ଆଜି କାଲି ବରିଷ୍ଠ ନେତାମାନେ ସୋସିଆଲ ମିଡିଆ ଏବଂ ଇଣ୍ଟରନେଟର ବହୁଳ ବ୍ୟବହାର କରୁଛନ୍ତି । କିନ୍ତୁ ଏକଥା ବହୁତ କମ୍‌ ବ୍ୟକ୍ତି ଜାଣନ୍ତି, ବାଜପେୟୀ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ, ଯିଏକି ନିର୍ବାଚନ ପ୍ରଚାରରେ ଇଣ୍ଟରନେଟର ବ୍ୟବହାର କରିଥିଲେ। ଆଜି ଡିସେମ୍ବର ୨୫ ତାରିଖ ହେଉଛି ତାଙ୍କ ଜନ୍ମଜୟନ୍ତୀ । ଏହି ଅବସରରେ ଦେଶବ୍ୟାପୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।ପ୍ରାୟ ୨୦ ବର୍ଷ ତଳେ ଦେଶରେ ଇଣ୍ଟରନେଟ ବ୍ୟବହାର ପ୍ରାରମ୍ଭିକ ଅବସ୍ଥାରେ ରହିଥିଲା । ସେତେବେଳେ ବାଜପେୟୀ ଲକ୍ଷ୍ନୌରେ ନିଜ ନିର୍ବାଚନ ପ୍ରଚାର ପାଇଁ ଯାଇଥିବାବେଳେ ଇଣ୍ଟରନେଟ୍‌ର ବ୍ୟବହାର କରିଥିଲେ । ୧୯୯୮ରେ ବାଜପେୟୀଙ୍କ ନେତୃତ୍ଵରେ ଏନଡିଏ ସରକାର ଗଠନ କରିଥିଲା । କିନ୍ତୁ ଜୟଲଳିତାଙ୍କ ସମର୍ଥନ ପ୍ରତ୍ୟାହାର ଯୋଗୁ ୧୩ ମାସ ପରେ ୧୯୯୯ରେ ସରକାର ଭାଙ୍ଗି ଯାଇଥିଲା। ଏହା ପରେ ସେହିବର୍ଷ ପୁଣି ଥରେ ସାଧାରଣ ନିର୍ବାଚନ ହୋଇଥିଲା । ତତ୍କାଳୀନ ପ୍ରଧାନମନ୍ତ୍ରୀ ବାଜପେୟୀ ନିର୍ବାଚନ ପ୍ରଚାର ସମୟରେ ପ୍ରଥମ ବ୍ୟକ୍ତି ଭାବେ ଇଣ୍ଟରନେଟର ବ୍ୟବହାର କରିଥିଲେ। ୧୯୯୯ ଜୁଲାଇ ୨୭ରେ ତାଙ୍କ ନିର୍ବାଚନ ପ୍ରଚାର ଲାଗି ଏକ ୱେବସାଇଟ୍‌ ଭୋଟ୍‌ଫର୍‌ଅଟଳ.କମ୍‌ (voteforatal.com) ଉତ୍ତରପ୍ରଦେଶ ବିଜେପି ମୁଖ୍ୟାଳୟରେ ଉଦ୍‌ଘାଟନ ହୋଇଥିଲା। ବଲିଉଡ୍‌ ଅଭିନେତା ବିନୋଦ ଖାନ୍ନା ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ନିର୍ବାଚନରେ ବାଜପେୟୀ ବିଜୟୀ ହୋଇଥିଲେ। publive-image

