୫୬ ନମ୍ବର କରୋନା ଆକ୍ରାନ୍ତ ସାନତ୍ରିଲୋଚନପୁରର ବୋଲି ଜିଲ୍ଳାପାଳଙ୍କ ସୂଚନା: ୬୬ ବର୍ଷୀୟ ଆକ୍ରାନ୍ତ ବୃଦ୍ଧ ଯାଜପୁରର କେଉଁଠି କେଉଁଠି ଯାଇଛନ୍ତି; ଜାଣନ୍ତୁ…

3,685

କନକ ବ୍ୟୁରୋ: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ୫୬ରେ ପହଁଚିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଆକ୍ରାନ୍ତ ଜଣକ ଯାଜପୁର ସାନତ୍ରିଲୋଚନପୁରର ୬୬ ବର୍ଷୀୟ ବୃଦ୍ଧ ବୋଲି ଜିଲ୍ଲାପାଳ କହିଛନ୍ତି । ଆକ୍ରାନ୍ତ ଜଣକ କଲିକତାରୁ ଫେରିଥିଲେ । ଏହାରି ଭିତରେ ସେ ପ୍ରାୟ ୧୭ରୁ ୧୮ ଜଣଙ୍କ ସଂସ୍ପର୍ଶରେ ଆସିଥିବା ସ୍ପଷ୍ଟ ହୋଇସାରିଛି । କୋଲକତାରୁ ୧୮ ଜଣ ଯାତ୍ରୀ ଏହି କରୋନା ପଜିଟିଭଙ୍କ ସହ ଆସିଥିବା ବେଳେ ୭ ଜଣ ଭଦ୍ରକରେ ଓହ୍ଳାଇଛନ୍ତି । ଆଉ ୧୦ ଜଣ ପାଣିକୋଇଲି ଛକରେ ଓହ୍ଲାଇ ମାଛ ଓ କ୍ଷୀର ଗାଡି ଗୁଡିକରେ ଯାଇଛନ୍ତି ।

ଏମାନଙ୍କ ମଧ୍ୟରୁ ଅନେକ କୋରେଇ ଅଂଚଳକୁ ଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଯାଜପୁରକୁ ଆସିଥିବା ସମସ୍ତଙ୍କୁ ଚିହ୍ନଟ କରାଯାଇଛି ଓ କ୍ୱାରେନଟାଇନରେ ରଖାଯାଇଛି । ସେପଟେ ଏହି କରୋନା ପଜିଟିଭ ଜଣକ ପେଟ ବଥା କାରଣରୁ ୨୯ ତାରିଖରେ ସକାଳୁ ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଯାଇଥିଲେ । ଓପିଡି ତଥ୍ୟ ଆଧାରରେ କେଉଁ ଡାକ୍ତର ତାଙ୍କର ଚିକିତ୍ସା କରିଥିଲେ, ଅନ୍ୟ କେଉଁ କେଉଁ ରେଗୀ ତାଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ ଟ୍ରାକ କରାଯାଉଛି ।

ପୂର୍ବରୁ ଯାଜପୁରର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ଦ୍ୱିତୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ୨ଟି ଗାଁକୁ କଂଟେନମେଂଟ ଅଂଚଳ ଭାବେ ଘୋଷଣା କରାଯାଇଛି । ସାନତ୍ରିଲୋଚନପୁର ଓ ସହିପୁର-୩ ଗାଁକୁ କଂଟେନମେଂଟ ଅଂଚଳ ଭାବେ ଘୋଷଣା କରାଯାଇଛି ।