ନୂଆବର୍ଷରୁ ବାଧ୍ୟତାମୂଳକ ହେବ ଫାସଟ୍ୟାଗ୍ , ଏନ୍‌ଏଚ୍‌ଏଆଇ ଚଳାଇଛି ଡ୍ରାଏ ରନ୍‌ । ଫାସଟ୍ୟାଗ୍ ନଥିଲେ ଦୁଇଗୁଣ ଇ-ଚାଲାଣ କଟିବ, ହେଲପଲାଇନ ନମ୍ବର ୧୦୩୩

ନୂଆବର୍ଷରୁ ବାଧ୍ୟତାମୂଳକ ହେବ ଫାସଟ୍ୟାଗ୍ , ଏନ୍‌ଏଚ୍‌ଏଆଇ ଚଳାଇଛି ଡ୍ରାଏ ରନ୍‌ । ଫାସଟ୍ୟାଗ୍ ନଥିଲେ ଦୁଇଗୁଣ ଇ-ଚାଲାଣ କଟିବ, ହେଲପଲାଇନ ନମ୍ବର ୧୦୩୩

ଜାନୁଆରି ୧ ତାରିଖରୁ ଟୋଲ୍‌ପ୍ଲାଜାରେ ଆଉ ନଗଦ କାରବାର ହେବ ନାହିଁ। ଫାସ୍‌ଟ୍ୟାଗ୍‌ ବ୍ୟବସ୍ଥା କାର୍ୟ୍ୟକାରୀ ହେବ। ସମସ୍ତ ଗାଡ଼ି ଫାସ୍‌ଟ୍ୟାଗ୍‌ ବ୍ୟବସ୍ଥା କରିବାକୁ ବାଧ୍ୟ। ଯଦି ଗାଡ଼ିଗୁଡ଼ିକ ଫାସ୍‌ଟ୍ୟାଗ୍‌ ବ୍ୟବସ୍ଥା ନ କରି ଟୋଲ୍‌ ପ୍ଲାଜା ଭିତରେ ପ୍ରବେଶ କରନ୍ତି ତେବେ ମାଲିକ ନାମରେ ଇ-ଚାଲାଣ କଟାଯିବ। ତାହା ମାଲିକ ଠିକଣାରେ ଘରକୁ ଯିବ। ତାହା ପୁଣି ଦୁଇଗୁଣ। ଗୋଟିଏ ପରିଶୋଧ ନ ହୋଇ ଆଉ ଗୋଟିଏ କଟା ଗଲେ ମାମଲା ଯିବ କୋର୍ଟକୁ। ଏଭଳି କଡ଼ା‌ ବ୍ୟବସ୍ଥା ଜାନୁଆରି ଠାରୁ ହେବାକୁ ଯାଉଛି। ଏହି ଫାସ୍‌ଟ୍ୟାଗ୍‌ କଡ଼ାକଡ଼ି ହେବା ପୂର୍ବରୁ ଆଜି ଏନ୍‌ଏଚ୍‌ଏଆଇ ଆଞ୍ଚଳିକ ଅଧିକାରୀ ରାମପ୍ରସାଦ ପଣ୍ଡାଙ୍କ ନେତୃତ୍ବରେ ଏକ ଦଳ ରାଜ୍ୟରେ ଥିବା ୧୪ଟି ଟୋଲ୍‌ ପ୍ଲାଜାରେ ବୁଲି ଭିତ୍ତିଭୂମି ଯାଞ୍ଚ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପ୍ରତ୍ୟେକ ଟୋଲ୍‌ ପ୍ଲାଜାରେ ଡ୍ରାଏ ରନ୍‌ ବା ପରୀକ୍ଷଣ ଚାଲିଛି। ଆସନ୍ତା ୩୧ ତାରିଖ ସୁଦ୍ଧା ଏହି ବ୍ୟବସ୍ଥା କାମ କରୁଥିବା ନିଶ୍ଚିତ କରିବାକୁ କୁହାଯାଇଛି। ଫାସ୍‌ଟ୍ୟାଗ୍‌ ସହ ଓ ବିନା ଫାସ୍‌ଟ୍ୟାଗ୍‌ରେ ଗାଡ଼ିଗୁଡ଼ିକୁ ଟୋଲ୍‌ପ୍ଲାଜା ଦେଇ ନିଆଯାଇଛି। ପ୍ରତ୍ୟେକ ଟୋଲପ୍ଲାଜାରେ ଏହାର ସଫଳ ପରୀକ୍ଷଣ ହୋଇଥିବା ଏନ୍‌ଏଚ୍‌ଏଆଇ ପକ୍ଷରୁ ସୂଚନା ମିଳିଛି।

