ଦେଶ ଏବଂ ରାଜ୍ୟରେ କେମିତି ଅଛି କରୋନା ସ୍ଥିତି? ସଂକ୍ରମଣ ହାର କେତେ କମିଛି? ଜାଣନ୍ତୁ…

118

ଭାରତରେ ଗତ ୨୪ ଘଣ୍ଟାରେ ୧୦,୧୨୬ ଟି ନୂଆ ସଂକ୍ରମଣ ମାମଲା ଦେଖାଦେଇଛି । ଏହା ଗତ ୨୬୬ ଦିନରେ ଅର୍ଥାତ ମାର୍ଚ୍ଚ ୧୬ଠାରୁ ସର୍ବନିମ୍ନ ଦୈନିକ ସଂକ୍ରମଣ ବୋଲି ଜଣାପଡ଼ିଛି । ସେହିପରି ଗତ ୨୪ ଘଣ୍ଟାରେ ୩୩୨ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ବୋଲି ସରକାରୀ ତଥ୍ୟରୁ ଜଣାପଡ଼ିଛି ।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ  ଭାରତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୩୭୭୧୧୩ରେ ପହଞ୍ଚିଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୦୬୩୮ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୪୬୧୩୮୯ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ।

ଅନ୍ୟପକ୍ଷରେ ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ଦେଶର ସବୁ ପ୍ରାପ୍ତବୟସ୍କ ସଂପୂର୍ଣ୍ଣଭାବେ ଦୁଇଟି ଡୋଜ ଟିକା ପାଇବା ସମ୍ଭବ ହୋଇନପାରେ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଏହି ସମୟ ସୁଦ୍ଧା ସମସ୍ତଙ୍କ ପାଇଁ ଦୁଇଟି ଡୋଜ ଟିକା ଉପଲବ୍ଧ ଥିଲେ ବି ୩୧ ଡିସେମ୍ବର ସୁଦ୍ଧା ସମସ୍ତ ୯୪ କୋଟି ପ୍ରାପ୍ତବୟସ୍କଙ୍କୁ ଟିକା ଦିଆଯାଇନପାରେ ବୋଲି ଉକ୍ତ ଅଧିକାରୀ କହିଛନ୍ତି । ସୂଚନାଯୋଗ୍ୟ ଯେ, ଦେଶରେ ଏପର୍ଯ୍ୟନ୍ତ ୭୪ କୋଟି ଲୋକଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଛି । ତେବେ ମାତ୍ର ୩୫ କୋଟି ଲୋକ ଦୁଇଟିଯାକ ଡୋଜ ଟିକା ନେଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୯୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୭୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୨୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୫୮ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୨ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର ଜିଲ୍ଲାରୁ ୪ ଜଣ, ଭଦ୍ରକରୁ ୪ ଜଣ, ବଲାଙ୍ଗୀରରୁ ୨ ଜଣ, କଟକରୁ ୨୩ ଜଣ, ଦେବଗଡ଼ରୁ ୧ ଜଣ, ଢେଙ୍କାନାଳରୁ ୧ ଜଣ, ଗଜପତିରୁ ୧୦ ଜଣ, ଜଗତସିଂହପୁର ଜିଲ୍ଲାରୁ ୩ ଜଣ, ଯାଜପୁରରୁ ୧୪ ଜଣ, କେନ୍ଦ୍ରାପଡ଼ାରୁ ୧ ଜଣ, ଖୋର୍ଦ୍ଧାରୁ ୧୫୨ ଜଣ, କୋରାପୁଟର ଜିଲ୍ଲାରୁ ୧ ଜଣ, ମାଲକାନଗିରିରୁ ୪ ଜଣ, ମୟୂରଭଞ୍ଜରୁ ୪ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧ ଜଣ, ନୟାଗଡ଼ରୁ ୧ ଜଣ, ପୁରୀରୁ ୧ ଜଣ, ରାୟଗଡ଼ାରୁ ୧ ଜଣ, ସମ୍ୱଲପୁରରୁ ୪ ଜଣ, ସୋନପୁରରୁ ୧ ଜଣ, ସୁନ୍ଦରଗଡ଼ରୁ ୨୩ ଜଣ ଓ ଷ୍ଟେଟ ପୁଲରୁ ୩୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୪୪ ହଜାର ୦୪୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୦ ଲକ୍ଷ ୩୨ ହଜାର ୫୬୬ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୩ ହଜାର ୫୮ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।