ମୁହଁରେ ମାସ୍କ ଆଉ ହାତରେ କୁରାଢୀ । ସାମାଜିକ ଦୂରତା ରଖି ରଥଖଳାରେ ରଥ ନିର୍ମାଣ କରୁଛନ୍ତି ବିଶ୍ୱକର୍ମା ସେବାୟତ ।

176

କନକ ବ୍ୟୁରୋ: ଦ୍ୱିତୀୟ ଦିନରେ ଆଗେଇ ଚାଲିଛି ରଥ ନିର୍ମାଣ କାମ । ମୁହଁରେ ମାସ୍କ ଆଉ ହାତରେ କୁରାଢୀ । ରଥଖଳାରେ ସବୁ କଟକଣାକୁ ପାଳନ କରି ରଥ ନିର୍ମାଣ କାମରେ ନିୟୋଜିତ ବିଶ୍ୱକର୍ମା ସେବାୟତ । ରଥଖଳାକୁ ବ୍ୟାରିକେଡିଂ ଓ କପଡାରେ ଆବଦ୍ଧ କରାଯାଇଛି । ଗୃହ ମନ୍ତ୍ରାଳୟର ସର୍ତ ଅନୁସାରେ ରଥଖଳାରେ ସାମାଜିକ ଦୂରତାକୁ ପାଳନ କରି ବିଶ୍ୱକର୍ମା ସେବାୟତମାନେ ରଥ ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି ।

ତେବେ ରଥ ଖଳା ନିକଟରେ ଲୋକଙ୍କ ସମାବେଶ ଯେପରି ନହେବ ସେଥିପାଇଁ ରଥଖଳାରୁ ୨୦୦ ମିଟର ପର୍ଯ୍ୟନ୍ତ ନିଷେଧାଂଚଳ କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ଅଫିସ ସମ୍ମୁଖରେ ଥିବା ଦୋଳବେଦି କୋଣ ସାହି, ଦୋଳ ମଣ୍ଡପ ସାହି ରାସ୍ତାକୁ ମଧ୍ୟ ସିଲ କରାଯାଇଛି । ଏବେ ବିଶ୍ୱକର୍ମା ଏବଂ ଭୋଇ ସର୍ଦ୍ଦାରଙ୍କ ମୁଖ୍ୟ ଲକ୍ଷ୍ୟ ହେଲା ରଥ ନିର୍ମାଣ କାମକୁ ଶୀଘ୍ର ଶେଷ କରିବା ।

ସେପଟେ ରଥକାମ ସହ ଏଥିରେ ନିୟୋଜିତ ସମସ୍ତ ସେବାୟତଙ୍କ ସ୍ୱାସ୍ଥ୍ୟକୁ ପ୍ରାଧାନ୍ୟ ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ । କୋଭିଡ୍-୧୯ ପରିସ୍ଥିତିକୁ ନଜରରେ ରଖି ରଥ ଖଳାରେ ନିୟୋଜିତ ମହାରଣା ଓ ଭୋଇ ସେବାୟତଙ୍କୁ ସଚେତନ କରାଯାଇଛି । ସକାଳେ ଓ ସନ୍ଧ୍ୟାରେ ସେବାୟତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ସେମାନେ ଯେପରି କାହା ସଂସ୍ପର୍ଶରେ ନ ଆସିବେ ସେଥିପାଇଁ ଭକ୍ତ ନିବାସରେ ୧୫୦ ବିଶ୍ୱକର୍ମା ସେବାୟତଙ୍କ ରହିବା ବ୍ୟବସ୍ଥା କରାଯାଇଛି । ବିଳମ୍ବରେ ହେଉ ପଛେ ରଥ ନିର୍ମାଣ କାମ ଜୋର୍ ସୋରରେ ଆଗେଇ ଚାଲିଛି । ରଥଯାତ୍ରାକୁ ନେଇ ଆଗାମୀ ଦିନରେ ସରକାର କଣ ନିଷ୍ପତି ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।