ବନ୍ଦ ହେବ ଇଟିସି ଲେନ୍ ‌: ପ୍ରତ୍ୟେକ ଟୋଲ୍ ପ୍ଲାଜାରେ ଇଟିସି(ଇଲେକ୍ଟ୍ରୋନିକ ଟୋଲ କଲେକ୍ସନ) ଲେନ୍‌ ରହିଛି। ଏବେ ଏହି ଲେନ୍‌ରେ କେବଳ ନଗଦ କାରବାର କରାଯାଉଛି। ଅନେକ ଗାଡ଼ି ଏହି ଫାସ୍‌ଟ୍ୟାଗ୍‌ ବ୍ୟବସ୍ଥା କରିନ ଥିବାରୁ ଏହି ଲେନ୍‌ ଦେଇ ଯିବା‌ ବେଳେ ନଗଦ କାରବାର କରୁଛନ୍ତି। ଜାନୁଆରି ୩୧ ତାରିଖ ଦିନ ଏହି ଲେନ୍‌କୁ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି। ବିନା ଫାସ୍‌ଟ୍ୟାଗ୍‌ରେ ‌ଟୋଲପ୍ଲାଜା ଅତିକ୍ରମ କଲେ ଆପେ ଆପେ ଇ-ଚାଲାଣ କଟାଯିବା ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି। ୨୪ ଘଣ୍ଟା ଭିତରେ ଫେରିଲେ ଅଧା : ୨୪ ଘଣ୍ଟା ମଧ୍ୟରେ ସମ୍ପୃକ୍ତ ଟୋଲ୍‌ ଗେଟ୍‌ ଦେଇ ଫେରିଲେ ଗାଡ଼ିଚାଳକକୁ ଯିବାବେଳେ ଯେତିକି ଅର୍ଥ ଦେବାକୁ ପଡ଼ିବ ଫେରିବା ବେଳେ ତାହାର ଅଧା ଦେବାକୁ ହେବ। ଅର୍ଥାତ ଯିବାବେଳେ ଆକାଉଣ୍ଟରୁ ଶୁଳ୍କ ବାବଦରେ ଯେତିକି କଟିବ ଫେରିବା ବେଳେ ତାହାର ଅଧା କଟିବ। ଏଣୁ ଏଥିରେ ଦ୍ବନ୍ଦ୍ବ ହେବାର ନାହିଁ ବୋଲି ଏନ୍‌ଏଚ୍‌ଏଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ମାସିକ ୪୦ ପ୍ରତିଶତ ରିହାତି : କୌଣସି ଗାଡ଼ି ଟୋଲ୍‌ ଗେଟ୍‌ ଦେଇ ନିୟମିତ ଯିବା ଆସିବା କଲେ ମାସିକ ୪୦ ପ୍ରତିଶତ ରିହାତି ପାଇବ। ଏଥିପାଇଁ ଅଗ୍ରୀମ ବ୍ୟବସ୍ଥା କରିବାକୁ ପଡ଼ିବ। ପ୍ରତ୍ୟେକ ଟୋଲପ୍ଲାଜାରେ ଟୋଲ୍‌ଗେଟ୍‌ ସେଲ୍‌ ରହିଛି। ଏହି ସେଲ୍‌ ଜରିଆରେ ଚାଳକ ମାସିକିଆ ପାସ୍‌ ବ୍ୟବସ୍ଥା କରିପାରିବ। ତେବେ ଏହି ପାସ୍‌ ବଳରେ ମାସକୁ କେବଳ ୫୦ ଥର ହିଁ ରହାତି ସୁବିଧା ହାସଲ କରିପାରିବ। ରାଜ୍ୟରେ ୧୪ ଟୋଲଗେଟ୍‌ : ରାଜ୍ୟ ଭିତରେ ୧୪ଟି ଟୋଲ୍‌ଗେଟ୍‌ ରହିଛି। ସେ ସବୁଗୁଡ଼ିକୁ ଫାସ୍‌ଟ୍ୟାଗ୍‌ ବ୍ୟବସ୍ଥା କରାଯାଇଛି। ସେଗୁଡ଼ିକ ହେଉଛି ପିପିଲି, ଶ୍ରୀରାମପୁର, ମଙ୍ଗୁଳି, ବାଲେଶ୍ବରରେ ‌ସେରଗଡ଼, ପାଣିକୋଇଲି ଓ ଲକ୍ଷ୍ମଣନାଥ, ବ୍ରହ୍ମପୁରରେ ଗୁରାପଲ୍ଲୀ, ଢେଙ୍କାନାଳରେ ଗୁଡ଼ିପଡ଼ା ଓ ଖମାର, କେଉଁଝରରେ ହସନପୁର, କଣ୍ଟାଘର ଓ ବନଯୋଡ଼ି, ସମ୍ବଲପୁରରେ ବରଗଡ଼, ବ୍ରଜରାଜନଗର। ଏ ସବୁରେ ଫାସ୍‌ଟ୍ୟାଗ୍‌ ଲଗାଯିବା ସହ ଡ୍ରାଏ ରନ୍‌ କରାଯାଇଛି।

publive-image

ଅନଲାଇନରେ କେମିତି ମିଳୁଛି ?