Advertisment

ନିର୍ବାଚନ ପ୍ରଚାର ପାଇଁ ଲକ୍ଷ୍ନୌ ଆସିଥିବା ନରେନ୍ଦ୍ର ମୋଦୀ ସେତେବେଳେ ଉତ୍ତରପ୍ରଦେଶ ବିଜେପି କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ। ଗ୍ଲୋବାଲ ଟ୍ୟାକ୍ସପେୟର୍ସ ଟ୍ରଷ୍ଟର ଅଧ୍ୟକ୍ଷ ତଥା ଲକ୍ଷ୍ନୌର ସାମାଜିକ କର୍ମୀ ମନୀଷ ଖେମକା ଏହି ୱେବ୍‌ସାଇଟ୍‌ର ଲଞ୍ଚିଂ ଟିମ୍‌ର ଅଂଶୀଦାର ଥିଲେ। ସେ କହିଛନ୍ତି, ଯେଉଁଦିନ ଏହି ୱେବସାଇଟ୍‌ ଉଦ୍‌ଘାଟନ ପାଇଁ ପ୍ରସ୍ତାବ ଦିଆଯାଇଥିଲା, ସେହିଦିନ ବିଜେପି ମୁଖ୍ୟାଳୟରେ ନରେନ୍ଦ୍ର ମୋଦୀ ଉପସ୍ଥିତ ଥିଲେ । ଜଣେ ଚର୍ଚ୍ଚିତ ଚେହେରାଙ୍କ ଦ୍ବାରା ୱେବସାଇଟ୍‌ର ଉଦ୍‌ଘାଟନ କରିବାକୁ ମୋଦୀ ହିଁ ପରାମର୍ଶ ଦେଇଥିଲେ। ପରେ ବଲିଉଡ୍‌ ଅଭିନେତା ବିନୋଦ ଖାନ୍ନାଙ୍କ ନାମ ଚୂଡ଼ାନ୍ତ ହୋଇଥିଲା ଏବଂ ତୁରନ୍ତ ସେ ସେଠାକୁ ଆସିଥିଲେ। ବିନୋଦ ଖାନ୍ନାଙ୍କ ଯୋଗୁ ଏହି କାର୍ଯ୍ୟକ୍ରମକୁ ଗଣମାଧ୍ୟମରେ ଅଧିକ ଗୁରୁତ୍ଵ ଦିଆଯାଇଥିଲା।publive-image

ସୂଚନା ମୁତାବକ, ଭାରତରେ ୧୯୯୫ ଅଗଷ୍ଟ ୧୫ରେ ଇଣ୍ଟରନେଟ ସେବା ଆରମ୍ଭ ହୋଇଥିଲା । ବିଦେଶ ସଞ୍ଚାର ନିଗମ ଲିମିଟେଡ୍‌(ଭିଏସଏନଏଲ) ନିଜର ଟେଲିଫୋନ ଲାଇନ ଜରିଆରେ ବିଶ୍ବର ଅନ୍ୟ କମ୍ପ୍ୟୁଟର ସହିତ ଭାରତୀୟ କମ୍ପ୍ୟୁଟରଗୁଡ଼ିକୁ ଯୋଡ଼ିବା ପରେ ଇଣ୍ଟରନେଟ୍‌ ସେବା ଆରମ୍ଭ ହୋଇଥିଲା । ଜନସାଧାରଣଙ୍କ ପାଇଁ ଭିଏସଏନଏଲର ଗେଟୱେ ସର୍ଭିସ ସହିତ ଇଣ୍ଟରନେଟ ସେବା ଆରମ୍ଭ ହୋଇଥିଲା । ୧୯୯୮ରେ ସରକାର ଘରୋଇ କମ୍ପାନୀଗୁଡ଼ିକୁ ଇଣ୍ଟରନେଟ ସେବା କ୍ଷେତ୍ରରେ ଆସିବାକୁ ଅନୁମତି ପ୍ରଦାନ କରିଥିଲେ । ଏହି ବର୍ଷ ଦେଶର ପ୍ରଥମ ୱେବସାଇଟ୍‌ ଇଣ୍ଡିଆୱାର୍ଲ୍ଡ ଡଟ୍‌ କମ୍‌(indiaworld.com)ଆରମ୍ଭ ହୋଇଥିଲା । ବାଜପେୟୀ ଲଗାତାର ଭାବେ ପାଞ୍ଚ ଥର ୧୯୯୧, ୧୯୯୬, ୧୯୯୮, ୧୯୯୯, ଓ ୨୦୦୪ ରେ ସାଂସଦ ରହିଥିଲେ ।