୨୭୫ ନୁହେଁ, ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୮୮ । ଏବେସୁଦ୍ଧା ୨୦୫ ଜଣଙ୍କ ମୃତକଙ୍କୁ କରାଯାଇଛି ଚିହ୍ନଟ : ମୁଖ୍ୟ ଶାସନ ସଚିବ

223

କନକ ବ୍ୟୁରୋ : ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୭୫ ନୁହେଁ ବରଂ ୨୮୮ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ସବିଶେଷ ତଥ୍ୟ ହସ୍ତଗତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଜିଲ୍ଲାପାଳଙ୍କ ଚୂଡାନ୍ତ ରିପୋର୍ଟ ଆଧାରରେ ମୃତକଙ୍କ ବାବଦରେ ସ୍ପଷ୍ଟ ସୂଚନା ମିଳିଛି ।

ଜିଲ୍ଲାପାଳଙ୍କ ରିପୋର୍ଟକୁ ଆଧାର କରି ମୁଖ୍ୟ ଶାସନ ସଚିବ କହିଛନ୍ତି, ଭୁବନେଶ୍ୱରକୁ ୧୯୩ଟି ମୃତଦେହ ପଠାଯାଇଥିଲା । ବାଲେଶ୍ୱର ଜିଲ୍ଲାରେ ୯୪ଟି ମୃତଦେହକୁ ଚିହ୍ନଟ କରାଯାଇଛି । ସେହିଭଳି ଭଦ୍ରକରେ ଚିକିତ୍ସିତ ହେଉଥିବା ଆହତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଏସବୁକୁ ମିଶାଇଲେ ଶେଷ ମୃତ୍ୟୁ ସଂଖ୍ୟା ୨୮୮ରେ ପହଞ୍ଚିଛି । ଏବେ ଜଣେ ଆହତ ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି ।

ଏବେ ସୁଦ୍ଧା ୨୮୮ ମୃତଦେହରୁ ୯୪ ମୃତକ ବାଲେଶ୍ୱରରୁ ଚିହ୍ନଟ ହୋଇ ସାରିଛନ୍ତି । ଭୁବନେଶ୍ୱରକୁ ଆସିଥିବା ୧୯୩ଟି ମୃତଦେହ ମଧ୍ୟରୁ ୧୧୦ଟି ମୃତଦେହ ଚିହ୍ନଟ ସରିଛି । ଏବେସୁଦ୍ଧା ୨୦୫ ଜଣଙ୍କର ମୃତଦେହ ଚିହ୍ନଟ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ଆହୁରି ୮୩ଟି ମୃତଦେହ ଏଯାଏଁ ଚିହ୍ନଟ ହୋଇନି । ଯେଉଁମାନଙ୍କର ଡିଏନଏ ସାମ୍ପଲ ରଖାଯାଉଛି । ଆସନ୍ତାକାଲି ଭିତରେ ଅଧିକ ମୃତଦେହ ଚିହ୍ନଟ ହୋଇଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ଟ୍ରେନ୍ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ, ଚିକିତ୍ସା ଖର୍ଚ୍ଚ, ମୃତଦେହ ପଠାଇବା ବ୍ୟବସ୍ଥା, ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ଯାହା ଖର୍ଚ୍ଚ ତାହା ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ଭରଣା କରାଯାଉଛି ।