ଭାରତୀୟ ଷ୍ଟେଟ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏକ୍ସିସ ବ୍ୟାଙ୍କ, ଏଚଡିଏଫ୍‌ସି ବ୍ୟାଙ୍କ ଏବଂ ପେଟିଏମ୍‌ ଭଳି ସଂସ୍ଥାକୁ ଅନଲାଇନରେ ଫାସଟ୍ୟାଗ୍ ବିକ୍ରି କରିବାକୁ ଅନୁମତି ପ୍ରଦାନ କରାଯାଇଛି। ତେଣୁ ଏସବୁ ବ୍ୟାଙ୍କ ଓ ସଂସ୍ଥାର ୱେବସାଇଟ୍‌କୁ ଯିବାକୁ ହେବ।

ବ୍ୟାଙ୍କ/ସଂସ୍ଥାର ୱେବସାଇଟର ହୋମପେଜ୍‌କୁ ଯିବାପରେ ସେଥିରେ ‘Get FASTag’ / ‘Apply for FASTag’ ଭଳି ଲେଖା ଥିବା ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।

ସେଠାରେ ଆପଣଙ୍କ ମୋବାଇଲ ନମ୍ବର ଏଣ୍ଟର କରନ୍ତୁ। ଏହାପରେ ଆପଣଙ୍କ ମୋବାଇଲ ଫୋନକୁ ଓଟିପି ଆସିବ। ସେହି ଓଟିପିକୁ ଏଣ୍ଟର କରି ସବ୍‌ମିଟ୍ ଉପରେ କ୍ଲିକ୍ କରନ୍ତୁ। (ଏହି ପକ୍ରିୟା ପ୍ରାୟତଃ ସମାନ ହୋଇଥିଲେ ଭିନ୍ନ ଭିନ୍ନ ବ୍ୟାଙ୍କରେ ଏହି କାର୍ୟ୍ୟ ଅଲଗା ଅଲଗା ଭାବେ ସଂପାଦିତ ହେଉଛି। ଯଦି ଷ୍ଟେଟ ବ୍ୟାଙ୍କ ଜରିଆରେ ଫାସଟ୍ୟାଗ୍ ଆବେଦନ କରୁଛନ୍ତି ଯେଉଁ ଅନୁଭୂତି ପାଇବେ ଅନ୍ୟ ବ୍ୟାଙ୍କ ଜରିଆରେ କଲେ ତାହା ଭିନ୍ନ ରହିପାରେ।)

ତାହା ପରେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଯଥା ନାମ, ଇମେଲ ଆଇଡି, ଠିକଣା, କି ପ୍ରକାର ଗାଡ଼ିର ବିବରଣୀ ଦିଅନ୍ତୁ। ଏଥିସହ ରେଜିଷ୍ଟ୍ରେସନ କପିର ସ୍କାନ୍ କପି ଅପଲୋଡ୍ କରିବାକୁ ହେବ।

ଯେଉଁ ସୂଚନା ଦେଉଛନ୍ତି ତାହାକୁ ଭଲଭାବେ ପରଖି ନିଅନ୍ତୁ। ବିଶେଷକରି ଗାଡ଼ି ନମ୍ବର, ମୋବାଇଲ ନମ୍ବର, ଇ-ମେଲ୍ ଠିକଣା ଆଦି ଅତିକମ୍‌ରେ ଠିକ୍ ଥିବା ନିଶ୍ଚିତ ହୁଅନ୍ତୁ।

ଅନଲାଇନରେ ଆବେଦନ ଦାଖଲ କରିସାରିବା ପରେ ଫି ବା ଶୁଳ୍କ ଦାଖଲ କରିବା ପାଇଁ ଅନଲାଇନ ପେମେଣ୍ଟ ଗେଟୱେକୁ ରିଡାଇରେକ୍ଟ କରି ଦିଆଯିବ।

