ବିଶ୍ୱ ଇତିହାସରେ ସବୁଠୁ କଳଙ୍କିତ ଫର୍ଦ୍ଦ ! ଶ୍ରୀଲଙ୍କା ସିରିଜ ବିସ୍ଫୋରଣ ମୃତ୍ୟୁ ସଂଖ୍ୟା ପାଖାପାଖି ୩ଶହ, ମୃତକଙ୍କ ମଧ୍ୟରେ ଅଛନ୍ତି ୫ଭାରତୀୟ ।

364

କନକ ବ୍ୟୁରୋ : ଶ୍ରୀଲଙ୍କାରେ ସିରିଜ ବିସ୍ଫୋରଣ ହେଲା । ଆଉ ଦୋହଲି ଗଲା ସାରା ଦୁନିଆଁ । ଇଷ୍ଟର ବ୍ଲାଷ୍ଟରେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଶେଷ ଖବର ସୁଦ୍ଧା ୨୯୦ ଜଣଙ୍କ ମୃତ୍ୟୁ ଓ ୫ ଶହରୁ ଅଧିକ ଆହତ ହୋଇଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୩୩ଜଣ ବିଦେଶୀ ନାଗରିକ ରହିଛନ୍ତି । ଆଉ ସବୁଠାରୁ ବଡ କଥା ହେଉଛି ମୃତକଙ୍କ ମଧ୍ୟରେ ଅଛନ୍ତି ୫ ଜଣ ଭାରତୀୟ । ଶ୍ରୀଲଙ୍କା ଇତିହାସରେ ଏହାକୁ ସବୁଠାରୁ ଭୟାବହ ଆକ୍ରମଣ ବୋଲି କୁହାଯାଉଛି । ସିରିଜ ବୋମା ବିସ୍ଫୋରଣରେ ବର୍ତମାନ ସୁଦ୍ଧା ୨୪ଜଣଙ୍କୁ ଗିରଫ କରାଯାଇଛି ।

ଶ୍ରୀଲଙ୍କା ସ୍ୱାସ୍ଥ୍ୟମନ୍ତ୍ରୀ ରଜିଥା ସେନାରତ୍ନେ କହିଛନ୍ତି ଏହି ସିରିଜ ବିସ୍ଫୋରଣରେ ସମସ୍ତ ଆତ୍ମଘାତୀ ଶ୍ରୀଲଙ୍କାର ନାଗରିକ ବୋଲି ଅନୁମାନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଏହି ଆକ୍ରମଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରି ନାହାନ୍ତି । ତେବେ ଶ୍ରୀଲଙ୍କା ପୁଲିସ ହମଲା ପଛରେ ଚରମପନ୍ଥୀ ଇସଲାମିକ ସଂଗଠନ ନେସନାଲ ତୌହାଦି ଜମାତର ହାତ ଥିବା ସନ୍ଦେହ କରୁଛି । ୨୦୧୩ ମସିହାରେ ଏହି ସଂଗଠନର ନାମ ପ୍ରଥମ ଥର ପାଇଁ ଚର୍ଚ୍ଚାକୁ ଆସିଥିଲା । ଆଇଏସ ଆଇଏସ ସଂଗଠନ ସହ ଏନଟେଜିର ସଂପୃକ୍ତି ନେଇ ଚର୍ଚ୍ଚା ହୋଇଥିଲା । ଏହାପରେ ୨୦୧୪ରେ ବୌଦ୍ଧମୂର୍ତି ଭଙ୍ଗା ଘଟଣାକୁ ନେଇ ତୌହାଦି ଜମାତ ବିରୋଧରେ ଶ୍ରୀଲଙ୍କାର ବିଭିନ୍ନ ସ୍ଥାନରେ ବିରୋଧର ସ୍ୱର ଉଠିଥିଲା ।