କନକ ବ୍ୟୁରୋ: କ୍ୟାନସର ସହ ଲଢ଼ିବା ହେବ ସହଜ । ମଣିଷ ଶରୀର ସବୁଠାରୁ ମାରାତ୍ମକ ରୋଗର ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କ ଫୋକସ୍ । ତେଣୁ କଟକରେ ଥିବା ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ହେବ ଦ୍ୱିତୀୟ କ୍ୟାମ୍ପସ । ଏନେଇ ହସ୍ପିଟାଲ ଗଭର୍ଣ୍ଣିଂ ବଡି ବୈଠକରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ।

Advertisment

ଏହାବାଦ୍ ଯେଉଁଭଳି ରାଜ୍ୟରେ କୌଣସି କ୍ୟାନସର ପୀଡ଼ିତ ସମସ୍ୟାର ସମ୍ମୁଖୀନ ନହୁଅନ୍ତୁ ଏବଂ କିଭଳି ସେମାନଙ୍କ ହାତପାହାନ୍ତାରେ ସମସ୍ତ ପ୍ରକାର ଚିକିତ୍ସା ସେବା ଯୋଗାଇ ଦିଆଯାଉ ବୋଲି ଗୁରୁତ୍ୱ ଦେଇ ହସ୍ପିଟାଲର ବେଡ ସଂଖ୍ୟା ୪୨୫କୁ ବୃଦ୍ଧି କରିବାକୁ ନିଷ୍ପତି ନିଆଯାଇଛି । କେବଳ ଏତିକି ନୁହେଁ କ୍ୟାନସର ପୀଡ଼ିତଙ୍କୁ କିଭଳି ସଠିକ୍ ସମୟ ଏବଂ ସରଳ ଉପାୟରେ ସେବା ଯୋଗାଇଦିଆଯିବ ସେନେଇ ଉପଯୁକ୍ତ ପରିମାଣରେ ଡାକ୍ତର ଅଭାବ ପୂରଣ ପାଇଁ ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ସେପେଟ ଗତବର୍ଷ ମେ ୬ ତାରିଖରେ ରାଜ୍ୟ ସରକାର କ୍ୟାନସର ରୋଗର ଚିକିତ୍ସା ପାଇଁ ଟାଟା ମୋମୋରିଆଲ ଟ୍ରଷ୍ଟ ସହ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ କରିଥିଲେ । ଯେଉଁଥିରେ ଆଗାମୀ ୫ ବର୍ଷ ମଧ୍ୟରେ ରାଜ୍ୟର ୯୦ ପ୍ରତିଶତ ଲୋକଙ୍କୁ କେମୋ ଥେରାପି ଭଳି ଚିକିତ୍ସା ମିଳିବ ବୋଲି ନିଷ୍ପତି ହୋଇଥିଲା । ଏପରିକି କଟକରେ ଥିବା ଆଚାର୍ଯ୍ୟ ହରିହର ଆଂଚଳିକ କ୍ୟାନସର ସେଂଟରକୁ କ୍ୟାନସର କେଆର ହସପିଟାଲ ଭାବେ ଅପଗ୍ରେଡ କରାଯିବ ବୋଲି ନିଷ୍ପତି ନେଇଥିଲେ ରାଜ୍ୟ ସରକାର ।