ଫାସଟ୍ୟାଗ୍ ରସିଦ ଓ ପେମେଣ୍ଟ ରସିଦକୁ ସେଭ୍‌ କରି ରଖନ୍ତୁ। ଏପରିକି ଏହାର ପ୍ରିଣ୍ଟ୍ଆଉଟ୍ ବାହାର କରି ରଖିଲେ ଭଲ।

ମୋବାଇଲ ସିମ୍‌ ଓ ଡିଟିଏଚ ରିଚାର୍ଜ କରିବା ଭଳି ଫାସଟ୍ୟା‌ଗ ମଧ୍ୟ ରିଚାର୍ଜ କରିହେଉଛି। ପେଟିଏମ ଭଳି ଆପ୍‌ରେ ରିଚାର୍ଜ କରିବାବେଳେ ‌ମୋବାଇଲ ନମ୍ବର କିମ୍ବା ଗାଡ଼ି ନମ୍ବର ଦେଲେ ଆପଣଙ୍କ ଆକାଉଣ୍ଟ ବିବରଣୀ ସହଜରେ ଉକ୍ତ ସଂସ୍ଥାକୁ ସ୍ବୟଂକ୍ରିୟଭାବେ ଉପଲବ୍ଧ ହେବ। ଆପଣ ନିଜ ଆବଶ୍ୟକତା ଅନୁସାରେ ରିଚାର୍ଜ କରିପାରିବେ। ଉଦାହରଣ ସ୍ବରୂପ ଯଦି ମାସକୁ ଆପଣଙ୍କୁ ଟୋଲ ଶୁଳ୍କ ବାବଦରେ ୪୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି ତାହାଠାରୁ ଅଧିକ ଫାସଟ୍ୟାଗ ଆକାଉଣ୍ଟରେ ରଖିଲେ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଫାସଟ୍ୟାଗ ଆକାଉଣ୍ଟରେ ଥିବା ଟଙ୍କା ଶୁଳ୍କ ବାବଦରେ ନକଟିବା ପର୍ୟ୍ୟନ୍ତ ସେଠାରେ ସୁରକ୍ଷିତ ରହିବ।

ଅନଲାଇନରେ ଆବେଦନ କରିଲେ କିଛିଦିନ ପରେ ଫାସଟ୍ୟାଗ ଅଳ୍ପଦିନ ଭିତରେ ଘରେ ଆସି ପହଞ୍ଚୁଛି।

ଅଫଲାଇନରେ କେଉଁଠି ମିଳୁଛି ?

-ଟୋଲ ପ୍ଲାଜା, ବ୍ୟାଙ୍କ ଶାଖା, ପେଟ୍ରୋଲ ପମ୍ପ ଆଦିରୁ ଫାସଟ୍ୟାଗ୍ ପାଇପାରିବେ। ଏନଏଚଏଆଇ ପକ୍ଷରୁ ରାଜ୍ୟର ବିଭିନ୍ନ ଟୋଲ ପ୍ଲାଜାରେ ଫାସଟ୍ୟାଗ୍ ପାଇଁ ପାଖାପାଖି ୯୦ଟି ପିଓଏସ୍ ରଖାଯାଇଛି।

କେତେ ଅର୍ଥ ‌ଦେବାକୁ ପଡ଼ିବ ?

ଫାସଟ୍ୟାଗ୍ ପାଇଁ ବିଭିନ୍ନ ବ୍ୟାଙ୍କ/ସଂସ୍ଥାକୁ ଭିନ୍ନ ଭିନ୍ନ ଅର୍ଥ ଦେବାକୁ ପଡ଼ୁଛି। ପେଟିଏମ୍‌ରେ ଫାସଟ୍ୟାଗ ପାଇବା ପାଇଁ ୫୦୦ ଟଙ୍କା ଦେବାକୁ ପଡ଼ୁଛି। ଏଥିରୁ ଫାସଟ୍ୟାଗ ବାବଦ ମୂଲ୍ୟ ୧୦୦ ଟଙ୍କା ହୋଇଥିବାବେଳେ ୱାନଟାଇମ ସିକ୍ୟୁରିଟି ଡିପୋଜିଟି ବାବଦରେ ୨୫୦ ଟଙ୍କା ଏବଂ ସର୍ବନିମ୍ନ ଜମା ବାବଦରେ ୧୫୦ ଟଙ୍କା ରଖିବାକୁ ପଡ଼ୁଛି।

କେମିତି ରିଚାର୍ଜ କରିବେ ?

‌ମୋବାଇଲ ସିମ୍‌ ଓ ଟିଭି ରିଚାର୍ଜ ଭଳି ଫାସଟ୍ୟାଗକୁ ରିଚାର୍ଜ କରିହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe