ଭାଇକୁ ଯକୃତ ଦେଇ ଜୀବନ ବଞ୍ଚାଇଲା ଭଉଣୀ: ସମ୍‌ରେ ଦ୍ବିତୀୟ ଯକୃତ ପ୍ରତିରୋପଣ ସଫଳ; ବିଭିନ୍ନ ବିଭାଗକୁ ନେଇ ୪୦ ଜଣିଆ ଡାକ୍ତରୀଦଳ

90

କନକ ବ୍ୟୁରୋ: ଓଡିଶାରେ ସଫଳତାର ସହ ଲିଭର ବା ଯକୃତ ପ୍ରତ୍ୟାରୋପଣ କରାଯାଇପାରିଛି । ଭୁବନେଶ୍ୱର ସ୍ଥିତ ସମ ହସ୍ପିଟାଲରେ ଦ୍ୱିତୀୟ ଥର ପାଇଁ ସଫଳତାର ସହିତ ଯକୃତ ପ୍ରତ୍ୟାରୋପଣ କରାଯାଇଛି । ଏହି ଅପରେସନ ପ୍ରକ୍ରିୟା ଭୋର ୪ଟାରୁ ଆରମ୍ଭ ହୋଇ ଦୀର୍ଘ ୧୨ଘଂଟା ଧରି ଚାଲିଥିଲା ବୋଲି ସୂଚନା ଦେଇଛନ୍ତି ପ୍ରଫେସର ମନୋଜ କୁମାର ସାହୁ । ସମ୍ବଲପୁର ଅଂଚଳର ଉମେଶ କୁମାର ରାଉତଙ୍କର ଯକୃତ ପ୍ରତ୍ୟାରୋପଣ କରାଯାଇଥିଲା । ତାଙ୍କ ଭଉଣୀ ଅନିତା କୁମାରୀ ତାଙ୍କ ଯକୃତର କିଛି ଅଂଶ ନିଜ ଭାଇକୁ ପ୍ରଦାନ କରିଥିଲେ ।

ଉମେଶ ଯକୃତ ରୋଗର ଶେଷ ପର୍ଯ୍ୟାୟରେ ପହଂଚିଥିବା ବେଳେ ତାଙ୍କ ଜୀବନ ବଂଚାଇବା ପାଇଁ ଯକୃତ ପ୍ରତ୍ୟାରୋପଣ ହିଁ ଏକମାତ୍ର ଉପାୟ ଥିଲା ବୋଲି ପ୍ରଫେସର ସାହୁ କହିଛନ୍ତି । ଏହି ଅପରେସନ ପାଇଁ ଏକ ୪୦ ଜଣିଆ ଟିମ ଗଠନ କରାଯାଇଥିଲା ।  ଅପରେସନ ଥିଏଟରରେ ଯକୃତ ପ୍ରଦାନ କରିଥିବା ଡୋନରଙ୍କର ୬୦ ପ୍ରତିଶତ ଯକୃତ ପ୍ରଥମେ କଢାଯାଇଥିଲା । ରୋଗୀଙ୍କର ଅସୁସ୍ଥ ଯକୃତଟିକୁ ସମ୍ପୁର୍ଣ୍ଣ ଭାବେ କଢାଯାଇଥିଲା । ଉଭୟ ଡୋନର ଏବଂ ଯକୃତ ଗ୍ରହଣ କରିଥିବା ରୋଗୀ ଅପରେସନ ପରେ ସୁସ୍ଥ ଥିବା ଜଣାପଡିଛି । ଏହା ପୂର୍ବରୁ ପ୍ରଫେସର ସାହୁଙ୍କ ନେତୃତ୍ୱରେ ଗତ ମାର୍ଚ୍ଚ ୫ ତାରିଖରେ ପ୍ରଥମ ଅସ୍ତ୍ରୋପଚାର କରାଯାଇଥିଲା ।