କନକ ବ୍ୟୁରୋ: ପ୍ୟାରିସ ଅଲିମ୍ପିକ୍ସରେ ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତୀୟ ହକି ଦଳ। ଫାଇନାଲରେ ପ୍ରବେଶ କରିବା ସହିତ ପଦକ ଆଶା ବଢାଇଲେ ଭାରତୀୟ ମହିଳା ସୁଟର ମନୁ ଭକର। ଆଜି ଦ୍ୱିତୀୟ ଦିନରେ ବ୍ୟାଡମିଣ୍ଟନରେ ଅଭିଯାନ ଆରମ୍ଭ କରିବେ ପିଭି ସିନ୍ଧୁ। ସେପଟେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିବା ମହିଳା ତୀରନ୍ଦାଜୀ ଦଳର ପ୍ରଦର୍ଶନ ଉପରେ ରହିଛି ଭାରତୀୟ କ୍ରୀଡାପ୍ରେମୀଙ୍କ ନଜର।
ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ନିଜର ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଛି । ଭାରତୀୟ ଦଳ ନ୍ୟୁଜିଲାଣ୍ଡକୁ ୩-୨ ଗୋଲରେ ପରାସ୍ତ କରିଛି । ଭାରତ ପକ୍ଷରୁ ମନଦୀପ ସିଂହ, ବିବେକ ସାଗର ଓ ହରମନପ୍ରୀତ ସିଂହ ଗୋଲ୍ ଦେଇଥିଲେ। ହରମନପ୍ରୀତ ୫୯ତମ ମିନିଟରେ ଟିମ୍ ଇଣ୍ଡିଆ ପାଇଁ ବିଜୟୀ ଗୋଲ୍ ଦେଇଥିଲେ। ଅଲିମ୍ପିକ୍ ଗେମ୍ସର ଦ୍ୱିତୀୟ ଦିନରେ ଆଜି ଭାରତୀୟ କ୍ରୀଡାବିତ ମାନେ ବ୍ୟାଡମିଣ୍ଟନ୍, ସୁଟିଂ, ଟେବୁଲ୍ ଟେନିସ୍ ଏବଂ ସନ୍ତରଣରେ ନିଜର ପ୍ରତିଭା ପ୍ରଦର୍ଶନ କରିବେ। ଏହାରି ମଧ୍ୟରେ ସମସ୍ତଙ୍କ ନଜର ମନୁ ଭକରଙ୍କ ଉପରେ ରହିବ, ଯିଏ ୧୦ ମିଟର ଏୟାର ପିସ୍ତଲର ଫାଇନାଲ ରାଉଣ୍ଡରେ ପ୍ରବେଶ କରିସାରିଥିବା ବେଳେ ଆଜି ସ୍ୱର୍ଣ୍ଣ ପଦକ ପାଇଁ ଲଢେଇ କରିବେ।
ସେହିପରି ରାଙ୍କିଂ ରାଉଣ୍ଡରେ ଚମତ୍କାର ପ୍ରଦର୍ଶନ ଦେଇଥିବା ଭାରତୀୟ ମହିଳା ତୀରନ୍ଦାଜୀ ଦଳ ଆଜି କ୍ୱାର୍ଟର ଫାଇନାଲରେ ପ୍ରଦର୍ଶନ କରିବାକୁ ଯାଉଛନ୍ତି। ଯଦି ଭାରତୀୟ ଦଳ ପଦକ ରାଉଣ୍ଡରେ ସଫଳତା ପାଏ ତେବେ ୩୬ ବର୍ଷ ଅପେକ୍ଷାର ଅନ୍ତ ହେବା ସହିତ ଏହି ବିଭାଗରେ ଭାରତ ମେଡାଲ ହାତେଇବ। ସେହିପରି ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ମେଡାଲ ହାତେଇଥିବା ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ ଆଜିଠୁ ନିଜର ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି। ଏମାନଙ୍କ ବ୍ୟତୀତ ଅନ୍ୟାନ୍ୟ ବିଭିନ୍ନ ବିଭାଗରେ ଭାରତୀୟ କ୍ରୀଡାବିତଙ୍କ ପ୍ରଦର୍ଶନ ଉପରେ ମଧ୍ୟ ନଜର ରହିଛି।