ଡଟ୍ ଫେଷ୍ଟର ଦ୍ୱିତୀୟ ସଂଧ୍ୟା : ମତୁଆଲା କଲେ ଦୀପ୍ତିରେଖା, ପ୍ରିୟା; ହର୍ସଦୀପ, ନଭରାଜଙ୍କ ନନଷ୍ଟପ୍ ଗୀତରେ ଝୁମିଲେ ଦର୍ଶକ

441

କନକ ବ୍ୟୁରୋ : ଭୁବନେଶ୍ୱରରେ ଚାଲିଛି ଡଟ୍ ଫେଷ୍ଟ । ଗତକାଲି ଥିଲା ଦ୍ୱିତୀୟ ସଂଧ୍ୟା । କାଲିରୁ ଡଟ୍ ଫେଷ୍ଟ ଆରମ୍ଭ ହୋଇଥିଲା ଓଡ଼ିଆ କଣ୍ଠଶିଳ୍ପୀ ଦିପ୍ତୀରେଖାଙ୍କ ଗୀତରୁ । ପାଖାପାଖି ୮ଟି ଗୀତ ଗାଇ ଦିପ୍ତୀରେଖା ଉପସ୍ଥିତ ଦର୍ଶକଙ୍କୁ ବେଶ୍ ଝୁମାଇଥିଲେ । ଓଡ଼ିଆ ଗୀତରୁ ସାଂସ୍କୃତିକ ସଂଧ୍ୟା ଆରମ୍ଭ ହୋଇଥିଲା । ସେ ‘ହାଏ ତୋ ପ୍ରେମ ମୋତେ ମାରିଦେଲାରେ.., ହାଏ ତୋ ପ୍ରେମ ଗଜଲ୍‌ ଗଜଲ… ଆଦି ଲୋକପ୍ରିୟ ଗୀତ ଗାଇଥିଲେ ‘ଚାଲ୍‌ କରିବା ଠିଆ ପାଲା…’ ଗୀତରେ ଦର୍ଶକ ନାଚିଥିଲେ ।

ଦିପ୍ତୀଙ୍କ ପରେ କାହାଣୀ ଓ କବିତା ନେଇ ଆସିଥିଲେ ପ୍ରିୟା ମଲ୍ଲିକ । ସାଥୀ ଗିଟାର ବାଦକଙ୍କ ସହ ନିଜ କାହାଣୀ ସହ ଗାଇଥିବା କବିତାକୁ ସଂଗୀତରେ ରୂପାନ୍ତରିତ କରି ଆବୃତି କରିଥିଲେ । ବିଭିନ୍ନ କବିତା ଆବୃତି କରି ଦର୍ଶକଙ୍କ ହୃଦ ଜିତିଥିଲେ ପ୍ରିୟା ମଲ୍ଲିକ । ଗୀତରେ ଗୀତରେ କାହାଣୀ କହି ସେ ଲୋକଙ୍କୁ ଭାବନା ରାଇଜକୁ ନେଇ ଯାଇଥିଲେ । ମା’ର ମମତା, ମା’ର ଚରିତ୍ର ଓ ହିନ୍ଦୀ‌ରେ ଶିକ୍ଷଣୀୟ ବିଷୟବସ୍ତୁକୁ ନେଇ ତାଙ୍କ ‘ସାୟରି’ ଦର୍ଶକଙ୍କ ମରମ ଭେଦିଥିଲା । ଆଜି ବଲିଉଡ୍ ଅଭିନେତ୍ରୀ ଓ ନିର୍ଦ୍ଦେଶିକା ଦିବ୍ୟା କୁମାର, ଗାୟିକା ନୀତି ମୋହନ, ଓଡ଼ିଆ ଗାୟିକା ପ୍ରଜ୍ଞା ହୋତା ସଙ୍ଗୀତ ଓ ନୃତ୍ୟ ପରିବଷେଣ କରିବେ ।

ଏହା ପରେ ଦର୍ଶକଙ୍କ ସାମ୍ନାକୁ ଆସିଥିଲେ ଭାରତର ସର୍ବାଧିକ ଲୋକପ୍ରିୟ କଣ୍ଠଶିଳ୍ପୀ ହର୍ସଦୀପ କୌର । ପାଖାପାଖି ଦେଢ ଘଂଟା ଧରି ସେ ଦର୍ଶକଙ୍କୁ ମନୋରଞ୍ଜନ କରିଥିଲେ । ବିଭିନ୍ନ ଲୋକପ୍ରିୟ ଗୀତ ଗାଇ ସେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ । ୧୦ରୁ ଅଧିକ ବେଶ୍ ସୁନ୍ଦର ଗୀତ ଗାଇ ଶୁଣାଇଥିଲେ ହର୍ସଦୀପ କୌର । ହର୍ସଦୀପଙ୍କ ଗୀତରେ ରଙ୍ଗୀନ ହୋଇଥିଲା ପୂରା ପରିବେଶ ।ଦର୍ଶକଙ୍କୁ ଅଟକାଇ ରଖିଥିଲା ନଭରାଜ୍ ହଂସଙ୍କ ଧମାକାଦାର ଏଣ୍ଟ୍ରି । ରାତି ୧୦ଟା ୩୦ ପର୍ଯ୍ୟନ୍ତ ଅନେକ ଗୀତ ନନଷ୍ଟପ୍ ଗାଇ ଚାଲିଥିଲେ । ନଭରାଜଙ୍କ ଗୀତରେ ମତୁଆଲା ହୋଇଥିଲେ ଦର୍ଶକ । ନଭରାଜଙ୍କ ଗୀତର ତାଳେ ତାଳେ ଝୁମି ଉଠିଥିଲେ । ଶେଷ ପର୍ଯ୍ୟନ୍ତ ଦର୍ଶକଙ୍କୁ ବେଶ୍ ଝୁମାଇଥିଲେ ନଭରାଜ ।