ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର କସରତ ! ଦ୍ୱିତୀୟ ତାଲିକା ଜାରି କଲା ଦଳ, ଜାଣନ୍ତୁ କିଏ କେଉଁଠୁ ହେବେ ପ୍ରାର୍ଥୀ ।

5,752

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଯେତିକି ପାଖେଇ ପାଖେଇ ଯାଉଛି, ରାଜନୈତିକ ଦଳ ଗୁଡିକ ମଧ୍ୟରେ ସେତିକି ଉଷ୍ମତା ବୃଦ୍ଧି ପାଉଛି । ବିଶେଷ କରି ନିର୍ବାଚନ ତାରିଖ ଘୋଷଣା ହେବା ପର ଠାରୁ କିଏ କେଉଁଠୁ ପ୍ରାର୍ଥୀ ହେବେ, ତାହା ଉପରେ ରହିଛି ସମସ୍ତଙ୍କ ନଜର । ଆଉ ଏହି ରେସରେ ଆଗରେ ରହିଛି କଂଗ୍ରେସ । ଦଳ ପକ୍ଷରୁ ପୂର୍ବରୁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଥିବା ବେଳେ ଆଜି ଦ୍ୱିତୀୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଦଳ ।

ଲୋକସଭା ନିର୍ବାଚନା ପାଇଁ କଂଗ୍ରେସ ବୁଧବାର ୨୧ ଜଣ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ଜାରି କରିଦେଇଛି । ଏହି ତାଲିକାରେ ୨୧ ଜଣ ପ୍ରାର୍ଥୀଙ୍କୁ ଉତ୍ତରପ୍ରଦେଶ ଓ ୫ ଜଣ ପ୍ରାର୍ଥୀଙ୍କୁ ମହରାଷ୍ଟ୍ର ପାଇଁ ଟିକେଟ ମିଳିଛି । ପାର୍ଟି ଉତ୍ତରପ୍ରଦେଶର ମୁରାଦାବାଦରୁ ରାଜ୍ୟ ସଭାପତି ରାଜ ବବ୍ଦରଙ୍କୁ ଛିଡ଼ା କରାଇବ । ସେହିପରି ସୁଲତାନପୁର ଆସନରୁ ସଂଜୟ ସିଂହ ଲଢ଼ିବେ । ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଶ୍ରୀପ୍ରକାଶ ଜୟସ୍ୱାଲ କାନପୁରରୁ ନିର୍ବାଚନ ଲଢ଼ିବେ ।

ସୂଚନାଯୋଗ୍ୟ, କଂଗ୍ରେସ ପକ୍ଷରୁ ଗତ ମାର୍ଚ୍ଚ ୭ରେ ୧୫ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରି ଦିଆଯାଇଛି । ଉତ୍ତର ପ୍ରଦେଶର ୧୧ଟି ଏବଂ ଗୁଜୁରାଟର ୪ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରି ଦିଆଯାଇଛି । ଉତ୍ତରପ୍ରଦେଶର ଆମେଠିରୁ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଲଢ଼ିବେ । ସେହିଭଳି ରାହୁଲଙ୍କ ମା’ ସୋନିଆ ଗାନ୍ଧୀ ରାଏବରେଲୀରୁ ନିର୍ବାଚନ ପଡ଼ିଆକୁ ଓହ୍ଲାଇବେ ।

ଗୁଜୁରାଟର ଅହମଦାବାଦ୍ (ପଶ୍ଚିମ-ଅନୁସୂଚିତ ଜାତି) ଆସନରୁ ରାଜୁ ପରମାର, ଆନନ୍ଦରୁ ଭାରତ ସିଂହ ଏମ୍ ସୋଲାଙ୍କୀ, ଭଦୋଦରାରୁ ପ୍ରଶାନ୍ତ ପଟେଲ ଓ ଛୋଟ ଉଦୟପୁରରୁ ରଣଜିତ ମୋହନସିଂହ ରାଥଓ୍ଵା ଲୋକସଭା ନିର୍ବାଚନ ପାଇଁ କଂଗ୍ରେସରୁ ଟିକେଟ ପାଇଛନ୍ତି । ଉତ୍ତରପ୍ରଦେଶର ସାହାରାନପୁର ଲୋକସଭା ଆସନରୁ ଇମ୍ରାନ ମାସୁଦ, ବଦାଉନରୁ ସଲିମ ଇକବାଲ ଶେରବନୀ, ଧଉରାହରାରୁ ଯତୀନ ପ୍ରସାଦ, ଉନାଉରୁ ଅନୁ ଟଣ୍ଡନ, ଫରୁକାବାଦରୁ ସଲମାନ ଖୁସିଦ୍, ଆକବରପୁରରୁ ରାଜାରାମ ପାଲ, ଜଲାଉନ -(ଏସ୍)ରୁ ବ୍ରଜଲାଲ ଖାବରୀ, ଫଇଜାବାଦରୁ ନିର୍ମଲ ଖାତ୍ରୀ ଓ କୁଶୀନଗରରୁ ଆରପିଏନ ସିଂହ ନିର୍ବାଚନ ଲଢ଼ିବେ।