାରିଛି । କିନ୍ତୁ ବର୍ତମାନ ସାରା ବିଶ୍ୱରେ ପ୍ରତ୍ୟକ ଦିନ ଯେତିକି ନୂଆ ସଂକ୍ରମଣ ଦେଖିବାକୁ ମିଳୁଛି ସେଥିରୁ ଏକ ତୃତୀୟାଂଶ କେବଳ ୟୁରୋପରୁ ହିଁ ଚିହ୍ନଟ ହେଉଛି ।

ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ରାତି ୯ ଟାରୁ ସକାଳ ୬ ଯାଏ ରାଜଧାନୀ ପ୍ୟାରିସ ଓ ଆଖପାଖ ଅଂଚଳର ୮ଟି ମେଟ୍ରୋପଲିଟାନ ସହରରେ ନାଇଟ୍ କର୍ଫ୍ୟୁ ଜାରି କରିଛନ୍ତି । ଗତ ଶନିବାରଠାରୁ ଏହି ନାଇଟ୍ କର୍ଫ୍ୟୁ ଆରମ୍ଭ ହୋଇଛି । ସେ କହିଛନ୍ତି, ଫ୍ରାନ୍ସର ସବୁଠି ଏବେ ଭାଇରସ୍ ରହିଛି । ସେପଟେ ନେଦରଲାଣ୍ଡର ରାଜଧାନୀ ଆମଷ୍ଟରଡାମରେ ବାର ଓ କ୍ଲବ୍ ଗୁଡିକୁ ବନ୍ଦ କରିଦିଆଯାଇଛି । ଏବଂ ସବୁଠି ମାସ୍କ ପିନ୍ଧିବା ପାଇଁ ଲୋକଙ୍କୁ ବାଧ୍ୟ କରାଯାଉଛି ।

ସେପଟେ ଋଷିଆରେ ଗତ ବୁଧବାର ଦିନ ସବୁଠାରୁ ଅଧିକ ସଂକ୍ରମଣ ସାମନାକୁ ଆସିଛି । ରାଷ୍ଟ୍ରପତି ଭ୍ଲାଦିମୀର ପୁତିନ୍ କହିଛନ୍ତି, ତାଙ୍କ ଦେଶରେ ଚାଲିଥିବା ଭ୍ୟାକ୍ସିନେସନ କାର୍ଯ୍ୟକ୍ରମରୁ ସଫଳତା ମିଳିବ ବୋଲି ସେ ଆଶା ରଖିଛନ୍ତି ।

ଜର୍ମାନୀରେ ମଧ୍ୟ କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି । ଚାନସେଲର ଆଂଜେଲା ମର୍କେଲ କହିଛନ୍ତି, ସେମାନେ ଏତେ କଟକଣା ଜାରି କରି ଯେଉଁ ସଫଳତା ହାସଲ କରିଛନ୍ତି, ତାହାକୁ ଫୋପାଡି ଦେଇ ପାରିବେନାହିଁ ।

ଅନେକ ୟୁରୋପୀୟ ଦେଶରେ ଲକଡାଉନକୁ ହଠାତ୍ ଉଠାଇ ଦିଆଯାଇଥିଲା । ଏବଂ ଲୋକେ ଭାବି ଦେଇଥିଲେ ଯେ ସେମାନେ ସାମାନ୍ୟ ଅବସ୍ଥାକୁ ଫେରି ଆସିଛନ୍ତି । ଆଉ ଏହି ଅବହେଳା ଦ୍ୱିତୀୟ ସଂକ୍ରମଣର ସବୁଠାରୁ ବଡ କାରଣ ବୋଲି କୁହାଯାଉଛି । ୟୁରୋପରେ ପୁଣି ଥରେ କରୋନା ଫେରିବା, ଆଶ୍ଚର୍ଯ୍ୟକର ନୁହେଁ ବୋଲି କିଛି ବିଶେଷଜ୍ଞ କହିଛନ୍ତି । କାରଣ ସେମାନେ ପୂର୍ବରୁ ଚେତାଇ ଦେଇଥିଲେ ଯେ ଥଣ୍ଡା ଫେରିଲେ ପୁଣି କରୋନା ଫେରିପାରେ ।