ଆଜି ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ : ଦ୍ୱିତୀୟ ଦିନରେ ଚାଷ ନା ଅନ୍ୟ ପ୍ରସଙ୍ଗ ଉଠାଇ ସରକାରକୁ ଘେରିବେ ବିରୋଧୀ ?

ପ୍ରଥମ ଦିନରେ ମରୁଡ଼ି ପ୍ରସଙ୍ଗକୁ ନେଇ ବିରୋଧୀ କରିଥିଲେ ହୋହଲ୍ଲା

84

କନକ ବ୍ୟୁରୋ : ଆଜି ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ । ପ୍ରଥମ ଦିନରେ ମରୁଡ଼ି ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିଲେ । ମରୁଡ଼ି ପ୍ରସଙ୍ଗ ଉଠାଇ ବିରୋଧୀ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା କରିବା ସହ ବାଚସ୍ପତିିଙ୍କ ପୋଡିୟମ ଉପରକୁ ଚଢ଼ିଯିବାକୁ ଚେଷ୍ଟା କରିଥିଲେ । ଓଡିଶାର କେତେ ଜିଲ୍ଲାରେ ମରୁଡି ହୋଇଛି ଏହି ପ୍ରଶ୍ନର ଉତ୍ତର ଚାହୁଁଥିଲେ ବିରୋଧୀ । କିନ୍ତୁ ଗୃହରେ ଉତର ରଖି କୃଷି ମନ୍ତ୍ରୀ ରାଜ୍ୟରେ ନିଅଂଟିଆ ବର୍ଷା କଥା କହିଥିଲେ । ତେବେ ଦ୍ୱିତୀୟ ଦିନରେ ଆଜି ବିରୋଧୀ ପୁଣି ଥରେ ଚାଷୀ, ଚାଷ ଓ ମରୁଡ଼ି ପ୍ରସଙ୍ଗ ଉଠାଇବେ ନା ଅନ୍ୟ କିଛି ପ୍ରସଙ୍ଗ ରଖିବେ, ତା ଉପରେ ନଜର ରହିବ ।

ବୁଧବାର ଦିନ ୧୧ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ପରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା। ତାହା ପରେ ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କରିବା ମାତ୍ରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଠିଆ ହୋଇ କହିଥିଲେ, ମରୁଡ଼ି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ଗୃହର ଅନ୍ୟ କାର୍ଯ୍ୟ ବାତିଲ କରାଯାଇ ମରୁଡ଼ି ଉପରେ ଆଲୋଚନା କରାଯାଉ । କିନ୍ତୁ ଆଜି ମରୁଡ଼ି ଉପରେ ମୁଲତବୀ ଆଲୋଚନା ଥିବାରୁ ଏବେ ଆଲୋଚନାର ଆବଶ୍ୟକତା ନାହିଁ ବୋଲି ବାଚସ୍ପତି କହିଥିଲେ । ଏହାର ପ୍ରତିବାଦରେ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କଲେ। ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢ଼ିବାକୁ ଚେଷ୍ଟା କଲେ। ଗୃହ ସ୍ବାଭାବିକ ହେଉ ନ ଥିବା ଦେଖି ବାଚସ୍ପତି ଗୃହକୁ ୧୧.୩୯ରୁ ୧୨ଟା ୩୪ ଯାଏ ମୁଲତବୀ ଘୋଷଣା କଲେ ।

୧୨ଟା ୩୪ରେ ମରୁଡ଼ି ପ୍ରସଙ୍ଗରେ ବିଜେପି ପକ୍ଷରୁ ଦିଆଯାଇଥିବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହୋଇଥିଲା । ଚଳିତ ଅଧିବେଶନରେ ମୁଲତବୀ ଆଲୋଚନା ପାଇଁ ୯୦ ମିନିଟ୍ ଧାର୍ଯ୍ୟ କରାଯାଇଥିଲେ ବି ପ୍ରସଙ୍ଗର ଗୁରୁତ୍ବକୁ ଉପଲବ୍ଧି କରି ଏହାର ସମୟସୀମା ନ ରଖିବାକୁ କଂଗ୍ରେସ ବିଧାୟକ ଦଳ ନେତା ପ୍ରସ୍ତାବ ଦେଇଥିଲେ। ବାଚସ୍ପତି ଏଥିରେ ସମ୍ମତି ପ୍ରକାଶ କରିଥିଲେ ।