ବଡ ବଡିଆଙ୍କୁ ଛାଡ, ଗରିବଙ୍କୁ ମାଡ । ଶିଳ୍ପ ସଂସ୍ଥା ଓ ବ୍ୟବସାୟ ପ୍ରତିଷ୍ଠାନ ଉପରେ ୩ ହଜାର କୋଟି ଟଙ୍କାର ବକେୟା ପଡ଼ିଛି ବିଜୁଳି ବିଲ, ଜାଣନ୍ତୁ କାହା ଉପରେ ପଡିଛି କେତେ ବାକି?

636

କନକ ବ୍ୟୁରୋ : ସାଧାରଣ ଗ୍ରାହକ ବିଜୁଳି ବିଲ୍ ନଦେଲେ ବିଜୁଳି ସଂଯୋଗ କାଟିଦିଆଯାଉଛି । ଅନ୍ୟପଟେ କିନ୍ତୁ ବଡ ବଡ ଶିଳ୍ପ ସଂସ୍ଥା, ବ୍ୟବସାୟ ପ୍ରତିଷ୍ଠାନ କିନ୍ତୁ କୋଟି କୋଟି ଟଙ୍କାର ବିଦ୍ୟୁତ୍ ବିଲ୍ ପୈଠ କରିନାହାନ୍ତି । ବଡ଼ ବଡ଼ିଆଙ୍କ ଉପରେ ବର୍ଷ ବର୍ଷ ଧରି ବାକିପଡ଼ିଛି ପାଖାପାଖି ୩ ହଜାର କୋଟି ଟଙ୍କା । ନଜର ପକାନ୍ତୁ କେଉଁ କେଉଁ କଂପାନୀ ନାଁରେ ରହିଛି କେତେ ଟଙ୍କାର ବିଦ୍ୟୁତ ବିଲ୍ ।

ବିଜୁଳିକୁ ନେଇ ସାରା ରାଜ୍ୟରେ ଚାଲିଛି ଧରପଗଡ । ସାଧାରଣ ଗ୍ରାହକ ମାସେ, ଦୁଇ ମାସ ବିଦ୍ୟୁତ ବିଲ ନଦେଇ ପାରିଲେ, ସେମାନଙ୍କର ବିଜୁଳି ସଂଯୋଗକୁ କାଟି ଦିଆଯାଉଛି । କିନ୍ତୁ ରାଜ୍ୟରେ ବଡ ବଡ ଶିଳ୍ପ ସଂସ୍ଥା, ରାଷ୍ଟ୍ରାୟତ ଉଦ୍ୟୋଗ, ବଡ ବ୍ୟବସାୟୀ ପ୍ରତିଷ୍ଠାନଗୁଡିକ ଦେଉନାହାନ୍ତି ଶହ ଶହ କୋଟି ଟଙ୍କାର ବିଦ୍ୟୁତ ବିଲ୍ । ବଡ଼ ବଡ଼ିଆଙ୍କ ଉପରେ ବର୍ଷ ବର୍ଷ ଧରି ବାକିପଡ଼ିଛି ପାଖାପାଖି ୩ ହଜାର କୋଟି । ଏନେଇ ବିଧାନସଭାରେ ବାଙ୍କୀ ବିଧାୟକ ଦେବୀ ରଂଜନ ତ୍ରିପାଠୀଙ୍କ ଅଣତାରକା ପ୍ରଶ୍ନରେ ଉତର ରଖିଛନ୍ତି ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର । ଆସନ୍ତୁ ନଜର ପକାଇବା କେଉଁ କେଉଁ କଂପାନୀ ନାଁରେ ରହିଛି କେତେ ଟଙ୍କାର ବିଦ୍ୟୁତ ବିଲ୍ ।

– ଇଣ୍ଡିଆନ ମେଟାଲ ଫେରୋ ଆଲଏଜ ଲିମିଟେଡ ବା ଇମ୍ଫା ନାଁରେ ବକେୟା ରହିଛି ୫୦୪ କୋଟି ଟଙ୍କା
– ନ୍ୟାସନାଲ ଆଲୁମିନିୟମ୍ କଂପାନୀ ବା ନାଲକୋ ବାକି ପକାଇଛି ୪୦୪ କୋଟି ଟଙ୍କା
– ରାଉରକେଲା ଷ୍ଟିଲ ପ୍ଲାଂଟ ବା ଆରଏସପି ଦେଇନାହିଁ ୩୭୬ କୋଟି ଟଙ୍କାର ବିଜୁଳି ବିଲ
– ସମ୍ବଲପୁରର ଭୂଷଣ ପାଓାର ଏବଂ ଷ୍ଟିଲ ଲିମିଟେଡ୍ ବାକି ପକାଇଛି ୩୧୩ କୋଟି ଟଙ୍କା
– ପାରାଦୀପ ସ୍ଥିତ ଇଣ୍ଡିଆନ ଅଏଲ କୋରପୋରେସନ ଲିମିଟେଡ ନାଁରେ ରହିଛି ୨୧୩ କୋଟି ଟଙ୍କାର ବିଜୁଳି ବିଲ
– ଝାରସୁଗୁଡ଼ାର ବେଦାନ୍ତ ଆଲୁମିନିୟମ୍ ଲିମିଟେଡ ଦେଇନାହିଁ ୧୦୯ କୋଟି ଟଙ୍କା
ଏହା ସହ ଅନେକ ଛୋଟ ବଡ କଂପାନୀ ଓ ବ୍ୟବସାୟୀ ପ୍ରତିଷ୍ଠାନଗୁଡିକ ମଧ୍ୟ ଏହି ତାଲିକାରେ ଅଛନ୍ତି ।

ଅନ୍ୟପଟେ ଗତ ୫ ବର୍ଷରେ ବିଜୁଳି ଚୋରି ଅଭିଯୋଗରେ ୬୨୦ ଜଣଙ୍କୁ ଗିରଫ କରିଛି ବିଦ୍ୟୁତ ବିଭାଗ । ଏନେଇ ଥାନାରେ ୨ ହଜାର ୧୬୫ଟି ମାମଲା ରୁଜୁ କରାଯାଇଛି । କିନ୍ତୁ ବିଡମ୍ବନାର ବିଷୟ ହେଉଛି ରାଜ୍ୟର ବିଭିନ୍ନ ଶିଳ୍ପ ସଂସ୍ଥା, ବ୍ୟବସାୟ ପ୍ରତିଷ୍ଠାନ ଓ ରାଷ୍ଟ୍ରାୟତ ଉଦ୍ୟୋଗୀମାନଙ୍କ ଉପରେ ପାଖାପାଖି ୩ ହଜାର କୋଟି ବିଦ୍ୟୁତ ବିଲ ବାକି ପଡିଛି । କିନ୍ତୁ ସେମାନଙ୍କ ଉପରେ କୌଣସି କାଯ୍ୟାନୁଷ୍ଠାନ ନିଆଯାଉନାହିଁ । ଏ ନେଇ ବିଭିନ୍ନ କୋର୍ଟରେ ମାମଲା ଗଡୁଥିବାରୁ ନିରୁପାୟ ହୋଇ ବସିରହିଛି ବିଦ୍ୟୁତ ବିଭାଗ ।