କେମିତି ତାଣ୍ଡବଲୀଳା ରଚିଥିଲା ମହାବାତ୍ୟା ? ଭୟଙ୍କର ବନ୍ୟା ପାଣିରେ କେମିତି ଭାସିଯାଉଥିଲା କୁଢକୁଢ ଶବ ? ବାତ୍ୟାର ବିକଟାଳ ରୂପକୁ ନିଜ ଆଖିରେ ଦେଖିଥିଲେ ଅଳ୍ପକେ ବର୍ତ୍ତିଯାଇଥିବା ମଣିଷ ।

593

କନକ ବ୍ୟୁରୋ: ମହାବାତ୍ୟାର ମହାରୂପ କେତେ ଭୟଙ୍କର, କେତେ ବିକଟାଳ ଆଉ କେତେ ହୃଦୟଥରା ତାହା ୨୧ ବର୍ଷ ତଳେ ଆଖିରେ ଦେଖିଛି ଓଡିଶା । ପାଖରୁ ଅନୁଭବ କରିଛି ପ୍ରକୃତିର କରାଳରୂପକୁ । ମହାବାତ୍ୟାର ମହାତାଣ୍ଡବକୁ କିଏ ଚାଳ ଉପରୁ ଦେଖିଛି ତ କିଏ ଗଛ ଉପରେ ଚଢି ଦେଖିଛି ଆଉ କିଏ କୁଟା ଖଣ୍ଡେକୁ ଆଶ୍ରା କରି ବାତ୍ୟା ପାଟିରୁ ଅଳ୍ପକେ ବର୍ତ୍ତି ଯାଇଛି । ବିପଦ ମୁହଁରୁ ଯେଉଁମାନେ ବଞ୍ଚି ଯାଇଛନ୍ତି ସେମାନେ ସାଜିଛନ୍ତି ମହାବାତ୍ୟାର ମୁକସାକ୍ଷୀ । ଆଉ ବର୍ଷ ବର୍ଷ ଧରି ବଖାଣି ଚାଲିଛନ୍ତି ବାତ୍ୟାର ବିଭିଷୀକାକୁ ।

୨୧ ବର୍ଷ ତଳେ ବାତ୍ୟା ଉଜାଡିଥିଲା ସୁଖର ସଂସାର । ଆଉ ୨୧ ବର୍ଷ ପରେ ସେ କଥା ମନେ ପଡିଗଲେ ଆଖିର ଲୁହକୁ ଅଟକାଇ ପାରୁନାହାନ୍ତି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ତେନ୍ତୁଳିକନ୍ଧା ଗାଁର ଧନଞ୍ଜୟ ମଣ୍ଡଳ । ନଦୀ କୂଳିଆ ଘର ହୋଇଥିବାରୁ ବଡ ଜୁଆରରେ ଭାସି ଯାଇଥିଲେ ଧନଞ୍ଜୟଙ୍କ ପରିବାରର ୧୧ ଜଣ ଲୋକ । ପାଣିର ପ୍ରଖର ସ୍ରୋତରେ ସମସ୍ତେ ଭାସି ଯାଇଥିଲେ ବି କିଛି ବର୍ତ୍ତି ଯାଇଥିଲେ । ଆଉ ୩ ଦିନ ପରେ ୬ ଜଣଙ୍କୁ ହରାଇଥିଲା ପରିବାର ।

ବାତ୍ୟା ପରେ ଉପୁଜିଥିବା ବନ୍ୟାରେ ସବୁ ଭାସି ଯାଇଥିଲା । ଘର ଦ୍ୱାର ଭସାଇ ନେବାକୁ ପାଣି ଯେତେବେଳେ ଭୟଙ୍କର ରୂପ ନେଇ ଆସୁଥିଲା । ଠିକ ସେତିକି ବେଳେ ଜୀବନ ବଞ୍ଚାଇବାକୁ ଧାଇଁଥିଲେ ଲୋକେ । ତେବେ ଘରେ ପାଣି ପଶିଯିବା ପରେ କିଏ ଚାଳ ଉପରେ ଆଶ୍ରା ନେଇଥିଲା ତ କିଏ ଚାଳଭାସି ଯିବା ପରେ ଆମ୍ବ ଗଛରେ । ତେବେ ମହାବାତ୍ୟାର ମହାପ୍ରଳୟ ଦେଖିଥିବା ଲୋକେ ମଲାଯାଏଁ ମୁକାସାକ୍ଷୀ ପାଲଟିଥିବା ବେଳେ ବାତ୍ୟା ଦେଇଥିବା ଦୁଃଖ ସବୁଦିନ ପାଇଁ ଅଲିଭା ଦାଗ ହୋଇ ରହିଯିବ ।